ଡେଲିଭରି ବୟ ପରିଚୟ ଦେଇ ଘରେ ପଶିଲେ, ଦିନ ଦ୍ୱିପ୍ରହରେ ବନ୍ଧୁକ ଲଗାଇ ଲୁଟି ନେଲେ
22/03/2023 at 11:25 PM

ବାରିପଦା: ସ୍ପଷ୍ଟ ଦିବାଲୋକରେ ଘରେ ପଶି ଜଣେ ମହିଳାଙ୍କ ଠାରୁ ବନ୍ଧୁକ ମୁନରେ ସୁନା ଚେନ ଲୁଟିନେଲେ ଲୁଟେରା। ସୂଚନାଅନୁସାରେ ବାରିପଦା ସହର ଉପକଣ୍ଠ ଦେବେନ୍ଦ୍ର ଅଂଚଳରେ ପ୍ରିୟଙ୍କା ଦାସ ଆଜି ଘରେ ଏକା ଥିଲେ। ଘରେ ଏକୁଟିଆ ମହିଳା ଥିବା ସୁଯୋଗ ନେଇ ଲୁଟେରା ନିଜକୁ ଡେଲିଭରି ବୟ ପରିଚୟ ଦେଇ ଘରେ ପଶିଥିଲେ। ପ୍ରିୟଙ୍କାଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ଦୁଇ ଲୁଟେରା ବେକରୁ ସୁନାଚେନ ସହ ମୁଦି ଓ କାନଫୁଲ ଲୁଟି ନେଇ ଫେରାର ହୋଇଯାଇଥିଲେ। ଏକ କଳା ରଙ୍ଗର ପଲସର ମୋଟର ସାଇକେଲରେ କ୍ଷୀପ୍ର ଗତିରେ ପଳାଇ ଯାଇଥିଲେ ଲୁଟେରା।
ଏନେଇ ବାରିପଦା ଥାନାରେ ଅଭିଯୋଗ ହୋଇଛି। ଲୁଟେରା ଜଣଙ୍କ ଏକ କଳା ରଙ୍ଗର ପଲସର ବାଇକରେ ଆସି ଲୁଟ କରି ଫେରାର ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି। ଘଟଣା ସମ୍ପର୍କରେ ଅଭିଯୋଗ ପରେ ବାରିପଦା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଥିବାର ଜଣା ପଡ଼ିଛି। ଲୁଟି ନେଇଥିବା ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାରର ସଠିକ୍ ମୂଲ୍ୟ ଅଦ୍ୟାବଧି ଜଣା ପଡ଼ିନାହିଁ। ତେବେ ଏ ନେଇ ବାରିପଦା ସହରରେ ଆତଙ୍କ ଖେଳିଯାଇଛି। ବାରମ୍ବାର ଏହିଭଳି ଘଟଣା ବାରିପଦା ପୋଲିସ ପାଇଁ ପୁଣି ଏକ ଚ୍ୟାଲେଞ୍ଜ ହୋଇଛି।