କଟକ: କଟକ ଚୌଦ୍ୱାର ଥାନା ପୋଲିସକୁ ସଫଳତା। ଛଅ ଦୁର୍ଦ୍ଦାନ୍ତ ଲୁଟେରା ସହ ମୋଟ ନଅ ଜଣଙ୍କୁ ଗିରଫ କଲା ପୋଲିସ। ଅଭିଯୁକ୍ତଙ୍କ ଠାରୁ ଶୋଳ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଗହଣା ସହ ଘରର ଆସବାବ ପତ୍ର ଜବତ କରାଯାଇଛି।
ସବୁଠାରୁ ବଡ କଥା ହେଲା ମୁଖ୍ୟ ଅଭିଯୁକ୍ତ ହେମନ୍ତ ନାମରେ ରହିଛି ଶହେରୁ ଅଧିକ ମାମଲା। ତା ଠାରୁ ଆଶ୍ଚର୍ଯ୍ୟର କଥା ହେଲା ହେମନ୍ତ ଏମିତି ଜଣେ ଅପରାଧି ଯିଏ ଜେଲରୁ ଫେରିବା ମାତ୍ରେ ଚୋରି ନ କରି ରହିପାରେ ନାହିଁ। ଏକଥା ଖୋଦ୍ ହେମନ୍ତ ପୁଲିସକୁ କହିଛି।
ଯାହାର ଉଦାହରଣ ସେ ଭଦ୍ରକ ଜିଲ୍ଲାରେ ଦେଇଛି। ହେମନ୍ତ ଗତ ଜାନୁଆରୀ ୨୫ ତାରିଖରେ ଭଦ୍ରକ ଜେଲରୁ ବାହାରିଥିଲା ଆଉ ୨୫ ତାରିଖରେ ସେହି ଭଦ୍ରକରୁ ଜିଲ୍ଲାରୁ ଲୁଟ କରି କଟକ ପଳାଇ ଆସିଥିଲା। ତେବେ ହେମନ୍ତ ସହ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତ ମାନଙ୍କର ଦୋସ୍ତି ଜେଲରେ ହୋଇଥିବା ବେଳେ ସମସ୍ତେ ଜେଲରୁ ଆସି ଏକ ଲୁଟେରା ଗ୍ୟାଙ୍ଗ ଗଢି ଲୁଟ୍ କରୁଥିଲେ ବୋଲି ଡିସିପି ପିନାକ ମିଶ୍ର କହିଛନ୍ତି। ସବୁ ଅଭିଯୁକ୍ତଙ୍କ ନାଁରେ ୩୦ରୁ ଅଧିକ ମାମଲା ରହିଛି ବୋଲି ଡିସିପି କହିଛନ୍ତି।
ହେମନ୍ତ ଓ ତା ଗ୍ୟାଙ୍ଗର ଅନ୍ୟ ୮ ଲୁଟେରାଙ୍କ ଟାର୍ଗେଟ୍ରେ ଥିଲା କଟକ ସହରର ବନ୍ଦ ହୋଇ ପଡ଼ିଥିବା ଘର। ଘରେ ତାଲା ପଡ଼ିଥିବା ଦେଖି ଏହି ଲୁଟେରାମାନେ ଲୁଟ୍ର ଯୋଜନା ପ୍ରସ୍ତୁତ କରନ୍ତି। ଆଉ ମଉକା ଦେଖି କଳାକନା ବୁଲାଇ ଛୁ ମାରନ୍ତି। ରାତି ପାହି ସକାଳ ହେଲା ବେଳକୁ ଘର ମୁକୁଳା।
ଏଭଳି ଲୁଟ୍ପାଟ ଘଟଣାରେ ପୁଲିସ ପ୍ରଥମେ ମୁଖ୍ୟ ଅଭିଯୁକ୍ତ ହେମନ୍ତକୁ ଗିରଫ କରିଥିଲା ପରେ ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ପୁଲିସ ଜାଲରେ ପଡ଼ିଥିଲେ। ଅଭିଯୁକ୍ତଙ୍କ ଠାରୁ ଶୋଳ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ୱ ସୁନା ଅଳଙ୍କାର ସହ ଏକ କାର ଟିଭି ଲାପଟପ ମୋବାଇଲ ଫୋନ ଜବତ କରିଛି ପୋଲିସ। ଏହି ଲୁଟେରା ଗ୍ୟାଙ୍ଗ ଗିରଫ ହେବା ପରେ କଟକ ସହରରୁ ୧୩ ଲୁଟ ମାମଲାର ପର୍ଦ୍ଦାଫାଶ ହୋଇଛି।
wp:embed {"url":"https://youtu.be/egSVoQVZr3A","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"} /wp:embed