ପୋଲିସକୁ ପୁଣି ଚ୍ୟାଲେଞ୍ଜ ଦେଲେ ଲୁଟେରା, ସ୍ପଷ୍ଟ ଦିବାଲୋକରେ ମହିଳାଙ୍କଠୁ ଲୁଟି ନେଲେ ଅଳଙ୍କାର ଭର୍ତ୍ତି ବ୍ୟାଗ୍
6/11/2020 at 4:11 PM

ମୟୂରଭଞ୍ଜ, ୦୬।୧୧: ଲୁଟେରାଙ୍କ ଏନ୍ତୁଡ଼ିଶାଳ ହେବାକୁ ବସିଲାଣି କରଞ୍ଜିଆ।ଏକଥା ଆମେ କହୁନୁ,କହିବାକୁ ସମସ୍ତଙ୍କୁ ସୁଯୋଗ ଦେଉଛି ୨୯ ତାରିଖ ଓ ଶୁକ୍ରବାରର ଘଟଣା। କାରଣ ଶୁକ୍ରବାର ପୁଣି ଥରେ ଦିନ ୧ଟା ବେଳେ ଜଣେ ମହିଳାଙ୍କଠୁ ଲୁଟ ହେଇଛି ପାଖାପାଖି ଲକ୍ଷେ ଟଙ୍କାର ସୁନା ଅଳଙ୍କାର।ଆଉ ଏହି ଲୁଟରେ ଶିକାର ହୋଇଛନ୍ତି କରଞ୍ଜିଆ ଥାନା ମିରିଗିନେଣ୍ଡି ଗାଁର ଯନ୍ତ୍ରୀ ନାଏକ ନାମକ ଜଣେ ମହିଳା।
ମହିଳାଙ୍କ ତରଫରୁ ଥାନାରେ ଦିଆଯାଇଥିବା ଏତଲା ଅନୁଯାୟୀ, ସ୍ଥାନୀୟ କରଞ୍ଜିଆ ଷ୍ଟେଟ ବ୍ୟାଙ୍କକୁ ଋଣ କରିବା ପାଇଁ ନିଜର କିଛି ଅଳଙ୍କାରକୁ ନେଇ ଯନ୍ତ୍ରୀ ନାଏକ ସକାଳୁ ବ୍ୟାଙ୍କକୁ ଆସିଥିଲେ। କିନ୍ତୁ ବ୍ୟାଙ୍କରେ ଋଣ ନହେବାରୁ ସେସବୁ ଅଳଙ୍କାରକୁ ନେଇ ବଂଧକ ରଖି କିଛି ଟଙ୍କା ଆଣିବାକୁ ଯାଉଥିବାବେଳେ ସଙ୍ଗୀତ ମହାବିଦ୍ୟାଳୟ ନିକଟରେ ପଛପଟୁ ଦୁଇଜଣ ଯୁବକ ଏକ ପଲସର ବାଇକରେ ଆସି ହାତରେ ଥିବା ତାଙ୍କ ବ୍ୟାଗଟିକୁ ଝାମ୍ପି ନେଇଥିଲେ। ଯେଉଁଥିରେ ମହିଳା ଜଣଙ୍କର ସମସ୍ତ ଅଳଙ୍କାର ବ୍ୟତୀତ ଆହୁରି ଅନେକ ଜରୁରୀ କାଗଜପତ୍ର ମଧ୍ୟ ରହିଥିଲା।ତେବେ ଝାମ୍ପିବା ସମୟରେ ମହିଳା ଜଣକ ତଳେ ପଡିବା ସହ ଗାଡ଼ିଟି ମଧ୍ୟ ତଳେ ପଡିଯାଇଥିଲା।ଆଉ କିଛି ବୁଝିବା ଆଗରୁ ଦୁର୍ବୁତ୍ତ ମାନେ ସେଠାରୁ ଚମ୍ପଟ ମାରିବାରେ ସଫଳ ହୋଇଥିଲେ।

ପରେ କରଞ୍ଜିଆ ପୋଲିସକୁ ଖବର ଦେବାରୁ ଘଟଣା ସ୍ଥଳରେ ପହଁଚି ସଙ୍ଗେ ସଙ୍ଗେ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତକୁ ଆଗେଇଥିବା ଲକ୍ଷ୍ୟ କରାଯାଇଛି। ତେବେ ଆମେ ଏଠି ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ,ଗତ ୩ତାରିଖ ଦିନ ପୋଲିସ ଲକ୍ଷେ ଟଙ୍କା ଲୁଟ ଘଟଣାରେ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀରୁ ଜଣକୁ ଗିରଫ କରିବା ସହ ତା ନିକଟରୁ ୭୦ହଜାର ଟଙ୍କା ମଧ୍ୟ ଜବତ କରିଥିଲା କରଞ୍ଜିଆ ପୋଲିସ। ଯାହାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ଖୋଦ ଉପଖଣ୍ଡ ପୋଲିସ ଅଧିକାରୀ ଲୁଟେରା ସମ୍ପର୍କରେ ଯେଉଁ ସୂଚନା ଦେଇଥିଲେ ,ତାହା ହେଲା ଧରାପଡିଥିବା ଲୁଟେରା ଗୋପୀ ଦାସ ହେଉଛି “ଏରାଗଲା” ସମ୍ପ୍ରଦାୟର ଓ “ଏରାଗଲା” ହେଉଛନ୍ତି ସେହି ସମ୍ପ୍ରଦାୟ,ଯେଉଁ ସମ୍ପ୍ରଦାୟର ଲୋକମାନେ ବଂଶାନୁକ୍ରମିକ ଧରି ଏଭଳି ଅପରାଧକୁ ନିଜର ବୃତ୍ତି ବୋଲି ବିଶ୍ୱାସ କରନ୍ତି। ତେବେ ଆଜିର ଘଟଣାରେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କରଞ୍ଜିଆ ପୋଲିସ ସମାନ ଦିଗକୁ ଅନୁମାନ କରି ତଦନ୍ତ କରୁଥିବାର ଲକ୍ଷ୍ୟ କରାଯାଇଥିଲେ ବି ଏସବୁ ଘଟଣାର ସ୍ଥାୟୀ ସମାଧାନ ନେଇ ଜିଲ୍ଲା ପୋଲିସ ପ୍ରଶାସନର ଆଭିମୁଖ୍ୟ କଣ ରହୁଛି ତାହାହିଁ ଦେଖିବାକୁ ବାକି ରହିଲା।