ଦିନ ଦିପହରେ ଚାଲିଛି ଲୁଟ୍ପାଟ: ଲୁଟେରାଙ୍କ ଟେର୍ ପାଉନି ପୋଲିସ୍
2/12/2020 at 10:11 PM

ରାଇରଙ୍ଗପୁର୨/୧୨: ରାଇରଙ୍ଗପୁର ସହରରେ ଗତ କିଛିଦିନ ହେଲା ଲୁଟେରାମାନେ ଆତଙ୍କ ସୃଷ୍ଟି କରୁଛନ୍ତି। କିନ୍ତୁ ପୋଲିସ୍ ସେମାନଙ୍କ ଟେର୍ ପାଉନି। ଜଣେ ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ସୁଦର୍ଶନ ସେଠି ଓ ତାଙ୍କ ସ୍ତ୍ରୀ ରାଇରଙ୍ଗପୁର ଷ୍ଟେଟ ବ୍ୟାଙ୍କରୁ ନଗଦ ୬୦ ହଜାର ଟଙ୍କା ଉଠାଇ ଅଁଳାଡୁବାସ୍ଥିତ ବାସ ଭବନକୁ ଫେରୁଥିଲେ। ଅଁଳାଡୁବାସ୍ଥିତ ବାଦାମ ବାଇ ୟୁପି ସ୍କୁଲ ସମ୍ମୁଖରେ ଏକ କଳା ରଙ୍ଗର ପଲସର ବାଇକରେ ଦ୍ରୁତଗତିରେ ଦୁର୍ବୃତ୍ତମାନେ ଆସି ତାଙ୍କ ସ୍ତ୍ରୀଙ୍କ ହାତରୁ ପର୍ସ ଛଡାଇ ନେଇଥିଲେ।
ପୂର୍ବରୁ ପର୍ସରେ ଥିବା ପାଞ୍ଚ ହଜାର ଟଙ୍କାକୁ ମିଶାଇ ମୋଟ୍ ୬୫ ହଜାର ଟଙ୍କା ଥିଲା। ଏ ନେଇ ସ୍ବାମୀ-ସ୍ତ୍ରୀ ରାଇରଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଲୁଟ୍ ଘଟଣାରେ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ଏହା କେବଳ ଗୋଟିଏ ଘଟଣା ନୁହେଁ, ମାତ୍ର କିଛିଦିନ ଭିତରେ ଚାରି ପାଞ୍ଚଟି ଲୁଟ୍ ଘଟଣା ଘଟିଛି। ହେଲେ ପୋଲିସ୍ ସେମାନଙ୍କ ଟେର୍ ପାଉନି।