କର୍ମଚାରୀଙ୍କ ମୁଣ୍ଡରେ ରଖିଲେ ବନ୍ଧୁକ, ଆଉ ନେଇଗଲେ ଟଙ୍କା-ସୁନା-ବାଇକ୍
18/11/2023 at 10:02 AM

ସୋର ୧୮।୧୧ : ବନ୍ଧୁକ ମୁନରେ ୪ ଦୁର୍ବୃତ୍ତଙ୍କ ଲୁଟ୍ । ବ୍ୟବସାୟୀଙ୍କ ଠାରୁ ନେଇଗଲେ ୩.୭୦ ଲକ୍ଷ ଟଙ୍କା ସହ ସୁନାଗହଣା ଏବଂ ଗାଡି । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଗୋପାଳପୁର ସଲଟ ରୋଡରେ କାନକଟା ଅଣ୍ଟିଆଚିରା ପୋଲ ନିକଟର ହୋଇଛି ଲୁଟ୍ । ଏନେଇ ଖନ୍ତାପଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଛି ।
ଖବର ଅନୁଯାୟୀ, ସୋର ସ୍ଥିତ ଓଁ ନମଃ ଶିବାୟ ଏଣ୍ଟରପ୍ରାଇଜେସ୍ ସିମେଣ୍ଟ ଦୋକାନର କର୍ମଚାରୀ ଦିଲ୍ଲୀପ କୁମାର ଦାସ ବାକି ଟଙ୍କା ଆଦାୟ ପାଇଁ ଯାଇଥିଲେ । ଟଙ୍କା ଆଦାୟ କରି ବିଳମ୍ବିତ ରାତିରେ ନିଜ ବାଇକ ଯୋଗ ସୋର ଅଭିମୁଖେ ଫେରୁଥିଲେ । ହେଲେ କାନକଟା କଣ୍ଟିଆଚିରା ପୋଲ ନିକଟରେ ଦୁଇ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ବାଇକ୍ରେ ଆସି ଅଟକାଇଥିଲେ । ପରେ ସେଥିରୁ ଜଣେ ଦୁର୍ବୃତ୍ତ କର୍ମଚାରୀଙ୍କ ବାଇକ୍ରେ ବସି ବନ୍ଧୁକ ଲଗାଇ ରାସ୍ତାକଡ଼ରେ ଥିବା ପୋଲ ନିକଟରୁ ନେଇଥିଲେ । ସେଠାରେ ବନ୍ଧୁକ ମୁନରେ ତାଙ୍କ ନିକଟରୁ ମୋବାଇଲ ଫୋନ, ୨ଟି ସୁନା ମୁଦି ଏବଂ ଆଦାୟ କରି ରଖିଥିବା ୩ ଲକ୍ଷ ୭୦ ହଜାର ଟଙ୍କାକୁ ଛଡ଼ାଇ ନେଇଥିଲେ । ପରେ ଦୁର୍ବୁତ୍ତମାନେ ଫୋନ କରି ଅନ୍ୟ ୨ ଦୁର୍ବୃତ୍ତଙ୍କୁ ଡକାଇ ଛଡ଼ାଇ ନେଇଥିବା ସମସ୍ତ ଜିନିଷକୁ ତାଙ୍କୁ ଦେଇଥିଲେ। ପରେ ଦୋକାନ କର୍ମଚାରୀଙ୍କ ବାଇକକୁ ନେଇ ଫେରାର ହୋଇଯାଇଥିଲେ ।