ଗ୍ରାହକ ସାଜି ସୁନାଦୋକାନରୁ ଲୁଟ୍ ! ୩ ଲେଡି ଲୁଟେରାଙ୍କୁ ଅଟକ ରଖି ପୋଲିସ ଜିମା ଦେଲେ ସ୍ଥାନୀୟଲୋକେ

Published By : Prameya-News7 Bureau | December 03, 2020 IST

ଭଦ୍ରକ ୦୩।୧୨: ଗ୍ରାହକ ସାଜି ସୁନା ଦୋକାନରୁ ଲୁଟ୍‌ ଯୋଜନା । ୩ ଜଣ ଲେଡି ଲୁଟେରାଙ୍କୁ ଅଟକ ରଖିଲେ ଗ୍ରାମବାସୀ । କିଛି ସମୟ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତିନି ମହିଳାଙ୍କୁ ଉଦ୍ଧାର କରିଛି । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ରାଣୀତାଲ ବଜାରର ଘଟଣା ।

ଖବର ଅନୁଯାୟୀ, ରାଣୀତାଲ ବଜାରରେ ଥିବା ମା ତାରିଣୀ  ସୁନା ଦୋକାନକୁ ସନ୍ଧ୍ୟା ସମୟରେ ତିନି ଜଣ ମହିଳା ଗ୍ରାହକ ଭାବେ ସୁନା କିଣିବାକୁ ଆସିଥିଲେ ।  କିଛି ସମୟ ଦୋକାନରେ ବୁଲାବୁଲି କରି  ବିଭିନ୍ନ ପ୍ରକାର ଅଳଙ୍କାର ଦେଖିଥିଲେ । ଏହି ସମୟରେ ମହିଳା ମାନେ କିଛି ସୁନା ନିଜର ବ୍ୟାଗ ମଧ୍ୟରେ ରଖିଥିଲେ । ଯାହାକୁ ନେଇ ଦୋକାନୀ ଜଣଙ୍କର ସନ୍ଦେହ ହୋଇଥିଲା । ଏହାପରେ ନିଜ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜରୁ ମହିଳା ମାନେ ସୁନା ଚୋରି କରିଥିବା ଦେଖିବାକୁ ପାଇଥିଲେ ।

ଦୋକାନୀ ଜଣକ ଚତୁରତାର ସହ ସ୍ଥାନୀୟ ଲୋକଙ୍କୁ ଖବର ଦେବା ପରେ ବାହାରୁ ଗ୍ରିଲ ଦେବା ସହ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତିନି ଜଣ ମହିଳାଙ୍କୁ ଉଦ୍ଧାର କରି  ଥାନାକୁ ଆଣି ଅଧିକ ପଚରାଉଚୁରା କରୁଛି । କେଉଁ କାରଣରୁ ଏମାନେ ଦୋକାନ ଭିତରକୁ ଯାଇଥିଲେ ସେନେଇ ପୋଲିସ ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡିଛି । ଗ୍ରାମାଞ୍ଚଳ ପୋଲିସ ଚୋରି ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଜାରି ରଖିଥିବା କହିଛନ୍ତି ଥାନା ଅଧିକାରୀ ଆଲୋକ ଜେନା । ତିନି ଜଣ ମହିଳା ପଂଶ୍ଚିମବଙ୍ଗ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ କେଉଁ କେଉଁ ଚୋରିରେ ଲିପ୍ତ ରହିଛନ୍ତି ସେ ନେଇ କୌଣସି ସ୍ପଷ୍ଠ ସୂଚନା ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.