ଆନନ୍ଦପୁରରେ ପୁଣି ମାତିଲେ ନିଶାଦିଆ ଲୁଟେରା, ଟାର୍ଗେଟରେ ବୁଲା ବିକାଳି
12/02/2023 at 1:46 PM

ଆନନ୍ଦପୁର ୧୨।୦୨ : ଆନନ୍ଦପୁରରେ ମାତିଛନ୍ତି ନିଶାଦିଆ ଲୁଟେରା । ଟାର୍ଗେଟରେ ବୁଲା ବ୍ୟବସାୟୀ । ଲୁଟ୍ର ତରିକା ଗୋଟିଏ ପ୍ରକାର ।ପ୍ରଥମେ ବୁଲା ବ୍ୟବସାୟୀଙ୍କୁ ଅଧିକ ସାମଗ୍ରୀର ଆବଶ୍ୟକତା ଥିବା କହି ସାମଗ୍ରୀ ସହ ବ୍ୟବସାୟୀଙ୍କୁ ନିଜ ବାଇକର୍ ବସାଇ ନେଉଛନ୍ତି । ତାପରେ ସହଯୋଗ ଦେଖାଇ ଚା କିମ୍ବା କୌଣସି ପାନୀରେ ନିଶା ମିଶାଇ ବ୍ୟବସାୟୀଙ୍କୁ ପିଇଆଥାନ୍ତି । ବେହୋଶ ହେବା ପରେ ଲୁଟ୍ପାଟ କରି ବ୍ୟବସାୟୀଙ୍କୁ ରାସ୍ତାକଡ଼ରେ ଫୋପାଡି ଚାଲିଯାଆନ୍ତି ।ଗତ ମାସରେ ଆନନ୍ଦପୁର ଉପଖଣ୍ଡରେ ଏପରି ଘଟଣା ଘଟିଥିବା ବେଳେ ଆଜି ପୁଣି ଏମିତି ଘଟଣା ସାମ୍ନାକୁ ଆସିଛି ।
ଖବର ଅନୁଯାୟୀ, ଆନନ୍ଦପୁର ଥାନା ଫକୀରପୁର ଗାଁର ମୁଢୀ ବ୍ୟବସାୟୀ କାହ୍ନୁଚରଣ ନାହକ ଏମିତି ଲୁଟ୍ର ଶିକାର ହେଉଛନ୍ତି । ଶନିବାରଠୁ ମୁଢି ବିକିବାକୁ ବାହାରିଥିବା କାହ୍ନୁଙ୍କୁ ରବିବାର ଘସିପୁର ଥାନା ଚମୁହିଁ ରାସ୍ତାକଡ଼ରେ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶନିବାର ଘସିପୁର ପେଟ୍ରୋଲ ପମ୍ପ ନିକଟରେ ଜଣେ ବ୍ୟକ୍ତି ଅଧିକ ମୁଢି ଆବଶ୍ୟକତା କହି ବାଇକ୍ରେ ବସାଇ ନେଇଥିଲେ । କାହ୍ନୁ ତାଙ୍କ ସାଇକେଲ୍କୁ ପେଟ୍ରୋଲ ପମ୍ପ ନିକଟରେ ଛାଡି ଯାଇଥିଲେ , ହେଲେ ଆଉ ଫେରିନଥିଲେ । ଶେଷରେ କ୍ଷତାକ୍ତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ଦୀର୍ଘଦିନ ହେବ ବୁଲା ବ୍ୟବସାୟୀଙ୍କୁ ଟାର୍ଗେଟ କରିଚାଲିଛନ୍ତି ଲୁଟେରା । ପୋଲିସ ଲୁଟେରାଙ୍କ ସଂପର୍କରେ କୌଣସି ଟେର୍ ପାଉନାହିଁ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।