ଦିନ ଦ୍ବିପ୍ରହରରେ ଝାରସୁଗୁଡା ସହରର ସରବାହାଲରେ ଡକାୟତି

Published By : Prameya-News7 Bureau | October 01, 2018 IST

ଝାରସୁଗୁଡା ୧/୧୦ : ଝାରସୁଗୁଡାର ସବୁଠୁ ଜନଗହଳିପୂର୍ଣ୍ଣ ଅଂଚଳ ସରବାହାଲରେ ଦିନ ଦ୍ବିପ୍ରହରରେ ଡକାୟତି ହୋଇଛି | ଡକାୟତମାନେ ବିଜୟ ଝୁନଝୁନୱାଲାଙ୍କ ଘରେ ପଶି ବନ୍ଧୁକ ମୁନରେ ଲୁଟ କରିଛନ୍ତି | ଖବର ନେବାରେ ଜଣାପଡିଛି ଯେ, କଣ୍ଟ୍ରାକ୍ଟର ବିଜୟ ଝୁନଝୁନୱାଲାଙ୍କ ଘରେ ଆଜି ଶ୍ରାଦ୍ଧ ଥିଲା | ସେଥିପାଇଁ ବ୍ରାହ୍ମଣ ଭୋଜନ ଚାଲିଥିଲା | ଏହି ସମୟରେ ୫ ଜଣ ଡକାୟତ ବନ୍ଧୁକ ଧରି ତାଙ୍କ ଘର ଭିତରକୁ ପଶିଥିଲେ | ପରିବାରର ସମସ୍ତ ସଦସ୍ୟଙ୍କୁ ବାଥରୁମରେ ବନ୍ଦ କରି ରଖିଦେଲା ପରେ ଘରର ଗୋଟିଏ ଆଲମିରାରୁ ନଗଦ ୮ ହଜାର ଟଙ୍କା ଓ କିଛି ସୁନାଗହଣା ପାଇଥିଲେ | ଏହା ପରେ ଡକାୟତମାନେ ପରିବାର ସଦସ୍ୟଙ୍କ ସହ ଦୀର୍ଘ ଘଂଟାଏ କାଳ ଧରି କଥାବାର୍ତା କରିଥିଲେ | ବିଜୟ ଝୁନଝୁନୱାଲାଙ୍କ ଘରେ ୬୦ ଲକ୍ଷ ଟଙ୍କା ନଗଦ ରାଶି ଥିବା ଖବର ମିଳିବାରୁ ସେମାନେ ଡକାୟତି କରିବାକୁ ଆସିଥିଲେ ବୋଲି କହିଥିଲେ | ୫ଜଣ ଯାକ ଡକାୟତ କେହି ମୁଖା ପିନ୍ଧିନଥିଲେ | ବାଇକରେ କି କୌଣସି ବଡ ଗାଡ଼ିରେ ସେମାନେ ଆସିଥିଲେ ତାହା ମଧ୍ୟ ଜଣାପଡିନାହିଁ | କାରଣ ସେମାନେ ଚାଲିଚାଲି ବିଜୟ ଝୁନଝୁନୱାଲାଙ୍କ ଘରେ ପଶିଥିଲେ | ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି | ଡକାୟତ ମାନେ ଲୁଟ କରିଥିବା ସମ୍ପତ୍ତିର ପରିମାଣ ୫ ଲକ୍ଷ ଟଙ୍କା ହେବା ବୋଲି ଅନୁମାନ କରାଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.