ମଦ ଦୋକାନ ଖୋଲିବା ପୂର୍ବରୁ ଦୋକାନ ବାହାରେ ଲୋକଙ୍କ ଲମ୍ବା ଲାଇନ୍ : ସାମାଜିକ ଦୂରତାକୁ ଅବମାନନା, ପୋଲିସର ଲାଠି ଚାର୍ଜ

Published By : Prameya-News7 Bureau | May 04, 2020 IST

ନୂଆଦିଲ୍ଲୀ ୦୪/୦୫ : ଆଜିଠାରୁ ତୃତୀୟ ପର୍ଯ୍ୟାୟ ଲକଡାଉନ ଆରମ୍ଭ ହୋଇଛି | ଆଜିଠାରୁ ଦେଶର ସମସ୍ତ ଜୋନରେ ମଦ ଦୋକାନ ଖୋଲାଯିବ ବୋଲି ଘୋଷଣା ହୋଇଥିଲା | ରେଡ ଜୋନରେ ମଧ୍ୟ ସକାଳ ୯ଟା ରୁ ମଦ ଦୋକାନ ଖୋଲାଯାଇଛି | ତେବେ ରେଡ ଜୋନ ରେ ମଧ୍ୟ କଣ୍ଟେନମେଣ୍ଟ ଏରିଆରେ ନଥିବା ମଦ ଦୋକାନ ଖୋଲିବାକୁ ଅନୁମତି ମିଳିଛି | କିନ୍ତୁ ଦୋକାନ ଖୋଲିବା ପୂର୍ବରୁ ହିଁ ଦୋକାନ ବାହାରେ ଲୋକଙ୍କ ଲମ୍ବା ଲାଇନ ଲାଗିଥିଲା | ଲୋକେ ସକାଳ ୭ଟା ରୁ ଆସି ମଦ ଦୋକାନ ବାହାରେ ଦୋକାନ ଖୋଲିବାର ଅପେକ୍ଷା କରିରହିଥିଲେ |

ପୂର୍ବାଞ୍ଚଳ ଦିଲ୍ଲୀର ଚନ୍ଦ୍ର ବିହାରରେ ଥିବା ଏକ ମଦ ଦୋକାନ ବାହାରେ ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା | ସକାଳ ସାଢେ ୮ଟା ବେଳେ ଦୋକାନ ବାହାରେ ଲମ୍ବା ଲାଇନ ଥିଲା | ଦିଲ୍ଲୀରେ ମଦ ଦୋକାନ ଖୋଳାଯିବାକୁ ନେଇ ଅବକାରୀ ବିଭାଗ ଦ୍ୱାରା ଜାରି କରାଯାଇଥିବା ନିର୍ଦେଶ ଅନୁଯାୟୀ, ମଲ, ମାର୍କେଟ କମ୍ପ୍ଲେକ୍ସ ଏବଂ ସାଧାରଣ ମାର୍କେଟରେ ମଦ ଦୋକାନ ବନ୍ଦ ରହିବ | ସକାଳ ୯ଟା ରୁ ସନ୍ଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ |

ଗୃହ ମନ୍ତ୍ରାଳୟର ଦିଗ ନିର୍ଦେଶ ଅନୁଯାୟୀ, ଦୋକାନ ଖୋଲିବାର ପୁରା ଦାୟିତ୍ୱ ଡିଏସିଆଇଆଇଡ଼ିସି, ଡିଟିଟିଡିସି, ଡ଼ିଏସସିଏସସି, ଡ଼ିସିସିଡ଼ବ୍ଲୁଏସ ର ହେବ | ପ୍ରତ୍ୟେକ ଦୋକାନ ବାହାରେ ସୁରକ୍ଷାକର୍ମୀ ନିୟୋଜିତ କରାଯିବ | ଥରକେ ଦୋକାନକୁ ୫ରୁ ଅଧିକ ଲୋକ ଯାଇପାରିବେ ନାହିଁ |

ସକାଳ ସାଢେ ୧୦ଟା ସମୟରେ ମଦ ଦୋକାନ ସମ୍ମୁଖରେ ଭିଡ ବଢୁଥିବା ଦେଖି ପୋଲିସ ଜନତାଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ ବୁଝାଇଥିଲା | କିନ୍ତୁ ଅମାନିଆ ଲୋକେ ପୋଲିସ କଥାକୁ ଖାତିର କରିନଥିଲେ | ଫଳରେ ପୋଲିସ ଲାଠି ଚାର୍ଜ କରିବାକୁ ବାଧ୍ୟ ହୋଇଥିଲା | ପୋଲିସର ଲାଠି ଚାର୍ଜ ପରେ ଅନେକ ଲୋକ ସେଠାରୁ ପଳାଇଥିଲେ |

ଉତ୍ତର ପ୍ରଦେଶ ହାପୁଡ ଜିଲ୍ଲାରେ ମଧ୍ୟ ଆଜି ସକାଳୁ ମଦ ଦୋକାନ ଖୋଲିଚି | ଲୋକେ ସକାଳ ୬ଟା ରୁ ମଦ କିଣିବା ପାଇଁ ଦୋକାନ ସାମ୍ନାରେ ଲାଇନ କରିଥିଲେ | ହାପୁଡ ଜିଲ୍ଲା ଅଧିକାରୀ ସକାଳ ୭ଟା ରୁ ୧୦ ତା ଯାଏଁ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି | ଲୋକେ ସାମାଜିକ ଦୂରତା ପାଳନ ନ କରି ମଦ ଦୋକାନ ସାମ୍ନାରେ ଭିଡ କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.