୫ଟି ରାଜ୍ୟରେ ଏକକାଳୀନ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷିତ ; ଡିସେମ୍ବର ୧୧ ତାରିଖରେ ଭୋଟ ଗଣତି

Published By : Prameya-News7 Bureau | October 06, 2018 IST

ଦିଲ୍ଲୀ ୬/୧୦ : ୫ଟି ରାଜ୍ୟ ପାଇଁ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ | ଏହି ୫ଟି ରାଜ୍ୟ ହେଲା ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ମିଜୋରାମ ଏବଂ ତେଲେଙ୍ଗାନା | ଏହି ସବୁ ରାଜ୍ୟରେ ଏକକାଳୀନ ନିର୍ବାଚନ ହେବ ଏବଂ ଡିସେମ୍ବର ୧୫ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସାରିବା ବୋଲି ମୁଖ୍ୟ ନିର୍ବାଚନ କମିଶନ ଆଜି ଦିଲ୍ଲୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି | ସମସ୍ତ ରାଜ୍ୟର ଭୋଟ ଗଣତି ଡିସେମ୍ବର ୧୧ ତାରିଖରେ ହେବ | ଏହି ସବୁ ରାଜ୍ୟ ମଧ୍ୟରୁ ଛତିଶଗଡ଼ରେ ନଭେମ୍ବର ୧୨ ତାରିଖ ଓ ୨୦ ତାରିଖରେ ଦୁଇଟି ପର୍ଯ୍ୟାୟରେ ମତ ଗ୍ରହଣ ହେବ | ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଅକ୍ଟୋବର ୧୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ | ଅକ୍ଟୋବର ୨୬ ତାରିଖ ପ୍ରାର୍ଥୀ ପତ୍ର ଦାଖଲର ଶେଷ ତାରିଖ ହେବ | ନଭେମ୍ବର ୧୨ ତାରିଖରେ ଛତିଶଗଡ଼ର ୧୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତ ଗ୍ରହଣ ହେବ | ୨୦ ତାରିଖରେ ଅବଶିଷ୍ଟ ୭୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତ ଗ୍ରହଣ ହେବ | ସେହିଭଳି ମଧ୍ୟ ପ୍ରଦେଶ ଏବଂ ମିଜୋରାମର ମତ ଗ୍ରହଣ ନଭେମ୍ବର ୨୮ ତାରିଖରେ ହେବ | ଅନ୍ୟ ପକ୍ଷରେ ତେଲେଙ୍ଗାନା ଏବଂ ରାଜସ୍ଥାନରେ ଡିସେମ୍ବର ୭ତାରିଖରେ ମତ ଗ୍ରହଣ ହେବ | ସୂଚନାଯୋଗ୍ୟ ଯେ, ନଭେମ୍ବର ୨ ତାରିଖରେ ମଧ୍ୟ ପ୍ରଦେଶ ଓ ମିଜୋରାମ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ | ଏହି ଦୁଇ ରାଜ୍ୟର ପ୍ରାର୍ଥୀ ପତ୍ର ଦାଖଲ କରିବା ଶେଷ ତାରିଖ ନଭେମ୍ବର ୯ ତାରିଖ ବୋଲି ଧାର୍ଯ୍ୟ କରାଯାଇଛି | ସୂଚନାଯୋଗ୍ୟ ଯେ, ୫୦ ସଦସ୍ୟ ବିଶିଷ୍ଟ ମିଜୋରାମ ବିଧାନସଭାର କାର୍ଯ୍ୟକାଳ ଡିସେମ୍ବର ୧୫ରେ ସରୁଛି | ସେହିଭଳି ୯୦ ସଦସ୍ୟ ବିଶିଷ୍ଟ ଛତିଶଗଡ଼ ବିଧାନସଭାର କାର୍ଯ୍ୟକାଳ ୨୦୧୯ ମସିହା ଜାନୁଆରୀ ୫ତାରିଖରେ ସରୁଛି | ୨୩୦ ସଦସ୍ୟ ବିଶିଷ୍ଟ ମଧ୍ୟ ପ୍ରଦେଶ ବିଧାନସଭାର କାର୍ଯ୍ୟକାଳ ୨୦୧୯ ମସିହା ଜାନୁଆରୀ ୭ତାରିଖରେ ସରୁଛି | ସେହିଭଳି ୨୦୦ ସଦସ୍ୟ ବିଶିଷ୍ଟ ରାଜସ୍ଥାନ ବିଧାନସଭାର କାର୍ଯ୍ୟକାଳ ୨୦୧୯ ମସିହା ଜାନୁଆରୀ ୨୦ ତାରିଖରେ ସରୁଛି | ଅନ୍ୟ ପକ୍ଷରେ ଆଗୁଆ ନିର୍ବାଚନ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଗତମାସରେ କାର୍ଯ୍ୟକାଳ ସାରିବା ପୂର୍ବରୁ ତେଲେଙ୍ଗାନା ବିଧାନସଭାକୁ ଭଙ୍ଗ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.