ବୋରୱେଲରୁ ଜୀବିତ ଉଦ୍ଧାର ହୋଇପାରିଲାନି ଲୋକେଶ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ୪ ଲକ୍ଷ ଟଙ୍କାର କ୍ଷତିପୂରଣ
15/03/2023 at 6:49 PM

ବିଦିଶା ୧୫।୩: ମଧ୍ୟପ୍ରଦେଶ ବିଦିଶା ଜିଲ୍ଲା ଲଟେରୀ ତହସିଲ ଆନନ୍ଦପୁର ଗାଁରେ ଖୋଲା ମୁହଁ ବୋରୱେଲକୁ ଗଳିପଡିଥିବା ଲୋକେଶ ଜୀବନ ଯୁଦ୍ଧ ହାରି ଯାଇଛି। ୨୪ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଲୋକେଶକୁ ବୋରୱେଲରୁ ଜୀବିତ ଉଦ୍ଧାର କରାଯାଇଥିଲା। ତେବେ ହସ୍ପିଟାଲ ଯିବା ରାସ୍ତାରେ ତାର ମୃତ୍ୟୁ ହୋଇଛି। ଡାକ୍ତର ତାକୁ ମୃତ ଘୋଷଣା କରିଥିବା ବେଳେ ଶବକୁ ପୋଷ୍ଟମର୍ଟମ ଲାଗି ପଠାଇ ଦିଆଯାଇଛି।
ଘଟଣାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଦୁଃଖ ପ୍ରକାଶ କରିବା ସହ ଲୋକେଶର ପରିବାର ଲୋକଙ୍କ ନିମନ୍ତେ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ବିଲରେ ବୋରୱେଲ ଖୋଳି ପରିତ୍ୟକ୍ତ ଛାଡି ଦେଇଥିବା ଚାଷୀଙ୍କ ବିରୋଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଛଡା ପ୍ରଶାସନକୁ ଜିଲ୍ଲାରେ ଏପରି ଖୋଳା ହୋଇ ପରିତ୍ୟକ୍ତ ଛାଡି ଦିଆଯାଇଥିବା ବୋରୱେଲ ଗୁଡିକର ସମୀକ୍ଷା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ ଯେ ଲୋକେଶ ପରିବାର ଲୋକଙ୍କ ସହିତ ମଙ୍ଗଳବାର ବିଲକୁ ଯାଇଥିବା ବେଳେ ଖୋଲାମୁହାଁ ବୋରୱେଲକୁ ଗଳି ପଡିଥିଲା। ବିଲରେ ଧନିଆ ଚାଷ ହୋଇଥିଲା, ଏଣୁ ଲୋକେଶ ଧନିଆ ଖେତରେ ଖୋଲା ବୋରୱେଲକୁ ଦେଖି ନ ପାରି ଖସିପଡିଥିଲା। ପୁଅ ବୋରୱେଲକୁ ଗଳିପଡିଥିବା ଜାଣିବା ପରେ ପରିବାର ଲୋକେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ପୋଲିସ ଏ ବାବଦେ ଜିଲ୍ଲା ପ୍ରଶାସନକୁ ଖବର ଦେବା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।