ପୁରୁଣା ସଂସଦ ଭବନ ଇତିହାସ, ଗଣେଶ ପୂଜାରେ ନୂଆ ପାର୍ଲିଆମେଣ୍ଟରେ ଅଧିବେଶନ
19/09/2023 at 9:25 AM

ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନ ସୋମବାରଠୁ ଆରମ୍ଭ ହୋଇଛି । ପ୍ରଥମ ଦିନ ପୁରୁଣା ସଂସଦ ଭବନରେ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ପରେ ଗୃହ ମୁଲତବି ହୋଇଥିଲା । ତେବେ ଆଜି ଗଣେଶ ଚତୁର୍ଥୀରୁ ନୂଆ ସଂସଦ ଭବନରେ ଗୃହକାର୍ଯ୍ୟ ଆରମ୍ଭ ହେବ । ଅପରାହ୍ନ ୧ଟା ୧୫ରେ ଲୋକସଭା ଓ ୨ଟା ୧୫ରେ ରାଜ୍ୟସଭା ଆରମ୍ଭ ହେବ । ୨୨ ତାରିଖ ପର୍ଯ୍ୟନ୍ତ ଏଠାରେ ଅଧିବେଶନ ଚାଲିବ । କ୍ଷୁଦ୍ର ଏବଂ ବିଶେଷ ଅଧିବେଶନରେ ୮ଟି ବିଲ୍ ଉପରେ ବିତର୍କ ହେବାର ସମ୍ଭାବନା ରହିଛି ।
ସୂଚନା ଅନୁଯାୟୀ, ମଙ୍ଗଳବାର ସଂସଦର ମିଳିତ ଅଧିବେଶନରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ମୋଦି, ଲୋକସଭା ବାଚସ୍ପତି ଓମ୍ ବିର୍ଲା, ପୀୟୁଷ ଗୋଏଲ୍, ରାଜ୍ୟସଭାରେ ବିରୋଧୀ ନେତା ମଲ୍ଲିକାର୍ଜୁନ ଖଡ଼ଗେ, ଅଧୀର ରଞ୍ଜନ ଚୌଧୁରୀ ପ୍ରମୁଖ ଭାଷଣ ଦେବେ । ଏହାଛଡ଼ା ମେନକା ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ଓ ଶିବୁ ସୋରେନ୍ ମଧ୍ୟ ନିଜର ବକ୍ତବ୍ୟ ରଖିପାରନ୍ତି । ପୁରୁଣା ସଂସଦରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ହ୍ୱିଲ୍ ଚେୟାରରେ ରାଜ୍ୟସଭା ଗୃହକାର୍ଯ୍ୟରେ ସାମିଲ ହୋଇଥିଲେ ।
ସେପଟେ ବିଆର୍ଏସ୍ର ସାଂସଦମାନେ ମହିଳା ସଂରକ୍ଷଣ ବିଲ୍ ସମର୍ଥନରେ ଗୋଲାପୀ ରଙ୍ଗର ପୋଷ୍ଟର ପ୍ରଦର୍ଶନ କରିଥିଲେ । ଅନ୍ୟପଟେ ନୂଆ ସଂସଦ ଭବନ ପରିସରରେ ସମ୍ବିଧାନର କପିଗୁଡ଼ିକ ପହଞ୍ଚିଛି । କେନ୍ଦ୍ର ସରକାର ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ସ୍ୱତନ୍ତ୍ର ଅଧିବେଶନରେ ମୋଟ ୫ ଦିନ ଗୃହକାର୍ଯ୍ୟ ଚାଲିବ । ଏହି ସମୟରେ ମୋଟ୍ ୪ଟି ବିଲ୍ ଆଗତ କରାଯାଇପାରେ । ବରିଷ୍ଠ ନାଗରିକଙ୍କ ପାଇଁ ଏକ ବିଲ୍ ଆସିବାକୁ ଥିବା ବେଳେ ଏସ୍ସି/ଏସ୍ଟି ସଂକ୍ରାନ୍ତ ୩ଟି ବିଲ୍ ଏଜେଣ୍ଡାରେ ରହିଛି । ମୋଟ୍ ୮ଟି ବିଲ୍ ଉପରେ ବିତର୍କ କରାଯାଇ ଏହାକୁ ପାରିତ ପାଇଁ ଉଦ୍ୟମ କରାଯିବ ।