୨୦୨୪ ଅଗ୍ନି ପରୀକ୍ଷା; ଚାଲିଛି ମତଦାନ, ପଶ୍ଚିମବଙ୍ଗ, ମଣିପୁର, ବିହାର ଓ ଛତିଶଗଡ଼ରେ ହିଂସା

Published By : Prameya-News7 Bureau | April 19, 2024 IST

ନୂଆଦିଲ୍ଲୀ: ଚାଲିଛି ୨୦୨୪ ଲୋକସଭା ପରୀକ୍ଷା । ନେତାଙ୍କ ଭାଗ୍ୟ ନିର୍ଦ୍ଦାରଣ କରୁଛନ୍ତି ଜନତା । ପ୍ରାୟ ୧୬.୬୩ କୋଟି ଭୋଟର ଆଗାମୀ ୫ ବର୍ଷ ପାଇଁ ନେତା ବାଛୁଛନ୍ତି । ସାରା ଦେଶରେ ଜାରି ରହିଛି ପ୍ରଥମ ପର୍ଯ୍ୟାୟ ମତଦାନ । ସକାଳୁ ଆରମ୍ଭ ହୋଇ ସଂଧ୍ୟା ୬ଟାରେ ଶେଷ ହେବ ଭୋଟିଂ । ତେବେ ଭୋଟିଂ ବେଳେ କିଛି ସ୍ଥାନରେ ହିଂସାତ୍ମକ ଘଟଣା ଦେଖିବାକୁ ମିଳିଛି । ବିଶେଷ କରି ପଶ୍ଚିମବଙ୍ଗ, ତାମିଲନାଡ଼ୁ, ମଣିପୁରରେ ଓ ବିହାର ଏହି ନିର୍ବାଚନୀ ହିଂସା ଘଟଣା ସାମ୍ନାକୁ ଆସିଛି ।

ପଶ୍ଚିମବଙ୍ଗରେ ସନ୍ଦେଶଖାଲି ଓ କୁଚବିହାର ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ତୃଳମୂଳ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି କର୍ମକର୍ତ୍ତାଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଉଭୟ ଦଳ ଭୋଟରଙ୍କୁ ଭୟଭୀତ କରୁଥିବା ଅଭିଯୋଗ ହୋଇଛି । ମତଦାନ କେନ୍ଦ୍ରରେ ବସିଥିବା ଏଜେଣ୍ଟ ମାନଙ୍କୁ ଆକ୍ରମଣ ହୋଇଥିବା କୁହାଯାଉଛି । ଉଭୟ ଦଳ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଛି ।     

ସେହିପରି ମଣିପୁରର ବିଷ୍ଣୁପୁର ଜିଲ୍ଲାରେ ପୋଲିଂ ବୁଥରେ ଭୋଟିଂ ହେଳେ ଗୁଳି ବିନିମୟ ହୋଇଅଛି । ଯେଉଁଥିରେ ତିନି ଜଣ ଆହତ ହୋଇଥିଲେ। ଏହି ଘଟଣା ବିଷ୍ଣୁପୁର ଜିଲ୍ଲାର ଥାମାନପୋକପି କେନ୍ଦ୍ରରେ ଘଟିଛି। କହିବାକୁ ଗଲେ ଆଜି ରାଜ୍ୟର ଦୁଇଟି ଆସନ ଭିତର ମଣିପୁର ଏବଂ ବାହ୍ୟ ମଣିପୁରରେ ଭୋଟ୍ ଗ୍ରହଣ ହେଉଛି। ଏହା ବ୍ୟତୀତ ଏପ୍ରିଲ ୨୬ ରେ ମଣିପୁରର ବାହାର ହିଂସା ପ୍ରଭାବିତ ଅଞ୍ଚଳର କେତେକ ବୁଥରେ ଭୋଟିଂ ମଧ୍ୟ ଅନୁଷ୍ଠିତ ହେବ।

ଛତିଶଗଡ଼ ବିଜାପୁରରେ ନିର୍ବାଚନ ବେଳେ ଆଇଇଡି ବିସ୍ଫୋରଣ ହୋଇଛି । ଏଥିରେ ଜଣେ ସିଆରପିଏଫ୍ ଅଧିକାରୀ ଆହତ ହୋଇଛନ୍ତି । ଇଲେକ୍ସନ ଡିଟ୍ୟୁରେ ଥିବାବେଳେ ଏହି ଅଘଟଣ ଘଟିଛି । 

ବିହାର ଓୌରଙ୍ଗାବାଦ ନେହୁଟା ବୁଥ୍ ସଂଖ୍ୟା-୯୭ରେ ମାତ୍ର ୩ଜଣ ମତଦାନ କରିଛନ୍ତି । ଗ୍ରାମବାସୀଙ୍କ କହିବା କଥା ମୌଳିକ ସୁବିଧା ଠାରୁ ଏହି ଗାଁ ବହୁ ଦୂରରେ ରହିଛି । ନେତାଙ୍କୁ ରୁଗୁଣ ମାନସିକତା ପାଇଁ ଏଠାରେ ବିକାଶମୂଳକ ଯୋଜନା ପହଞ୍ଚି ପାରୁନାହିଁ । ଭୋଟ୍ କ’ଣ ଜାଣି ନାହାନ୍ତି ଲୋକ । ତେଣୁ ମୋଟ୍ ୯୪୪ ଭୋଟରଙ୍କ ମଧ୍ୟରୁ ମାତ୍ର ୩ଜଣ ମତସାବ୍ୟସ୍ତ କରିଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.