ସୋମବାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ; ୯ ରାଜ୍ୟ ଓ ୧ କେନ୍ଦ୍ରଶାସିତ ପ୍ରଦେଶର ୯୬ ଆସନରେ ଭୋଟିଂ

Published By : Prameya-News7 Bureau | May 12, 2024 IST

ନୂଆଦିଲ୍ଲୀ,୧୨।୫: ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଶନିବାରଠୁ ପ୍ରଚାର ଥମିଛି । ଏହି ପର୍ଯ୍ୟାୟରେ ୯ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶର ୯୬ ଲୋକସଭା ଆସନରେ ହେବ ମତଦାନ । ୧୩ ତାରିଖ ଅର୍ଥାତ୍ ସୋମବାର ଦିନ ଭୋଟ୍ ଗ୍ରହଣ ହେବ । ଆନ୍ଧ୍ରପ୍ରଦେଶର ସମସ୍ତ ୨୫ ଆସନ ଓ ତେଲଙ୍ଗାନାର ସମସ୍ତ ୧୭ ଆସନ ରହିଛି । ଏହା ବ୍ୟତୀତ ଉତ୍ତରପ୍ରଦେଶର ୧୩, ମହାରାଷ୍ଟ୍ରର ୧୧, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର ୮ ଲେଖାଏ, ବିହାରର ୫, ଓଡ଼ିଶା ଓ ଝାଡଖଣ୍ଡର ୪ ଲେଖାଏ ଏବଂ ଜମ୍ମୁ-କାଶ୍ମୀରର ଗୋଟିଏ ଆସନରେ ମତଦାନ ହେବ ।

ଆନ୍ଧ୍ରପ୍ରଦେଶର ୧୭୫ ବିଧାନସଭା ଆସନ ପାଇଁ ମଧ୍ୟ ସୋମବାର ଭୋଟ୍ ଗ୍ରହଣ କରାଯିବ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମୋଟ୍ ୧୭୧୭ଜଣ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି । ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ଅଖିଳେଶ ଯାଦବ କନୌଜ ସିଟରୁ ଲୋକତଭା, ଓମାର ଅବଦୁଲ୍ଲା ଶ୍ରୀନଗର, ଗିରିରାଜ ସିଂହ ବେଗୁସରାଇ, ଅର୍ଜୁନ ମୁଣ୍ଡା ଖୁଣ୍ଟି, ଅଧିର ରଞ୍ଜନ ଚୌଧୁରୀ ବରହମପୁର, ମହୁଆ ମୋଇତ୍ର କ୍ରିଷ୍ଣାନଗର, ଶତ୍ରୁଘ୍ନ ସିହ୍ନା ଆସନସୋଲ, ଆସଦୁଦ୍ଦିନ ଓୱେସି ହାଇଦ୍ରାବାଦ ଏବଂ ୱାଇଏସ୍‌ ଶର୍ମିଳା କଡପ୍ପା ଆସନରୁ ନିର୍ବାଚନ ଲଢ଼ୁଛନ୍ତି । ଯେଉଁ ୯୬ ଆସନରେ ମତଦାନ ହେବାକୁ ଯାଉଛି ସେଥିରୁ ୨୦୧୯ରେ ବିଜେପି ୪୨ଟିରେ ବିଜୟୀ ହୋଇଥିବା ବେଳେ ୱାଇଏସ୍‌ଆର କଂଗ୍ରେସ ପାର୍ଟି ୨୨, ବିଆରଏସ୍‌ ୯, କଂଗ୍ରେସ ୬, ଟିଏମ୍‌ସି ୪, ଟିଡିପି ୩, ବିଜେଡି, ଏଆଇଏମ୍‌ଆଇଏମ୍‌ ଓ ଶିବସେନା ୨ ଲେଖାଏ ଏବଂ ଏନ୍‌ସିପି, ଏଲ୍‌ଜେପି, ଜେଡିୟୁ ଓ ଏନ୍‌ସି ଗୋଟିଏ ଲେଖାଏ ଆସନରେ ବିଜୟୀ ହୋଇଥିଲେ ।

ଚତୁର୍ଥ ପର୍ଯ୍ୟାୟ ମତଦାନ ସରିଲେ ୨୩ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ନିର୍ବାଚନ ଶେଷ ହେବ । ଏଥିସହ ଲୋକସଭାର ମୋଟ୍ ୫୪୩ ଆସନ ମଧ୍ୟରୁ ୩୮୧ଟିରେ ମତଦାନ ସରିବ । ପୂର୍ବରୁ ୩ଟି ପର୍ଯ୍ୟାୟରେ ୨୮୫ ଆସନରେ ଭୋଟ୍ ଗ୍ରହଣ ଶେଷ ହୋଇଛି । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟରେ ୧୦୨ ଆସନରେ ଭୋଟ ହୋଇଥିଲା ବେଳେ ଏପ୍ରିଲ ୨୬ରେ ଦ୍ୱିତୀୟ ପର୍ଯ୍ୟାୟରେ ୮୮ ଆସନ ଏବଂ ମେ ୭ରେ ତୃତୀୟ ପର୍ଯ୍ୟାୟରେ ୯୩ ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୬୬.୧୪, ଦ୍ୱିତୀୟ ପର୍ଯ୍ୟାୟରେ ୬୬.୭୧ ଓ ତୃତୀୟ ପର୍ଯ୍ୟାୟରେ ୬୫.୬୮% ପ୍ରତିଶତ ଭୋଟ ହୋଇଥିଲା ।

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.