ସରିଲା ଚତୁର୍ଥ ପର୍ଯ୍ୟାୟ ଭୋଟ୍, ୯୬ ଲୋକସଭା ଆସନରେ ୬୭ ପ୍ରତିଶତ ମତଦାନ

Published By : Prameya-News7 Bureau | May 14, 2024 IST

ନୂଆଦିଲ୍ଲୀ:  ସରିଲା ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ । ଏହି ପର୍ଯ୍ୟାୟରେ ୯ ରାଜ୍ୟ  ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୬  ଆସନରେ ୧୭୧୭ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ତେବେ ନିର୍ବାଚନ କମିଶନଙ୍କ ସୂଚନା ମୁତାବକ, ମତଦାନ ହାର ୬୭.୨୫ ପ୍ରତିଶତ ରହିଛି ।  ୨୦୧୯ ନିର୍ବାଚନରେ ୬୮.୮ ପ୍ରତିଶତ ମତଦାନ ହୋଇଥିଲା । 

ପଶ୍ଚିମବଙ୍ଗରେ ସର୍ବାଧିକ ୭୬.୨ ଏବଂ  ଜମ୍ମୁ-କାଶ୍ମୀରରେ ସର୍ବନିମ୍ନ ୩୬.୮୮ ପ୍ରତିଶତ ମତଦାନ ହୋଇଛି । ଆନ୍ଧ୍ରପ୍ରଦେଶରେ ୭୬.୫୦ ପ୍ରତିଶତ, ବିହାରରେ ୫୭.୦୬, ଝଡ଼ଖଣ୍ଡରେ ୬୫.୨, ମଧ୍ୟପ୍ରଦେଶରେ ୭୦.୯୮, ମହାରାଷ୍ଟ୍ରରେ ୫୯.୬୪, ତେଲଙ୍ଗାନାରେ ୬୪.୭୪, ଉତ୍ତରପ୍ରଦେଶରେ ୫୮.୦୫ ପ୍ରତିଶତ ମତଦାନ ହୋଇଛି । 

ନିର୍ବାଚନ ବେଳେ ପଶ୍ଚିମବଙ୍ଗ,  ବିହାର ଓ ମହାରାଷ୍ଟ୍ରରେ ହିଂସାତ୍ମକ ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗର ବୋଲପୁରରେ ଜଣେ ଟିଏମ୍‌ସି କର୍ମୀଙ୍କୁ ହତ୍ୟା କରାଯାଇଥିଲା ବେଳେ ଦୁର୍ଗାପୁରରେ ବିଜେପି ଓ ଟିଏମ୍‌ସି   କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି । ବିହାରର   ମୁଙ୍ଗେରରେ ଜଣେ ପୋଲିଂ ଅଧିକାରୀଙ୍କ   ହୃଦ୍‌ଘାତରେ ଜୀବନ ଯାଇଛି । ମୁଙ୍ଗେରର   ଏକ ବୁଥରେ ପୁଲିସ ଓ ସ୍ଥାନୀୟ ଲୋକଙ୍କ   ମଧ୍ୟରେ ଗଣ୍ଡଗୋଳ ଘଟିଛି । ପୁଲିସ ଲାଠି ମାଡ କରିବା ସହ ୨ ଜଣଙ୍କୁ ଗିରଫ କରିଛି ।  ସେହିଭଳି ମହାରାଷ୍ଟ୍ରର ବିଡ୍‌ରେ ଏକ  ନ୍ୟୁଜ ଚ୍ୟାନେଲର ଜଣେ ସାମ୍ବାଦିକଙ୍କର  ହୃଦ୍‌ଘାତରେ ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦେଶ  ଗୁଣ୍ଟୁରରେ ସ୍ଥାନୀୟ ବିଧାୟକ ଆନାବାଥୁନି  ଶିବକୁମାର ଏକ ବୁଥରେ ଜଣେ ଭୋଟରଙ୍କୁ  ଚାପୁଡା ମାରିଛନ୍ତି । ଭୋଟର ଜଣକ ମଧ୍ୟ  ପାଲଟା ମାଡ ମାରିଥିଲେ । ପରେ ବିଧାୟକଙ୍କ  ସମର୍ଥକ ସମ୍ପୃକ୍ତ ଭୋଟରଙ୍କୁ ମାଡ଼ ମାରିଥିବା  ଜଣାପଡିଛି । ବିଧାୟକ ଧାଡ଼ିରେ ନ ଆସିବାରୁ  ଯୁବକ ଜଣକ ଆପତ୍ତି ଉଠାଇଥିଲେ । ଏଥିରେ  ସେ କ୍ଷୁବ୍ଧ ହୋଇପଡିଥିଲେ । 

ଚତୁର୍ଥ ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶର  ସମସ୍ତ ୨୫ ଓ ତେଲଙ୍ଗାନାର ସମସ୍ତ  ୧୭ ଆସନରେ ଭୋଟ ଗ୍ରହଣ ଶେଷ  ହୋଇଛି । ଏହା ବ୍ୟତୀତ ଉତ୍ତରପ୍ରଦେଶର  ୧୩, ମହାରାଷ୍ଟ୍ରର ୧୧, ମଧ୍ୟପ୍ରଦେଶ ଓ  ପଶ୍ଚିମବଙ୍ଗର ୮ ଲେଖାଏ, ବିହାରର  ୫, ଓଡ଼ିଶା ଓ ଝାଡଖଣ୍ଡର ୪ ଲେଖାଏ  ଏବଂ ଜମ୍ମୁ-କାଶ୍ମୀରର ଗୋଟିଏ ଆସନ ତଥା  ଶ୍ରୀନଗରରେ ମତଦାନ ହୋଇଛି ।  ଏଥିସହ ଆନ୍ଧ୍ରପ୍ରଦେଶର ସମସ୍ତ ୧୭୫ ଓ  ଓଡ଼ିଶାର ୨୮ଟି ବିଧାନସଭା ଆସନ ପାଇଁ  ମଧ୍ୟ ଭୋଟ ଗ୍ରହଣ କରାଯାଇଛି । ଆଜି  ଇଭିଏମ୍‌ରେ ସିଲ୍‌ ହୋଇଥିବା ପ୍ରମୁଖ  ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ  ସିଂହ, ଅଜୟ ମିଶ୍ର ଟୋନି, ନିତ୍ୟାନନ୍ଦ ରାୟ,  ଜି.କିଷନ ରେଡ୍ଡୀ, ରାୟ ସାହେବ ଦାନ୍‌ବେ  ଏବଂ ଅର୍ଜୁନ ମୁଣ୍ଡା । ଏଥିସହ ଅଖିଳେଶ  ଯାଦବ, ଓମାର ଅବଦୁଲ୍ଲା, ଅଧିର ରଞ୍ଜନ  ଚୌଧୁରୀ, ମହୁଆ ମୋଇତ୍ର, ଶତ୍ରୁଘ୍ନ ସିହ୍ନା,   ଅସଦୁଦ୍ଦିନ ଓୱେସି ଏବଂ ୱାଇଏସ୍‌ ଶର୍ମିଳା  ମଧ୍ୟ ଭାଗ୍ୟ ପରୀକ୍ଷା କରିଛନ୍ତି ।

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.