୨୦୨୪ ଲୋକସଭା ନିର୍ବାଚନ; ପ୍ରଥମ ୨ଟି ପର୍ଯ୍ୟାୟରେ ମାତ୍ର ୨୩୭ ମହିଳା ପ୍ରାର୍ଥୀ, ଭରସା କରିପାରୁନାହାନ୍ତି ଜାତୀୟ ଦଳ

Published By : Prameya-News7 Bureau | April 18, 2024 IST

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନରେ ଏକ୍ସ ଫ୍ୟାକ୍ଟର ହେବ ମହିଳାଙ୍କ ଭୋଟ୍ । ଅଧାରୁ ଅଧିକ ଭୋଟ୍ ମହିଳାଙ୍କ ନାଁରେ ଯିବ । ଏହାକୁ ନଜରରେ ରଖି କିଛି ରାଜନୈତିକ ପାର୍ଟି ଏଥର ମହିଳା କାର୍ଡ ଖେଳିଛନ୍ତି । ବିଜେଡି ଭଳି ଆଞ୍ଚଳିକ ଦଳ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେଇଛନ୍ତି । ଫଳରେ ସେହି ରାଜ୍ୟରେ ରାଜନୀତି କ୍ଷେତ୍ରରେ ମହିଳାଙ୍କ ପ୍ରତିନିଧିତ୍ବ ବଢ଼ିଛି । 

ଦି କ୍ବାଣ୍ଡମ ହବ୍ ଦୁଇଟି ନିର୍ବାଚନକୁ ନେଇ ବିସ୍ତୃତ ଭାବେ ବିଶ୍ଲେଷଣ କରିଛି । ଏଥିରେ କୁହାଯାଇଛି, ଚଳିତ ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ୍ ମିଳିବା କଥା, ହେଲେ ଏହି ସଂଖ୍ୟା ବହୁତ କମ୍ । ଅଧିକାଂଶ ପାର୍ଟି ମହିଳାଙ୍କୁ ପ୍ରାର୍ଥୀ କରିବା ନେଇ ଭରସା ଦେଇଥିଲା । ହେଲେ ଏଥିରୁ ସେମାନେ ଓହରି ଯାଇଛନ୍ତି । ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଲାଗି ୨୮୩୧ ଜଣ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ହେଲେ ଏଥିରେ ମାତ୍ର ୨୩୭ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ଯାହା ମୋଟ୍ ପ୍ରାର୍ଥୀଙ୍କ ୮.୩ ପ୍ରତିଶତ ।  

ଭାରତୀୟ ଜନତା ପାର୍ଟି, ଜାତୀୟ କଂଗ୍ରେସ ଭଳି ପାର୍ଟି ମହିଳାଙ୍କ ଉପରେ ଭରସା କରିନାହାନ୍ତି । ହେଲେ ଯେଉଁ ରାଜନୈତିକ ଦଳଙ୍କର ଲୋକପ୍ରିୟତା କମ୍, ଯେଉଁ ମାନେ ମିଡିଆ ଚର୍ଚ୍ଚାଠାରୁ ଦୂରରେ ରହିଛନ୍ତି, ଜାତୀୟ ଦଳର ମାନ୍ୟତା ମିଳିନାହିଁ, ସେମାନେ ମହିଳାଙ୍କ ଉପରେ ଭରସା କରିଛନ୍ତି ଏବଂ ସର୍ବାଧିକ ଟିକେଟ୍ ପ୍ରଦାନ ଦେଇଛନ୍ତି । 

ପ୍ରଥମ ଦୁଇଟି ପର୍ଯ୍ୟାୟରେ ୨୩୭ଜଣ ମହିଳାଙ୍କୁ ଲୋକସଭା ନିର୍ବାଚନ ଲାଗି ଟିକେଟ୍ ମିଳିଛି ।  ଏଥିରୁ ୯୨ଜଣ ଜାତୀୟ ଦଳର ମାନ୍ୟତା ମିଳିଥିବା ରାଜନୈତିକ ପାର୍ଟିର ପ୍ରାର୍ଥୀ ରହିଛନ୍ତି । ଏହାଛଡ଼ା ୮୭ଜଣ ମହିଳା ସ୍ବାଧୀନ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ସେହିପରି ଆଞ୍ଚଳକ ଦଳୁ ମାତ୍ର ୧୨ଜଣ ମହିଳାଙ୍କୁ ଟିକେଟ୍ ମିଳିଛି । ମୋଟ୍ ଉପରେ ନଜର ପକାଇଲେ ଜାତୀୟ ଦଳରୁ ମାତ୍ର ୪୬ ପ୍ରାର୍ଥୀ ହୋଇଛନ୍ତି । ଦେଶରେ ବିଜେପି ଓ କଂଗ୍ରେସ ସବୁଠୁ ବଡ଼ ପାର୍ଟି । ହେଲେ ଏହି ଦୁଇ ପ୍ରମୁଖ ଦଳରୁ ସବୁଠୁ କମ୍ ମହିଳା ପ୍ରାର୍ଥୀ ରହିଛନ୍ତି ।  

ପ୍ରଥମ ଦୁଇଟି ପର୍ଯ୍ୟାୟରେ ବିଜେପିରୁ ମାତ୍ର ୧୫ ପ୍ରତିଶତ ମହିଳା ପ୍ରାର୍ଥୀ ହୋଇଛନ୍ତି । ବାମଦଳରୁ ୧୩ ପ୍ରତିଶତ ମହିଳା ରହିଥିବା ବେଳେ କଂଗ୍ରେସରୁ ୧୦ ପ୍ରତିଶତ ଏବଂ ବିଏସପିରୁ ୭ ପ୍ରତିଶତ ମହିଳା ଲୋକସଭା ପ୍ରାର୍ଥୀ ହୋଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.