ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ, ୫୮ ଲୋକସଭା ଆସନରେ ୮୮୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ

Published By : Prameya-News7 Bureau | May 25, 2024 IST

ନୂଆଦିଲ୍ଲୀ ୨୫/୦୫:ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଶନିବାର ମତଦାନ ହେଉଛି । ଏଥିରେ ୭ ରାଜ୍ୟ ଏବଂ ୨ କେନ୍ଦ୍ର ଶାସିତ ଅଞ୍ଚଳର ୫୮ ସିଟ୍‌ରେ ଚାଲିଛି ଭୋଟିଂ । ଜମ୍ମୁ-କାଶ୍ମୀରର ଅନନ୍ତନାଗରଜୌରୀ ସିଟ୍‌ରେ ତୃତୀୟ ପର୍ଯ୍ୟାୟରେ ମତଦାନକୁ ସ୍ଥଗିତ ରଖାଯାଇଥିଲା । ଏବେ ଷଷ୍ଠ ପର୍ଯ୍ୟାୟରେ ଏଠାରେ ଭୋଟ ଗ୍ରହଣ କରାଯାଉଛି । 

୨୦୧୯ରେ ଏହି ସିଟ୍‌ଗୁଡ଼ିକରେ ବିଜେପିକୁ ସର୍ବାଧିକ ୪୦, ବସପାକୁ ୪, ବିଜେଡିକୁ ୪, ସପା ୧, ଜେଡିୟୁ ୩, ଟିଏମ୍‌ସି ୩, ଏଲ୍‌ଜେପି ୧, ଏଜେଏସ୍‌ୟୁକୁ ଗୋଟିଏ ଆସନ ମିଳିଥିଲା । କଂଗ୍ରେସ ଏବଂ ଆପ୍‌ ଖାତା ଖୋଲିପାରି ନଥିଲେ । ଷଷ୍ଠ ପର୍ଯ୍ୟାୟରେ ଏହି ପର୍ଯ୍ୟାୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୃଷ୍ଣପାଲ ସିଂ ଗୁର୍ଜର ଏବଂ ରାଓ ଇନ୍ଦ୍ରଜିତ୍‌ ସିଂ ମଇଦାନରେ ଅଛନ୍ତି । 

୩ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି, ମନୋହର ଲାଲ ଖଟ୍ଟର ଏବଂ ଜଗଦମ୍ବିକା ପାଲ ମଧ୍ୟ ନିର୍ବାଚନ ଲଢ଼ୁଛନ୍ତି । ଏମାନଙ୍କ ବ୍ୟତୀତ ମନୋଜ ତିୱାରୀ, ମେନକା ଗାନ୍ଧୀ, ନବୀନ ଜିନ୍ଦଲ, ବାଂସୁରି ସ୍ୱରାଜ, ସମ୍ବିତ ପାତ୍ର, ଅପରାଜିତା ଷଡ଼ଙ୍ଗୀ, ରାଜ ବବର, ନିରହୁଆ ମଧ୍ୟ ମଇଦାନରେ ଅଛନ୍ତି । 

ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ, ଷଷ୍ଠ ପର୍ଯ୍ୟାୟରେ ୮୮୯ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରେ ୭୯୭ ପୁରୁଷ ଏବଂ ୯୨ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ହରିଆଣାରେ ସର୍ବାଧିକ ୨୨୩ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବା ବେଳେ ଜମ୍ମୁ-କାଶ୍ମୀରରେ ସର୍ବନିମ୍ନ ୨୦ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ହରିଆଣାର ସମସ୍ତ ୧୦ ଏବଂ ଦିଲ୍ଲୀର ସମସ୍ତ ୭ ଲୋକସଭା ଆସନରେ ଭୋଟ ହେବ । ଓଡ଼ିଶାରେ କେନ୍ଦୁଝର, ସମ୍ବଲପୁର, କଟକ, ଢେଙ୍କାନାଳ, ପୁରୀ, ଭୁବନେଶ୍ୱର ଲୋକସଭା ଆସନରେ ମତଦାନ ହେବାକୁ ଯାଉଛି । 

ରାଜ୍ୟରେ ମୋଟ ୬୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ପଶ୍ଚିମବଙ୍ଗର ଘାଟଲ, ତାମଲୁକ, କାନ୍ଥି, ପୁରୁଲିଆ, ଝାଡ଼ଗ୍ରାମ, ମେଦିନିପୁର, ବାଙ୍କୁରା, ବିଷ୍ଣୁପୁର ଲୋକସଭା ଆସନରେ ମତଦାନ ହେବ । ଏହି ଆସନଗୁଡ଼ିକରେ ମୋଟ ୭୯ ପ୍ରାର୍ଥୀ ଲଢ଼ୁଛନ୍ତି । ୫୪୩ ଲୋକସଭା ଆସନ ମଧ୍ୟରୁ ପଞ୍ଚମ ପର୍ଯ୍ୟାୟ ପର୍ଯ୍ୟନ୍ତ ୪୨୯ ସିଟ୍‌ରେ ମତଦାନ ସରିଛି । 

ମେ ୨୫ରେ ମୋଟ ୪୮୭ ସିଟ୍‌ରେ ଭୋଟିଂ ସରିଯିବ । ଜୁନ୍‌ ୧ରେ ଅନ୍ତିମ ତଥା ସପ୍ତମ ପର୍ଯ୍ୟାୟରେ ୫୭ ଆସନରେ ମତଦାନ ହେବ । ଜୁନ୍‌ ୪ରେ ଫଳାଫଳ ଘୋଷଣା ହେବ । ଷଷ୍ଠ ପର୍ଯ୍ୟାୟରେ ୧୧.୪ ଲକ୍ଷ ପୋଲିଂ ଅଫିସର ମୋଟ ୧୧.୧୩ କୋଟି ଭୋଟରଙ୍କୁ ମତଦାନ କେନ୍ଦ୍ରରେ ସ୍ୱାଗତ କରିବେ । ଏଥିପାଇଁ ମୋଟ ୧ ଲକ୍ଷ ୧୪ ହଜାର ଭୋଟଗ୍ରହଣ କେନ୍ଦ୍ର ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.