ହଟ୍ ସିଟ୍‌ରେ ହାଇଭୋଲଟେଜ୍ ଲଢ଼େଇ; ଚତୁର୍ଥ ପର୍ଯ୍ୟାୟରେ ଅଖିଲେଶ, ୟୁସୁଫ, ଶତ୍ରୁଘ୍ନ ଓ ଅଧୀରଙ୍କ ଭାଗ୍ୟ ପରୀକ୍ଷା

Published By : Prameya-News7 Bureau | May 13, 2024 IST

ନୂଆଦିଲ୍ଲୀ: ଦେଶରେ ଗଣତନ୍ତ୍ର ମହାପର୍ବ । ବିଶ୍ବର ସବୁଠୁ ବଡ଼ ଗଣତନ୍ତ୍ର ନିର୍ବାଚନ ଜାରି । ସୋମବାର ଦେଶରେ ଚତୁର୍ଥ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । ମୋଟ୍ ୯୬ଟି ଲୋକସଭା ଆସନରେ ୧୭୧୭ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହେବ । ତେବେ ଚତୁର୍ଥ ପର୍ଯ୍ୟାୟର କିଛି ହଟ୍ ସିଟରେ ହାଇଭୋଲଟେଜ୍ ଲଢ଼େଇ ଦେଖିବାକୁ ମିଳିବ । ଏଥିରେ ଏସପି ପ୍ରମୁଖ ଅଖିଳେଶ ଯାଦବ, ପୂର୍ବତନ କ୍ରିକେଟର ୟୁସିଫ୍ ପଠାନ, କୀର୍ତ୍ତି ଆଜାଦ, ଅଭିନେତା ଶତ୍ରୁଘ୍ନ ସିହ୍ନା ସମେତ ବହୁ କେନ୍ଦ୍ରମନ୍ତ୍ରୀ ଓ ପର୍ବତନ ମୁଖ୍ୟମନ୍ତ୍ରୀ ସାମିଲ୍ ରହିଛନ୍ତି ।    

ଉତ୍ତରପ୍ରଦେଶର କନୌଜ ଲୋକସଭା ଆସନରୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ସିଂହ ଯାଦବ ନିର୍ବାଚନ ଲଢ଼ୁଛନ୍ତି । ତାଙ୍କ ବିପକ୍ଷରେ ନିର୍ବାଚନୀ ମୈଦାନରେ ଅଛନ୍ତି ବିଜେପି ପ୍ରାର୍ଥୀ ସୁବ୍ରତ୍ ପାଠକ ଏବଂ ବହୁଜନ ସମାଜବାଦୀ ପାର୍ଟିର  ଇମ୍ରାନ ବିନ୍ ଜଫର । ସେହିପରି ୟୁପିର ଚର୍ଚ୍ଚିତ ଲୋକସଭା ଆସନ ଖେରୀରେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରା ଟେନୀ ବିଜେପି ଟିକେଟରେ ନିର୍ବାଚନ ଲଢ଼ୁଛନ୍ତି । ଏହି ଆସନରେ ତାଙ୍କୁ ଚେକ୍ ଦେଉଛନ୍ତି, ଏସପିର ପୂର୍ବତନ ବିଧାୟକ ଉତ୍କର୍ଷ ବର୍ମା ଏବଂ ବିଏସପିର ଅକ୍ଷୟ କାଲରା ।   

ଚତୁର୍ଥ ପର୍ଯ୍ୟାୟ ଭୋଟିଂରେ ସାକ୍ଷୀ ମହାରାଜଙ୍କ ମଧ୍ୟ ଭାଗ୍ୟ ପରୀକ୍ଷା ହେଉଛି । ସେ ୟୁପିର ଉନ୍ନାଓ ସିଟ୍‌ରେ ବିଜେପିର ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ସାମ୍ନାରେ କଂଗ୍ରେସ ଛାଡ଼ି ସମାଜବାଦୀ ପାର୍ଟିରେ ସାମିଲ ହୋଇଥିବା ଅନ୍ନୁ ଟଣ୍ଡନ ରହିଛନ୍ତି । ବିଏସପି ଟିକେଟରୁ ଆଶୋକ ପାଣ୍ଡେ ନିର୍ବାଚନ ଲଢ଼ୁଛନ୍ତି । ସେହିପରି ବିହାର ଉଜିୟାରପୁର ଲୋକସଭା ଆସନରୁ ନିତ୍ୟାନନ୍ଦ ରାୟ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି । ସେ ଏବେ ବିଜେପି ସରକାରରେ କେନ୍ଦ୍ର ଗୃହମନ୍ତ୍ରୀ ରହିଛନ୍ତି । ତାଙ୍କ ସାମ୍ନାରେ ଆରଜେଡି ନେତା ଏବଂ ପୂର୍ବତନ ମନ୍ତ୍ରୀ ଆଲୋକ ମେହଟ୍ଟା ରହିଛନ୍ତି ।

ବିହାର ହଟ ସିଟ୍ ବେଗୁସରାଇ ଆସନରୁ କେନ୍ଦ୍ରମନ୍ତ୍ରୀ ଗିରିରାଜ୍ ସିଂହ ରହିଛନ୍ତି । ଗ୍ରାମୀଣ ବିକାଶ ଓ ପଞ୍ଚାୟତରାଜ ରାଜ୍ୟ ମନ୍ତ୍ରୀଙ୍କୁ ଚେକ ଦେଉଛନ୍ତି ଅବଦଧେଶ କୁମାର । ୨୦୧୯ ନିର୍ବାଚନର ଏହି ଆସନରୁ ଗିରିରାଜ ସିଂହ କହ୍ନେୟା କୁମାରଙ୍କୁ ପରାସ୍ତ କରିଥିଲେ । ଚଳିତ ନିର୍ବାଚନରେ  ଲୋକସଭା ନିର୍ବାଚନରେ ହଟ୍ ସିଟ୍ ମଧ୍ୟରେ ହାଇଦ୍ରାବାଦ ମଧ୍ୟ ସାମିଲ୍ ରହିଛି । ଏହି ଆସନରୁ  ଲୋକସଭା ଲଢ଼ୁଛନ୍ତି ଏଆଇଏମଆଇଏମ ଅଧ୍ୟକ୍ଷ ଅସଦୁଦ୍ଦୁନି ଓଓ୍ବେସି । ୨୦୨୪ ନିର୍ବାଚନରେ ଦୁର୍ଗ ବଞ୍ଚାଇବା ତାଙ୍କ ପାଇଁ ଚ୍ୟାଲେଞ୍ଜ ହୋଉଛି । ଏଥିରେ ତାଙ୍କ ବିରୋଧରେ ବିଜେପି ଡା. ମାଧବୀ ଲତାଙ୍କୁ ପ୍ରାର୍ଥୀ କରିଛି । ସେହିପରି ଏହି ଆସନରୁ କଂଗ୍ରେସ ଜିଲ୍ଲା  ଅଧ୍ୟକ୍ଷ ମହମ୍ମଦ ବିଲିଉଲ୍ଲା ସମୀରଙ୍କୁ ଟିକେଟ୍ ଦେଇଛି ।  

 

ସେହିପରି ବିହାରୀ ବାବୁ ବଲିଉଡ୍ ଭେଟେରାନ୍ ଶତ୍ରୁଘ୍ନ ସିହ୍ନା ଟିଏମସିରୁ ପ୍ରାର୍ଥୀ ହୋଇଛନ୍ତି । ସେ ଆସନସୋଲ୍ ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି । ତାଙ୍କ ସାମ୍ନାରେ  ବିଜେପିରୁ ଏସଏସ ଆହ୍ଲୁଓ୍ବାଲିଆ ରହିଛନ୍ତି । ସେପଟେ ଝାରକଣ୍ଡର ଖୁଣ୍ଟି ଲୋକସଭା ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା ବିଜେପିର ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ସାମ୍ନାରେ କଂଗ୍ରେସ କାଳିଚରଣ ମୁଣ୍ଡାଙ୍କୁ ପ୍ରାର୍ଥୀ କରିଛି । 

ଚଳିତ ନିର୍ବାଚନରେ ପଶ୍ଚିମବଙ୍ଗର ହଟ୍ ସିଟ୍ ବହରମପୁର ଆସନରୁ ଜୋରଦାର ଲଢ଼େଇ ଦେଖିବାକୁ ମିଳିବ । କଂଗ୍ରେସ ଏଠାରୁ ଅଧୀର ରଞ୍ଜନ ଚୌଧୁରୀଙ୍କୁ ଟିକେଟ୍ ଦେଇଥିବା ବେଳେ ଟିଏମସି  ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କୁ ପ୍ରାର୍ଥୀ କରିଛି । ସେହିପରି ବିଜେପି ଏହି ଆସନରୁ  ନିର୍ମଳ କୁମାର ସିହ୍ନାଙ୍କୁ ପ୍ରାର୍ଥୀ କରିଛି । 

 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.