ଲୋକସଭାରେ ପାସ୍ ହେଲା ଭାରତୀୟ ବାୟୁଯାନ ବିଧେୟକ ବିଲ୍ ୨୦୨୪: ବଦଳିଲା ୯୦ ବର୍ଷର ପୁରୁଣା ଆଇନ୍

Published By : Prameya-News7 Bureau | August 09, 2024 IST

internet

ନୂଆଦିଲ୍ଲୀ: ଲୋକସଭାରେ ପାସ୍ ହୋଇଛି ଭାରତୀୟ ବାୟୁଯାନ ବିଧେୟକ ବିଲ୍ ୨୦୨୪। ୯୦ ବର୍ଷ ପୁରୁଣା ଏୟାରକ୍ରାଫ୍ଟ ଆକ୍ଟକୁ ବଦଳାଇବା ଏବଂ ବିମାନ ଚଳାଚଳ କ୍ଷେତ୍ରରେ ସହଜ ବ୍ୟବସାୟ କରିବା ସ୍ଥିତିକୁ ମଜଭୁତ କରିବା ପାଇଁ ଏହି ବିଲ୍ ପାରିତ ହୋଇଛି। ପୂର୍ବରୁ ୨୧ ଥର ସଂଶୋଧିତ ହୋଇଥିବା ଏୟାରକ୍ରାଫ୍ଟ ଆକ୍ଟ ୧୯୩୪କୁ ବଦଳାଇବା ସହ ଏଥିରେ ଥିବା ଅନାବଶ୍ୟକତାକୁ ହଟାଇବାକୁ ଏହି ବିଲ୍‌ରେ ବ୍ୟବସ୍ଥା ରହିଛି। ବର୍ତ୍ତମାନ ଭାରତ ଦ୍ରୁତ ପ୍ରଗତିଶୀଳ ବେସାମରିକ ବିମାନଚଳାଚଳା ବଜାର ହେବାକୁ ଯାଉଥିବାରୁ ଏଥିରେ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ସରକାର କହିଛନ୍ତି। 

ସଂସଦର ନିମ୍ନ ସଦନରେ ବିଲ୍ ପାସ୍ କରାଇବା ସପକ୍ଷରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି ଯେ ବିମାନ ଭଡ଼ା ବୃଦ୍ଧି ଭଳି ଲୋକଙ୍କ ଅଭିଯୋଗର ସମାଧାନ ତଥା ଠିକ ସମୟରେ ପଦକ୍ଷେପ ସୁନିଶ୍ଚିତ କରିବା ପାଇଁ ମନ୍ତ୍ରଣାଳୟ ଏକ ଦକ୍ଷ ଅନ୍‌ଲାଇନ ମେକାନିଜିମ୍ ପ୍ରତିଷ୍ଠା କରିବେ। ସେ କହିଛନ୍ତି ଯେ ମନ୍ତ୍ରଣାଳୟ ଏକ ନିରପେକ୍ଷ ଆଭିମୁଖ୍ୟ ଗ୍ରହଣ କରିବାକୁ ଚାହୁଁଛନ୍ତି। ଯେଉଁଠାରେ ବିମାନ କମ୍ପାନୀମାନଙ୍କ ପାଇଁ ସମାନ ଅବସର ସହ ଉଚ୍ଚା ବିମାନ ଭଡ଼ା ଦ୍ୱାରା ଯେମିତି ଲୋକେ ଶୋଷଣ ହେବେନି ତା ଉପରେ ସରକାର କାମ କରିବେ ବୋଲି ମନ୍ତ୍ରୀ କହିଛନ୍ତି। 

ବିଧେୟକରେ ଆତ୍ମନିର୍ଭରତା ପାଇଁ ଆତ୍ମନିର୍ଭର ଭାରତ ଅଭିଯାନକୁ ବଳ ଦେବା ପାଇଁ ବିମାନ ଡିଜାଇନ ଓ ମେନୁଫାକ୍ଚର ବ୍ୟବସ୍ଥା ରହିଛି। ଏଥିସହିତ ବେସାମିରିକ ବିମାନଚଳାଚଳ ମନ୍ତ୍ରଣାଳୟ ହେଲିକପ୍ଟର ନିର୍ମାଣ ପାଇଁ ମଧ୍ୟ ପ୍ରୋତ୍ସାହନ ଦେବ ବୋଲି ମନ୍ତ୍ରୀ ଶ୍ରୀ ନାଇଡୁ କହିଛନ୍ତି। ଶୁକ୍ରବାର ସଂସଦରେ ଏହି ବିଲ୍ ଧ୍ୱନିମତରେ ପାସ୍ ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.