ପେଟପାଟଣା ଉପରେ ଲକ୍‌ଡାଉନ୍‌ର ଶକ୍ତ ପ୍ରହାର: ବାଧ୍ୟ ହୋଇ ମାଛ ବିକ୍ରି କଲେ ସେବାୟତ

Published By : Prameya-News7 Bureau | May 03, 2020 IST

ଭୁବନେଶ୍ୱର୩/୫: ଲକ୍‌ ଡାଉନ୍‌ର ଘୋର ପ୍ରଭାବ ପଡ଼ିଛି ପେଟପାଟଣାରେ । ବିଶେଷ କରି ପୁରୋହିତ, ସେବାୟତଙ୍କ ରୋଜଗାରରେ ବାଡ଼ ପକାଇ ଦେଇଛି । ମନ୍ଦିରକୁ ଯାତ୍ରୀ, ଯଜମାନ, ଭକ୍ତ ଆସୁ ନଥିବାରୁ ସେବାୟତଙ୍କ ଖୋସଣିକୁ ରେଜା ପଇସାଟିଏ ବି ଆସୁନି । ବିବାହ, ବ୍ରତ ଓ ଅନ୍ୟାନ୍ୟ ଧର୍ମାନୁଷ୍ଠାନ ବନ୍ଦ ଥିବାରୁ ପୁରୋହିତଙ୍କର ମଧ୍ୟ ଅକାଳ ଚାଲିଛି। ଫଳରେ ପରିବାର ଚଳାଇବାକୁ କିଛି ସେବାୟତ ନିଜର ପେଷା ବଦଳାଇ ଦେଇଛନ୍ତି । ବଜାରରେ ମାଛ, ପରିବା ବିକି ଘରକରଣା ସମ୍ଭାଳୁଛନ୍ତି ।

ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ଏକାମ୍ରକ୍ଷେତ୍ରରେ ଥିବା ବହୁ ମନ୍ଦିର ଏବେ ଖାଁ ଖାଁ ପାଲଟିଛି । ରୋଷଶାଳାରେ ଅବଢ଼ା ରନ୍ଧା ହେଉନି କି ଶୁଖିଲା ଭୋଗ ପାଗ ହେଉନାହିଁ । କେବଳ ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତି ହେଉଛି । କିନ୍ତୁ ଭୋଗ ସମର୍ପଣ କରି ଦକ୍ଷିଣା ଦେବାକୁ ଭକ୍ତଙ୍କ ସଂଖ୍ୟା ଶୂନ କହିଲେ ଚଳିବ । ତେଣୁ ରୋଜଗାର ମୋଟ ଉପରେ ନାହିଁ । ଏପଟେ ପରିବାର ଚଳାଇବାରେ ସଂକଟ ସୃଷ୍ଟି ହୋଇଛି ।

ଏଭଳି ପରିସ୍ଥିତିର ମୁକାବିଲା ପାଇଁ କିଛି ଯୁବ ସେବାୟତ ପଦାକୁ ଗୋଡ଼ କାଢ଼ିଛନ୍ତି । ବଢ଼େଇବାଙ୍କ ଛକ, ନାଗେଶ୍ୱର ଟାଙ୍ଗି ହାଟରେ ମାଛ ବେପାର ଖୋଲିଛନ୍ତି । ଅବଶ୍ୟ ମାଛ କାତି ଛଡ଼େଇବା, କାଟିବା ଲାଗି ଅନ୍ୟ ଲୋକ ରଖିଛନ୍ତି । ହେଲେ ମାଛ ବେପାର ସେମାନଙ୍କର ଭଲ ଚାଲିଛି ।

ବିଭିନ୍ନ ଅଞ୍ଚଳ ବୁଲି ପୋଖରୀରୁ ଜିଅନ୍ତା ମାଛ ଆଣୁଛନ୍ତି । ଆନ୍ଧ୍ର ମାଛ ଠାରୁ ଦେଶୀମାଛର ଚାହିଦା ଭଲ ଥିବାରୁ ସେମାନଙ୍କ ମାଛ ପ୍ରଥମେ ବିକ୍ରି ହୋଇ ଯାଉଛି । ପାହାନ୍ତାରୁ ଉଠି ମନ୍ଦିରକୁ ଯିବା ପରିବର୍ତ୍ତେ ଆଇଁଷ ବାରରେ ଏବେ ମାଛ ସନ୍ଧାନରେ ଯାଉଛନ୍ତି । ଦିନ ୧୧ ସୁଦ୍ଧା ବିକ୍ରବଟା ସାରି ଲାଭ ପଇସାରେ ଘର ସଂସାର ଚଳାଉଛନ୍ତି । ଆଉ କିଛି ସେବାୟତ ମଧ୍ୟ ପରିବା ଓ ଫଳ ଦୋକାନରେ ମାତିଥିବା ଦେଖାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.