ଲକଡାଉନ୍ ପାର୍ଟ ୩: ଭୁବନେଶ୍ୱର ଅରେଞ୍ଜ, କଟକ ଗ୍ରୀନ୍, ରେଡ୍ ଜୋନରେ ବାଲେଶ୍ୱର-ଭଦ୍ରକ-ଯାଜପୁର, ପଢନ୍ତୁ ମେ’୧୭ ଯାଏଁ ରାଜ୍ୟର କେଉଁଠି କଣ ଖୋଲା କଣ ବନ୍ଦ..
1/05/2020 at 7:24 PM

ଭୁବନେଶ୍ୱର, ୦୧|୦୫: କେନ୍ଦ୍ର ସରକାର ଲକଡାଉନକୁ ମେ ୧୭ ତାରିଖ ଯାଏଁ ବୃଦ୍ଧି କରିଛନ୍ତି । କରୋନା ସଂକ୍ରମଣ ରୋକିବା ପାଇଁ ସରକାର ମାର୍ଚ୍ଚ ୨୫ରୁ ଏପ୍ରିଲ ୧୪ ଯାଏଁ ଲକଡାଉନ୍ ଲାଗୁ କରିଥିଲେ । ପରେ ସ୍ଥିତି ସାମାନ୍ୟ ନହେବାରୁ ଏହାକୁ ମେ ୩ ଯାଏଁ ବଢାଇ ଦିଆଯାଇଥିଲା । ଯାହାକୁ ଏବେ କେନ୍ଦ୍ର ସରକାର ଆହୁରି ୨ ସପ୍ତାହ ଅର୍ଥାତ ମେ ୧୭ ତାରିଖ ଯାଏଁ ବୃଦ୍ଧି କରିଛନ୍ତି ।
ତେବେ ଲକଡାଉନ୍ ଅବଦ୍ଧି ବଢିଥିଲେ ବି ସାରା ଦେଶକୁ ତିନୋଟି ଜୋନରେ ବିଭକ୍ତ କରି ଏହି ୨ ସପ୍ତାହରେ ଲକଡାଉନକୁ କିଛି କୋହଳ କରାଯାଇଛି । ଗ୍ରୀନ ଓ ଅରେଞ୍ଜ ଜୋନରେ ଲକଡାଉନକୁ କୋହଳ କରାଯାଇଥିବା ବେଳେ ରେଡ୍ ଜୋନକୁ କିନ୍ତୁ କିଛି ରିହାତି ନାହିଁ । ଅର୍ଥାତ ରେଡଜୋନ୍ ଘୋଷିତ ଅଞ୍ଚଳରେ ପୂର୍ବପରି ଲକଡାଉନକୁ କଡାକଡି ଭାବେ ପାଳନ କରାଯିବ । କିନ୍ତୁ ସମସ୍ତ ତିନୋଟି ଜୋନରେ ଜିମ୍, ପାର୍ଲର, ହୋଟେଲ, ମାର୍କେଟ୍ କମ୍ପ୍ଲେକ୍ସ ଏବଂ ମଲ୍ ଆଦି ବନ୍ଦ ରହିବ । ଏହାସହ ଧାର୍ମିକ ସଭା, ସାମୁହିକ କାର୍ଯ୍ୟକ୍ରମ, ଜନସଭା ବନ୍ଦ । ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଏବଂ ଦେବାଳୟରେ ପୂର୍ବଭଳି ଲାଗୁ ରହିବ ଲକଡାଉନ୍ ନିୟମ । ନୂଆ ଗାଇଡଲାଇନ୍ ସହ ଏହା ସ୍ପଷ୍ଟ ହୋଇଛି ।
ଏହି ନିୟମ ଅନୁଯାୟୀ ଓଡିଶାର ସ୍ଥିତି କଣ ? ଓଡିଶାରେ ମଧ୍ୟ ଜିଲ୍ଲା ଗୁଡିକୁ ତିନୋଟି ଜୋନରେ ବିଭକ୍ତ କରାଯାଇଛି । ରାଜ୍ୟରେ ଗ୍ରୀନ ଜୋନରେ ୨୧ଟି ଜିଲ୍ଲା ଥିବା ବେଳେ ଅରେଞ୍ଜ ଜୋନରେ ୬ ଓ ରେଡ୍ ଜୋନରେ ୩ଟି ଜିଲ୍ଲା ରହିଛନ୍ତି । ତିନି ଜିଲ୍ଲା ଭଦ୍ରକ, ବାଲେଶ୍ବର ଓ ଯାଜପୁରକୁ ରେଡ୍ ଜୋନ୍ ତାଲିକାଭୁକ୍ତ କରାଯାଇଛି। ଅରେଞ୍ଜ୍ ଜୋନରେ ରହିଛି ଖୋର୍ଦ୍ଧା ସମେତ ୬ଟି ଜିଲ୍ଲା । ଏସବୁ ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା, ସୁନ୍ଦରଗଡ, କେନ୍ଦ୍ରାପଡା, କୋରାପୁଟ, ଢେଙ୍କାନାଳ ଓ କଳାହାଣ୍ଡି । ଓଡ଼ିଶାର ଅବଶିଷ୍ଟ ୨୧ ଜିଲ୍ଲା ଗ୍ରୀନ୍ ଜୋନ୍ ତାଲିକାରେ ରହିଛି ।
ଗ୍ରୀନ ଜୋନରେ ଥିବା ଜିଲ୍ଲା ଗୁଡିକରେ ଏବେ ଲକଡାଉନକୁ କୋହଳ କରାଯିବ । ଏଠାରେ ବସ୍ ଚଳାଚଳକୁ ଅନୁମତି ଦିଆଯାଇଥିଲେ ହେଁ ବିମାନ ଯାତ୍ରା, ଟ୍ରେନ, ମେଟ୍ରୋ ସେବା ପୂର୍ବପରି ବନ୍ଦ ରହିବ। କୌଣସି ପ୍ରକାରର ମଲ୍ ଓ ସିନେମା ହଲ୍ ଖୋଲିବାକୁ ଅନୁମତି ଦିଆଯାଇ ନାହିଁ। ଜିଲ୍ଲାଗୁଡିକରେ ଫ୍ୟାକ୍ଟ୍ରି, ଦୋକାନ, ଛୋଟ-ଛୋଟ ଉଦ୍ୟୋଗ ସମେତ ଟ୍ରାନ୍ସପୋର୍ଟ ଏବଂ ଅନ୍ୟ ସେବାକୁ ସର୍ତ୍ତ ସହିତ ପୂରା ଖୋଲିବାକୁ ଅନୁମତି ଦିଆଯାଇଛି। ମାତ୍ର ସ୍କୁଲ, କଲେଜ, ହୋଟେଲ୍, ରେସ୍ତୋରାଁ ବନ୍ଦ କହିବ । ବସ୍ ଚାଲିବ ମାତ୍ର ବସର କ୍ଷମତା ୫୦ ପ୍ରତିଶତରୁ ଅଧିକ ହେବ ନାହିଁ। ଡିପୋରେ ମଧ୍ୟ ୫୦ ପ୍ରତିଶତରୁ ଅଧିକ କର୍ମଚାରୀ କାମ କରିବେ ନାହିଁ।
ଅରେଞ୍ଜ ଜୋନରେ ବସ୍ ଚଳାଚଳ କରିବ ନାହିଁ। ମାତ୍ର ଅରେଞ୍ଜ ଜୋନରେ କ୍ୟାବ୍ ଚଳାଚଳକୁ ଅନୁମତି ମିଳିଛି। ଗୋଟିଏ ଓଲା , କ୍ୟାବରେ ଡ୍ରାଇଭର ସହିତ କେବଳ ଜଣଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯାଇଛି। ଅରେଞ୍ଜ ଜୋନରେ ଇଣ୍ଡଷ୍ଟ୍ରିଆଲ ଗତିବିଧି ଆରମ୍ଭ ହେବ ଏବଂ କମ୍ପ୍ଲେକ୍ସ ମଧ୍ୟ ଖୋଲିବ। ରେଡ ଜୋନରେ ସବୁ ବନ୍ଦ ରହିବ ।