ଥମୁନି କରୋନା : କାଲି ଅପେକ୍ଷା କମିଛି ଆକ୍ରାନ୍ତଙ୍କ ସଂଖ୍ୟା , କିନ୍ତୁ ୨୭ ଛୁଇଁଲା ମୃତ୍ୟୁ ସଂଖ୍ୟା

Published By : Prameya-News7 Bureau | March 29, 2020 IST

ନୂଆଦିଲ୍ଲୀ ୨୯।୦୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ହଜାରେ ଟପିଛି । ଶନିବାର ଦିନ ଗୋଟିଏ ଦିନରେ ୨୦୦ ଜଣଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୬୦ରୁ ଅଧିକଙ୍କଠାରେ କୋଭିଡ-୧୯ ଚିହ୍ନଟ ହୋଇଛି । ଆଜି ଆଉ ଦୁଇ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ ମୃତକଙ୍କ ସଂଖ୍ୟା ପହଞ୍ଚିଛି ୨୭ରେ । ୨୧ ଦିନିଆ ଲକ୍ ଡାଉନରେ ଦେଶବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ମନ୍ କି ବାତ୍ କାର୍ଯ୍ୟକ୍ରମରେ କ୍ଷମା ମାଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ହଜାରେ ଟପିଲା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ଗୋଟିଏ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ବଢ଼ିଥିବା ବେଳେ ଆଜି ୬୦ରୁ ଅଧିକଙ୍କ ଠାରେ COVID-19 ଚିହ୍ନଟ ହେବା ପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୦ ଟପିଛି । ସେହିପରି ମୃତ୍ୟୁସଂଖ୍ୟା ପହଞ୍ଚିଛି ୨୭ରେ। ଜାମ୍ମୁ କାଶ୍ମୀରରେ କରୋନା ଯୋଗୁଁ ଦ୍ବିତୀୟ ମୃତ୍ୟୁ ଘଟିଥିବା ବେଳେ ଗୁଜରାଟର ଅହମ୍ମଦାବାଦରେ ଜଣେ ୪୫ ବର୍ଷୀୟ କରୋନାରେ ପୀଡ଼ିତଙ୍କର ମୃତ୍ୟୁ ଘଟିଛି।

ରାଜସ୍ଥାନର ଭିଲୱାଡ଼ାରେ ୨୫ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ତେଲେଙ୍ଗାନାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି । ମଧ୍ୟପ୍ରଦେଶର ଇନ୍ଦୋରରେ ୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଉତ୍ତର ପ୍ରଦେଶର ମିରଟରେ ଗୋଟିଏ ପରିବାରର ୫ ଜଣଙ୍କଠାରେ କରୋନା ଭାଇରସ୍ ଚିହ୍ନଟ ହୋଇଛି। ସେହିପରି ଦିଲ୍ଲୀରେ ସ୍ପାଇସ୍ ଜେଟ୍ ର ଜଣେ ପାଇଲଟ୍ କରୋନାରେ ଆକ୍ରାନ୍ତ ଥିବା ଜଣା ପଡ଼ିଛି ।

ସେପଟେ ଇରାନରୁ ଆଜି ଫେରିଛନ୍ତି ଆଉ ୨୭୫ ଭାରତୀୟ। ଏକ ସ୍ବତନ୍ତ୍ର ବିମାନ ଯୋଗେ ଏମାନଙ୍କୁ ଅଣାଯାଇ ରାଜସ୍ଥାନର ଯୋଧପୁର କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି। ଚଳିତ ମାସ ଆରମ୍ଭରେ ୨୭୭ ଜଣ ଭାରତୀୟଙ୍କୁ ବିଦେଶରୁ ଅଣାଯାଇଥିଲା । ସେମାନଙ୍କୁ ୧୪ ଦିନିଆ ଆଇସୋଲେସନରେ ରଖାଯିବା ପରେ ଛଡ଼ାଯାଇଥିଲା।

ଲକ୍ ଡାଉନ୍ ଭିତରେ ଆଜି ପ୍ରଧାନମନ୍ତ୍ରୀ ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି । ଲକ୍ ଡାଉନ୍ ଯୋଗୁଁ ସାଧାରଣ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ବିଶେଷ କରି ଗରିବ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୧୩୦ କୋଟି ଭାରତୀୟଙ୍କୁ ବଞ୍ଚାଇବା ପାଇଁ ଲକ୍ ଡାଉନ ଛଡ଼ା ଅନ୍ୟ କୌଣସି ରାସ୍ତା ନାହିଁ। ବର୍ତ୍ତମାନ ସ୍ଥିତିରେ ନିଜକୁ ଓ ନିଜ ପରିବାରକୁ ବଞ୍ଚାଇବାକୁ ପଡ଼ିବ। ଏଥିପାଇଁ ସମସ୍ତଙ୍କୁ ଲକ୍ଷ୍ମଣରେଖା ମାନିବାକୁ ପଡ଼ିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ଉତ୍ତରପ୍ରଦେଶର ଆନନ୍ଦ ବିହାର ଓ କାଶ୍ମୀର ଗେଟ୍ ବସ୍ ଷ୍ଟପ୍‌ରେ ହଜାର ହଜାର ଶ୍ରମିକଙ୍କ ଭିଡ଼ ଦେଖିବା ପରେ କେନ୍ଦ୍ର ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ରାଜ୍ୟର ସୀମା ସିଲ୍ କରିବା ସହ ଶ୍ରମିକମାନେ ଯେଉଁଠି ଅଛନ୍ତି ସେଠାରେ ସେମାନଙ୍କ ରହିବା ଆଉ ଖାଇବାର ବନ୍ଦୋବସ୍ତ କରିବା ପାଇଁ ସବୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଯେଉଁମାନେ ନିର୍ଦ୍ଦେଶ ନମାନି ଘରକୁ ଯାଇଥିବେ ସେମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ କ୍ବାରାଣ୍ଟାଇନରେ ରଖିବାକୁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.