ଅଷ୍ଟ୍ରେଲିଆରେ କିଛି ସପ୍ତାହ ହଟିପାରେ ଲକ୍‌ଡାଉନ୍‌, କିନ୍ତୁ ବର୍ଷେ ଯାଏଁ ଜାରି ରହିବ କିଛି କଟକଣା

Published By : Prameya-News7 Bureau | April 20, 2020 IST

ମେଲବୋର୍ଣ୍ଣ ୨୦।୦୪: ଅଷ୍ଟ୍ରେଲିଆରେ କରୋନା ସଂକ୍ରମଣ ରୋକିବା ପାଇଁ ଲଗାଯାଇଥିବା କିଛି କଟକଣା ବର୍ଷେ ଯାଏଁ ଜାରି ରହିବ ବୋଲି ସେଠାକାର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ସୂଚନା ଦେଇଛନ୍ତି । ଅଷ୍ଟ୍ରେଲିଆରେ ଏ ପର୍ଯ୍ୟନ୍ତ କରୋନା ଭାଇରସ ଯୋଗୁ ୬୫୦୦ ଜଣ ସଂକ୍ରମିତ ହୋଇଥିଲାବେଳେ ୬୩ ଜଣ ପ୍ରାଣ ହରାଇଛନ୍ତି । ସରକାରଙ୍କ ସମୟୋଚିତ ପଦକ୍ଷେପ ଯୋଗୁ ଦେଶରେ ୟୁରୋପ ଏବଂ ଆମେରିକା ଭଳି ଭୟଙ୍କର ସ୍ଥିତି ସୃଷ୍ଟି ହୋଇନାହିଁ । ସରକାର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି । ସ୍କୁଲ, କଲେଜ ଆଦି ବନ୍ଦ କରିଦିଆଯାଇଛି । ସେହିପରି ବାର୍‌, ରେସ୍ତୋରାଁ, ହୋଟେଲ ଆଦି ବି ବନ୍ଦ କରାଯାଇଛି ।

ସାଧାରଣ ଲୋକଙ୍କୁ କେବଳ ଜରୁରି ଆବଶ୍ୟକତା ପାଇଁ ଘରୁ ବାହାରିବାକୁ ଅନୁମତି ପ୍ରଦାନ କରାଯାଇଛି । ବାହାରକୁ ଗଲେ ପରସ୍ପର ଭିତରେ ୧.୫ ମିଟର ଦୂରତା ବଜାୟ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ନିୟମ ଭଙ୍ଗ କରୁଥିବା ବ୍ୟକ୍ତିଙ୍କ ଉପରେ ଜରିମାନା ଲଗାଯାଉଛି । ଏସବୁ କଟକଣା ଯୋଗୁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ପୂର୍ବ ଭଳି ଆଉ ବୃଦ୍ଧି ପାଉନାହିଁ । କିଛି ସପ୍ତାହ ପୂର୍ବରୁ ଦୈନିକ ୨୫% ହାରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିଲା । ଏବେ ତାହା ଏକକ ସଂଖ୍ୟାକୁ ଖସିଆସିଛି ।

ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋରିସନ ଘୋଷଣା କରିଛନ୍ତି ଯେ ଲକ୍‌ଡାଉନ୍‌ ଆଉ କିଛି ସପ୍ତାହ ଜାରି ରହିବ । ତେବେ ଦେଶରୁ ଲକ୍‌ଡାଉନ୍‌ ହଟିବା ପରେ ବି ସାମାଜିକ ଦୂରତ୍ୱ ସହ ସମ୍ପର୍କିତ କିଛି କଟକଣା ଆଉ ବର୍ଷେ ଯାଏଁ ଜାରି ରଖାଯିବ । ଉଦାହରଣ ସ୍ୱରୂପ- ପରସ୍ପର ଠାରୁ ୧.୫ ମିଟର ଦୂରତା ବଜାୟ ରଖିବାକୁ ଲଗାଯାଇଥିବା କଟକଣା ବର୍ଷକ ଯାଏଁ ଜାରି ରଖାଯିବ । କାରଣ ସରକାର ଭାବୁନାହାନ୍ତି ଯେ ବର୍ଷକ ଭିତରେ କରୋନା ଭାଇରସକୁ ନିପାତ କରିବା ପାଇଁ ଟିକା ବିକଶିତ ହୋଇପାରିବ । ତେଣୁ ସରକାରଙ୍କ ପାଖରେ କିଛି କଟକଣାକୁ ବର୍ଷେ ଯାଏଁ ଜାରି ରଖିବା ବ୍ୟତୀତ ଅନ୍ୟ କିଛି ଚାରା ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.