ମେ ୪ରେ ଆସିବ ନୂତନ ଗାଇଡ୍ଲାଇନ୍, କିଛି କୋହଳ ସହିତ ବଢିବ ଲକ୍ଡାଉନ୍ !
29/04/2020 at 10:31 PM

ନୂଆଦିଲ୍ଲୀ ୨୯।୦୪: କରୋନା ଭାଇରସ୍ ସଂକ୍ରମଣ ରୋକିବା ପାଇଁ ଲକ୍ଡାଉନ୍ ଅବଧିକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏବେ ଏହାର ଅବଧି ଶେଷ ହେବାକୁ ଯାଉଛି। ଗୃହ ମନ୍ତ୍ରଣାଳୟ ମେ ୪ରେ ଲକ୍ଡାଉନ୍ ନେଇ ନୂତନ ଗାଇଡ୍ ଲାଇନ୍ ଜାରି କରିବେ। ଏହାର ଅର୍ଥ ମେ ୩ ପରେ ବି ଲକ୍ଡାଉନ୍ରେ ପୂରା ରିହାତି ମିଳିବ ନାହିଁ। କିଛି କୋହଳ ସହିତ ଲକ୍ଡାଉନ୍ ପୁଣି ଥରେ ବଢାଯିବ।
ସ୍ଵରାଷ୍ଟ୍ର ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ, କୋଭିଡ୍ ୧୯ର ମୁକାବିଲା ପାଇଁ ମେ ୪ରେ ନୂତନ ଗାଇଡ୍ ଲାଇନ୍ ଜାରି କରାଯିବ। ଏଥିରେ ଅନେକ ଜିଲ୍ଲାକୁ ଯଥା ସମ୍ଭବ ରିହାତି ଦିଆଯିବ। ଏହି ସମ୍ବନ୍ଧରେ ବିବରଣୀ ଆଗାମୀ ଦିନରେ ଦିଆଯିବ। ମନ୍ତ୍ରଣାଳୟ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଆଜି ଲକ୍ଡାଉନ୍ ସ୍ଥିତି ଉପରେ ବୈଠକ କରି ବ୍ୟାପକ ସମୀକ୍ଷା କରିଛି। ଏ ପର୍ଯ୍ୟନ୍ତ ଲକ୍ଡାଉନ୍ କାରଣରୁ ସ୍ଥିତିରେ ବହୁତ ଲାଭ ଏବଂ ସୁଧାର ମିଳିଛି। ଆମେ ମିଳିଥିବା ଲାଭକୁ ହରାଇ ପାରିବୁ ନାହିଁ। ଲକ୍ଡାଉନ୍ ଗାଇଡ୍ ଲାଇନ୍କୁ ମେ ୩ ପର୍ଯ୍ୟନ୍ତ କଡାକଡି ପାଳନ କରାଯିବା।
ଏହା ପୂର୍ବରୁ ଆଜି ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଲକ୍ଡାଉନ୍ରେ ଫଶିଥିବା ପ୍ରବାସୀ ଶ୍ରମିକ, ଛାତ୍ର, ତୀର୍ଥଯାତ୍ରୀ ଏବଂ ଅନ୍ୟ ଲୋକଙ୍କୁ ନିଜ ରାଜ୍ୟକୁ ଯିବା ଲାଗି ଅନୁମତି ଦେଇଛି। ଏହାକୁ ନେଇ ନୂତନ ଗାଇଡ୍ଲାଇନ୍ ଜାରି କରାଯାଇଛି। ନୂତନ ଗାଇଡ୍ଲାଇନ୍ ଅନୁସାରେ ଫସିଥିବା ଲୋକ ଏବେ ନିଜ ଘରକୁ ଯାଇ ପାରିବେ।
ଗୃହ ମନ୍ତ୍ରଣାଳୟ ନିଜର ଜାରି ଆଦେଶରେ କହିଛି ଯେ, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ନିଜ ରାଜ୍ୟରେ ଫସିଥିବା ଅନ୍ୟ ରାଜ୍ୟର ଲୋକଙ୍କୁ ପଠାଇବାର ବ୍ୟବସ୍ଥା କରିବା ଏବଂ ଅନ୍ୟ ରାଜ୍ୟରୁ ନିଜ ଲୋକଙ୍କୁ ଆଣିବା ପାଇଁ ପ୍ରଟୋକୋଲ ପ୍ରସ୍ତୁତ କରନ୍ତୁ। ଅର୍ଥାତ ଏବେ ପ୍ରତ୍ୟେକ ରାଜ୍ୟ ଅନ୍ୟ ରାଜ୍ୟରୁ ନିଜ ନିଜ ନାଗରିକଙ୍କୁ ନେଇ ପାରିବେ ଏବଂ ନିଜ ରାଜ୍ୟରେ ଥିବା ପ୍ରବାସୀ ନାଗରିକଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇ ପାରିବେ।