ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ବଡ଼ ଖବର : ବାଡମେର ଏବଂ ଜୈସଲମେରରେ ଲକ୍‌ଡାଉନ୍ ନିଷ୍ପତ୍ତି

Published By : Prameya-News7 Bureau | May 10, 2025 IST

ନୂଆଦିଲ୍ଲୀ ୧୦: ଭାରତ ଓ ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ରାଜସ୍ଥାନର ସୀମାବର୍ତ୍ତୀ ଜିଲ୍ଲା ବାଡମେର ଏବଂ ଜୈସଲମେରରେ ଲକଡାଉନ୍ କରିବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ପାକିସ୍ତାନ ତରଫରୁ ଡ୍ରୋନ୍ ଆଟାକ୍ ଉଦ୍ୟମ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଗତ କିଛି ଦିନ ହେବ ଜୈସଲମେର ଏବଂ ବାଡମେରରୁ ପାକିସ୍ତାନୀ ଡ୍ରୋନ୍ ଏବଂ ଅନ୍ୟ କିଛି ସନ୍ଦିଗ୍ଧ ଜିନିଷ ମିଳିଥିବା ଖବର ସାମ୍ନାକୁ ଆସିଛି । ସ୍ଥାନୀୟ ପ୍ରଶାସନ ବର୍ତ୍ତମାନର ସ୍ଥିତିକୁ ଧ୍ୟାନରେ ରଖି ଏଭଳି ନିଷ୍ପତ୍ତି ନେଇଛି ବୋଲି ସୂଚନା ରହିଛି ।

ରାଜସ୍ଥାନ ବାଡମେରରେ ମଧ୍ୟ ଆକାଶ ମାର୍ଗରେ ବିମାନ ଏବଂ ଡ୍ରୋନ୍ ଭଳି ଜିନିଷ ଦେଖାଯାଇଥିବା କଥା ସାମ୍ନାକୁ ଆସିଛି । ଏଠାରେ ସାଇରନ୍ ବାଜିବା ସହ ପ୍ରଚଣ୍ଡ ଶବ୍ଦ ମଧ୍ୟ ଶୁଣିବାକୁ ମିଳିଛି । ଏହି ଅଞ୍ଚଳରେ ଆକାଶରେ ୨ରୁ ୩ଟି ଡ୍ରୋନ୍ ଭଳି ଜିନିଷ ଦେଖିବାକୁ ମିଳିଛି । ପାକିସ୍ତାନ ପଟୁ ଆକ୍ରମଣ ପରେ ସବୁ ଲୋକଙ୍କୁ ଘରେ ରହିବାକୁ ବାଡମେର କଲେକ୍ଟର ଟିନା ଡାବି ଅପିଲ୍ କରିଛନ୍ତି ।

ଶୁକ୍ରବାର ବିଳମ୍ବିତ ରାତିରେ ଏବଂ ଶନିବାର ଭୋରରୁ ପାକିସ୍ତାନ ପୁଣି ଥରେ ଭାରତର ଅନେକ ସହର ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା । ଭାରତୀୟ ସେନା ଏହି ଉଦ୍ୟମକୁ ପଣ୍ଡ କରିଦେଇଥିଲା । ପାକିସ୍ତାନର ଏଭଳି ଉଦ୍ୟମକୁ ନେଇ ଶନିବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏକ ପ୍ରେସ୍‌ବ୍ରିଫିଂରେ କୁହାଯାଇଥିଲା ଯେ, ପାକିସ୍ତାନ ଗତ ରାତିରେ ଭାରତ ଉପରେ ଲଢୁଆ ବିମାନ ଦ୍ବାରା ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା । ଭାରତ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେଇଥିଲା । ଭାରତ ଏହି ଆକ୍ରମଣର ଜବାବ ଦେଇ ପାକିସ୍ତାନର ୪ଟି ଏୟାରବେସ୍ ଉପରେ ଆକ୍ରମଣ କରିଛି । ଭାରତର ଏଭଳି ପ୍ରତିଆକ୍ରମଣରେ ପାକିସ୍ତାନର ଅନେକ କ୍ଷତି ମଧ୍ୟ ହୋଇଛି ।

You Can Read: 

ମହାନଦୀ କୂଳରେ ପଡିଛି ଯୁବକଙ୍କ ମୃତଦେହ, କିଛି ଦୂରରେ ବାଇକ୍ ଓ ପ୍ୟାଣ୍ଟ୍-ସାର୍ଟ

  • Rajasthan
  • Operation Sindoor
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.