ଲକ୍ଡାଉନ୍ ୩.୦: କୋହଳ ପରେ ଘରୁ ବାହାରିଲେ ଲୋକେ, ଭୀଷଣ ଟ୍ରାଫିକ ଜାମରେ ଫସିଲେ
4/05/2020 at 10:07 PM

ନୂଆଦିଲ୍ଲୀ ୦୪।୦୫: କରୋନା ଭାଇରସ୍ର ସଂକ୍ରମଣକୁ ରୋକିବା ଲାଗି ଦେଶରେ ଗତ ୪୦ ଦିନ ହେବ ଲକ୍ଡାଉନ୍ ଜାରି ରହିଛି। ମେ ୪ରୁ ଲକ୍ଡାଉନ୍ର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ଯାଇଛି। ତୃତୀୟ ପର୍ଯ୍ୟାୟରେ କିଛିଟା କୋହଳ କରାଯାଇଛି। ଦିଲ୍ଲୀ ସରକାର ସମସ୍ତ ସରକାରୀ ଅଫିସ୍ ଖୋଲିଛନ୍ତି। ଗଳି କନ୍ଦିରେ ଷ୍ଟେସନାରୀ, ଅନ୍ୟ ଦୋକାନ ଖୋଲିବାକୁ ଅନୁମତି ସହିତ ଆଉ କିଛି ରିହାତି ମଧ୍ୟ ଦିଆଯାଇଛି। ଫଳସ୍ଵରୂପର ଲକ୍ଡାଉନ୍ ୩.୦ର ପ୍ରଥମ ଦିନରେ ଦିଲ୍ଲୀର ଅନେକ ଜାଗାରେ ଲମ୍ବା ସଡକ ଜାମ ଦେଖିବାକୁ ମିଳିଛି। ସେଥିରୁ ଦିଲ୍ଲୀରେ ଦ୍ଵାରକା-ପାଲମ ଫ୍ଲାଇଓଭରରେ ଭୀଷଣ ଟ୍ରାଫିକ ଜାମ ସ୍ଥିତି ଉତ୍ପନ ହୋଇଛି।

ପ୍ରାୟ ଦେଢ ମାସ ପରେ ଆଜି ସରକାରୀ ଦପ୍ତର କିଛି କୋହଳ ସହିତ ଖୋଲିଥିଲା, ଏଥିପାଇଁ ସଡକରେ ଆଜି ଅଧିକ ଗାଡି ଥିଲା। କନ୍ନାଟପ୍ଲେସ୍ରେ ମିଣ୍ଟୋ ରୋଡ୍ ଉପରେ ମଧ୍ୟ ଆଜି ସକାଳୁ ଅଫିସ୍ ସମୟରେ ପ୍ରାୟ ୫୦୦ ରୁ ୭୦୦ ମିଟର ଲମ୍ବା ଗାଡି ଜାମ ଲାଗିଥିଲା। ଦିଲ୍ଲୀ ପୋଲିସ୍ ବ୍ୟାରିକେଡ୍ ଲଗାଇ ସମସ୍ତ ଗାଡିକୁ ଚେକିଂ କରିଥିଲା। ଲୋକଙ୍କ ଆଇକାର୍ଡ ଦେଖାଯାଉଥିଲା, ଏହି କାରଣରୁ ରାସ୍ତାରେ ଲମ୍ବା ଜାମ ଲାଗିଥିଲା।
