ଅଧପନ୍ତରିଆ ରାସ୍ତା ଯୋଗୁଁ ରାଜପଥ ମରଣଯନ୍ତା : ରାସ୍ତା ଅବରୋଧ କଲେ ସ୍ଥାନୀୟଲୋକ, ଗାଡି ଚଳାଚଳ ଠପ୍

Published By : Prameya-News7 Bureau | July 13, 2022 IST

ଢେଙ୍କାନାଳ ୧୩।୭: ଢେଙ୍କାନାଳ ୫୫ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଦୀର୍ଘ ମାସ ହେଲା । ଅଧାରେ ଛାଡି ଠିକାଦାର ଛୁ । ଫଳରେ କଟକର ମଙ୍ଗୁଳି ଛକରୁ ଅନୁଗୋଳ ଯାଏଁ ରାଜପଥ ମରଣଯନ୍ତା

ପାଲଟିଯାଇଛି । ବିଶେଷ କରି ଢେଙ୍କାନାଳ ସହର ଉପକଣ୍ଠ ଗୋବିନ୍ଦପୁରଠାରୁ ମହିଷାପାଟ ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଖରା ଦିନେ ପ୍ରବଳ ଧୂଳି ଆଉ ରାସ୍ତାରେ ଖାଲଖମା ଯୋଗୁଁ ବର୍ଷା ଦିନେ ନାହିଁ ନଥିବା ସ୍ଥାନୀୟ ଲୋକେ ସମସ୍ୟା ଭୋଗୁଛନ୍ତି । ବାରମ୍ବାର ପ୍ରଶାସନଠାରୁ ରାଜନେତା ପର୍ଯ୍ୟନ୍ତ ଗୁହାରି କରି ଆସୁଥିଲେ ମଧ୍ୟ ସମସ୍ତେ ସ୍ଥାଣୁ ପାଲଟିଯାଇଛନ୍ତି ।  ଫଳରେ ଅଣନିସ୍ବାସୀ ହୋଇ ସ୍ଥାନୀୟ ଶ୍ୟାମଚରଣପୁର, ଅନନ୍ଦନଗର, କାଠଗଡା, ଇଛାଦେଇପୁର, କଣ୍ଟେଇକୋଳିଆ ଓ କୁଞ୍ଜକାନ୍ତ ଆଦି ବାସିନ୍ଦାମାନେ ଏହାର ତୀବ୍ର ପ୍ରତିବାଦ କରିଛନ୍ତି ।

ବୁଧବାର ସକାଳ ୮ଟାରୁ ଏହି ଜାତୀୟ ରାଜପଥକୁ କଲେଜ ବାଏପାସଠାରେ ଅବରୋଧ କରି ତୁରନ୍ତ ରାସ୍ତା ମରାମତି ଦାବି କରିଥିଲେ । ଫଳରେ ଜାତୀୟ ରାଜପଥ ଯୋଗାଯୋଗ କରୁଥିବା ରାଜ୍ୟର ଦୁଇ ପ୍ରମୁଖ ବାଣିଜ୍ୟସ୍ଥଳୀ କଟକ ଓ ସମ୍ବଲପୁର ମଧ୍ୟରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା । ଆନ୍ଦୋଳନସ୍ଥଳର ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ମଟର ଛିଡ଼ା ହୋଇ ରହିଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ଚାପା ଉତ୍ତେଜନା ଯୋଗୁଁ ଟାଉନ ପୋଲିସ ଓ ପୋଲିସ ଏସଡିପିଓ ପ୍ରମୁଖ ପୋଲିସ ଅଧିକାରୀ ପୋଲିସ ଫୋର୍ସ ସହ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ମାତ୍ର ରାସ୍ତା ମରାମତି ଆରମ୍ଭ ନହେବା ଯାଏଁ ରାସ୍ତା ଅବରୋଧରୁ ହଟିବେ ନାହିଁ ବୋଲି ଆନ୍ଦୋଳନକାରୀମାନେ ଜିଦରେ ଥିଲେ । ପରେ ଘଟଣାସ୍ଥଳକୁ ଢେଙ୍କାନାଳ ଏସପି ଓ ଉପଜିଲ୍ଲାପାଳ ପହଞ୍ଚି ଠିକାଦାରଙ୍କ ଉପସ୍ଥିତିରେ ଲୋକଙ୍କ ସହ ଆଲୋଚନା କରିଥିଲେ । ପରେ ଠିକାଦାର କାମ ଆରମ୍ଭ କରିବାର ପ୍ରତିଶ୍ରୁତି ପାଇ ଦୀର୍ଘ ୩ ଘଣ୍ଟା ପରେ ଆନ୍ଦୋଳନରୁ ହଟିଥିଲେ ଆନ୍ଦୋଳନକାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.