ମିତ୍ରପୁର ସ୍ୱାସ୍ଥକେନ୍ଦ୍ର ଅବ୍ୟବସ୍ଥାର ସୁଧାର ଓ ସରକାରୀକରଣ ଦାବି, ଦଳମତ ନିର୍ବିଶେଷରେ ଦେଲେ ଧାରଣା

Published By : Prameya-News7 Bureau | February 23, 2021 IST

ନୀଳଗିରି,୨୩/୦୨: ବାଲେଶ୍ଵର  ଜିଲ୍ଲା ନୀଳଗିରି ବ୍ଲକ ଅଧିନ ମିତ୍ରପୁର  ସ୍ୱାସ୍ଥ୍ୟ ସେବାକେନ୍ଦ୍ର ଦୀର୍ଘବର୍ଷ ଧରି ଅବ୍ୟବସ୍ଥା ଭିତରେ ଗତି କରୁଛି । ସରକାରୀକରଣ କରିବା ଓ ଅବ୍ୟବସ୍ଥାର ସୁଧାର ହେବା ନେଇ ବାରମ୍ବାର ପ୍ରତିଶୃତି ମିଳୁଛି । ହେଲେ କୌଣସି ସୁଫଳ ନମିଳିବାରୁ ଆଜି ଅଞ୍ଚଳବାସୀ ଦଳମତ ନିର୍ବିଶେଷରେ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ନୀଳଗିରିଠାରୁ ୧୦ କିଲୋମିଟର ଦୂର ମିତ୍ରପୁରଠାରେ ଏକ ଘରୋଇ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି । ୨୦୦୪ ମସିହା ଏପ୍ରିଲ ୧ ତାରିଖରେ ମିତ୍ରପୁର ସ୍ୱାସ୍ଥ୍ୟସେବା ସଂସ୍ଥା ନାମରେ ଏକ ଦାତବ୍ୟ ଚିକିତ୍ସା ସଂସ୍ଥା ଗଢି ଉଠିଥିଲା । ଏହାର ୩୦ ଡ଼ିସିମିଲ ପରିମିତ ୧,୦୦୦ ବର୍ଗଫୁଟରେ ନିଜସ୍ୱ ପକ୍କାଘର ରହିଛି । ଏଥି ସହିତ ୧.୯୦ ଏକର ନିଜସ୍ୱ ଜମି ରହିଥିବା ବେଳେ ଏହି ଅଞ୍ଚଳର କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଏହାର ପରିଚାଳନା କରାଯାଉଥିଲା । ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ଏଏନଏମ ଓ ସୁଇପର କାର୍ଯ୍ୟ କରୁଥିବାବେଳେ ସେମାନଙ୍କୁ ମଧ୍ୟ ଦରମା ବଦାନ୍ୟ ବ୍ୟକ୍ତିଙ୍କ ଆର୍ଥିକ ସହାୟତାରୁ ଦିଆଯାଉଥିଲା । ହେଲେ ଅଞ୍ଚଳରେ ଖଣି ଖାଦାନ ବନ୍ଦ ହେବାରୁ ସ୍ୱାସ୍ଥ କେନ୍ଦ୍ର ପରିଚାଳନା କରିବା ଏବେ କଷ୍ଟକର ହୋଇପଡିଛି । ପରେ ସ୍ୱାସ୍ଥ୍ୟ କେନ୍ଦ୍ରର ସଦସ୍ୟମାନେ ପୂର୍ବରୁ କେନ୍ଦ୍ରକୁ ସରକାରୀ କରଣ କରିବା ପାଇଁ ବାରମ୍ବାର ବିଧାୟକ, ସାଂସଦ, ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ଦେଇଆସୁଥିଲେ ।

ତତ୍କାଳୀନ ସାଂସଦ ରବିନ୍ଦ୍ର ଜେନା ମଧ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଖୁବଶୀଘ୍ର ସରକାରୀ କରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ପ୍ରତିଶୃତି ପାଣିର ଗାର ସଦୃଶ ପାଲଟିଛି । ତେଣୁ ଆଉ ଅଞ୍ଚଳବାସୀ ଭରସା ନକରି ଶେଷରେ ଆଜି ସ୍ୱାସ୍ଥକେନ୍ଦ୍ରର ଅଵ୍ୟଵସ୍ଥାର ସୁଧାର ଓ ସରକାରୀ କରଣ କରିବା ଦାବିରେ ନୀଳଗିରି ଉପ-ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି ।

ଏହି ଧାରଣାରେ ବିଭିନ୍ନ ଦଳର ନେତା, ପୂର୍ବତନ ବିଧାୟକ, ଖାଦାନ ସଙ୍ଘ, କ୍ରସର ସଙ୍ଘ, ସାଧାରଣ ହିତାଧିକାରୀ ମାନେ ସାମିଲ ହୋଇଥିଲେ । ଏକ ସ୍ମାରକପତ୍ର ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ଏହି ଧାରଣାରେ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ସମେତ ଅଞ୍ଚଳବାସୀ ଯୋଗଦେଇଥିବା ବେଳେ ବିଜେଡି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ ଆସି ସମର୍ଥନ ଜଣାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.