ପାଠାଗାର ନାମରେ ବ୍ୟକ୍ତିଗତ କୋଠା ନିର୍ମାଣ କରୁଛନ୍ତି ବିଧାୟକ, ଅଭିଯୋଗ ଆଣିଲେ ବ୍ଲକ୍‌ ଅଧ୍ୟକ୍ଷାଙ୍କ ସମେତ ସ୍ଥାନୀୟ ସରପଞ୍ଚ

Published By : Prameya-News7 Bureau | September 16, 2021 IST

ଦାରିଙ୍ଗିବାଡ଼ି, ୧୬।୦୯: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ମନମୁଖି କାର୍ଯ୍ୟ ନେଇ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି । ସ୍ଥାନୀୟ ବିଧାୟକ ବିଜୁ ପାଠାଗାର ନାମରେ ସରକାରୀ ଜମି ହଡ଼ପ କରି ନିଜେ ଗୃହ ନିର୍ମାଣ କରିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଏହାକୁ ନେଇ ବ୍ଲକ ଅଧ୍ୟକ୍ଷା ରୁଦା ମଲିକଙ୍କ ନେତୃତ୍ୱରେ ଉପାଧ୍ୟକ୍ଷ ରମାକାନ୍ତ ବଳିଆରସିଂ ଏବଂ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟା-ସଭ୍ୟ ପ୍ରମୁଖ ବ୍ଲକ କାର୍ଯ୍ୟଳୟ ପରିସର ମଧ୍ୟରେ ଆମରଣ ଅନଶନରେ ବସିଥିବା ଦେଖିବାକୁ ମିଳିଛି ।

ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟାଦେଶ ଦେବା ପୂର୍ବରୁ ଚଞ୍ଚକତା କରି କାର୍ଯ୍ୟ ଶେଷ କରାଯାଉଥିବା ଅଭିଯୋଗ କରିଛନ୍ତି ଲୋକ ପ୍ରତିନିଧି । ସ୍ଥାନୀୟ ବିଧାୟକ ବିଜୁ ପଟ୍ଟନାୟକଙ୍କ ନାମରେ ପାଠାଗାର କରିବା ଆଳରେ ସରକାରୀ ଜାଗାରେ ବ୍ୟକ୍ତିଗତ କୋଠା ନିର୍ମାଣ କରୁଥିବା ବି ଅଭିଯୋଗ ହୋଇଛି । ସେହି କାର୍ଯ୍ୟର କୌଣସି ସରକାରୀ ତଥ୍ୟ ନଥିବା ବେଳେ ବିଧାୟକ ଚଞ୍ଚକତା କରି ସରକାରୀ ଜମିକୁ ହାତେଇଛନ୍ତି ବୋଲି ଅଧ୍ୟକ୍ଷା କହିଛନ୍ତି । ତେଣୁ ଏ ଦିଗରେ ତୁରନ୍ତ ଆଇନ ଅନୁସାରେ ପଦକ୍ଷେପ ନେବାକୁ ଦାବି ହୋଇଛି ।

ସହକାରୀ ନିର୍ବାହୀ ଯନ୍ତ୍ରୀ ବ୍ଲକରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରି ଉନ୍ନୟନ କାମ ବାଧାପ୍ରାପ୍ତ କରୁଥିବା ଯୋଗୁଁ ତାଙ୍କୁ ଶୀଘ୍ର ବଦଳି ଦାବି କରିଛନ୍ତି ପଞ୍ଚାୟତ ପ୍ରତିନିଧି ।  ଦାରିଙ୍ଗବାଡ଼ି ବସ୍‌ଷ୍ଟାଣ୍ଡ ଠାରୁ ବିକ୍ଷୋଭକାରୀମାନେ ପ୍ଲାକାର୍ଡ, ବ୍ୟାନର ଧରି ବିରାଟ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ପରିସରରେ ପହଞ୍ଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରି ଅନଶନରେ ବସିଛନ୍ତି । ଦାବି ପୂରଣ ନ ହେବା ଯାଏଁ ଏହି ଆନ୍ଦୋଳନ ଚାଲିବ ବୋଲି ଅଧକ୍ଷା, ଉପାଧ୍ୟକ୍ଷଙ୍କ ସମେତ ସରପଞ୍ଚ ଶ୍ୟାମଘନ ପ୍ରଧାନ, ରାଧାକାନ୍ତ ପ୍ରଧାନ, ଆରତୀ ମଳିକ, ରମେଶ ମାଝୀ, ଚନ୍ଦ୍ରକାନ୍ତ ମୁଠାମାଝୀ, କେଶବସେନ ମୁଠାମାଝୀ, ସମିତିସଭ୍ୟ କରମ ସିଂ, ନିର୍ମଳା ସାହୁ, ଉପେନ୍ଦ୍ର ମୁଠାମାଝୀ, ସୂର୍ଯ୍ୟକାନ୍ତ ପ୍ରଧାନ, ନିଳାମ୍ବର ପ୍ରଧାନ, ଆରତୀ ପ୍ରଧାନ ପ୍ରମୁଖ ଚେତାବନୀ ଦେଇଛନ୍ତି । ଘଟଣା ସ୍ଥଳରେ ବାଲିଗୁଡ଼ା ଏସ୍‌ଡିପିଓ ମନୋଜ କୁମାର ପୂଜାରୀ, ତହସିଲଦାର ଚାର୍ଲସ ନାୟକ, ଆଇଆଇସି କୌଶିକ ମାଝି ପ୍ରମୁଖ ଅନଶନ ସ୍ଥାନରେ ଉପସ୍ଥିତ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.