LJPରେ ଗୋଷ୍ଠୀକନ୍ଦଳ ତୀବ୍ର, ଚିରାଗଙ୍କ ବିରୋଧରେ ବର୍ଷିଲେ ଲୋଜପାର ରାଜ୍ୟ ସାଧାରଣ ସଂପାଦକ, କହିଲେ- ଗଢ଼ିବୁ ନୂଆ ଦଳ

Published By : Prameya-News7 Bureau | December 04, 2020 IST

ପାଟନା ୦୪/୧୨:  ନିର୍ବାଚନ ପରେ ବିହାର ରାଜନୀତିରେ ଜାରି ରହିଛି ହଲଚଲ। ଜେଡିୟୁ ପ୍ରମୁଖ ତଥା ବର୍ତ୍ତମାନର ବିହାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ ବ୍ୟଥିତ ହୋଇ ଏନଡିଏ ସହଯୋଗୀ ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି) ଗତ ବିଧାନସଭା ନିର୍ବାଚନରେ ଏକାକୀ ଲଢ଼ିଥିଲା। କିନ୍ତୁ ଦଳକୁ ପରାଜୟ ସ୍ବୀକାର କରିବାକୁ ପଡ଼ିଥିଲା। ତାପରେ ଏଲ୍‌ଜେପି ମୁଖ୍ୟ ଚିରାଗ ପାଶଓ୍ବାନଙ୍କୁ ନିଜ ଦଳର ନେତା ବିରୋଧ କରୁଥିବା ଦେଖିବାକୁ ମିଳିଛି।

ଏଲ୍‌ଜେପିରେ ଜୋରଦାର ଗୋଷ୍ଠୀକନ୍ଦଳ ଆରମ୍ଭ ହୋଇଯାଇଛି। ଦଳର ରାଜ୍ୟ ସାଧାରଣ ସମ୍ପାଦକ କେଶବ ସିଂହ ଅଧ୍ୟକ୍ଷ ଚିରାଗ ପାଶଓ୍ବାନଙ୍କ ବିରୋଧରେ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ଜାନୁଆରୀ ତୃତୀୟ ସପ୍ତାହରେ ଲୋଜପା ଭାଙ୍ଗିବ ବୋଲି ମଧ୍ୟ ଦାବି କରିଛନ୍ତି । ଏହା ସହ ଲୋଜପାରୁ ଅଲଗା ହୋଇ ରାମବିଳାସ ପାଶଓ୍ବାନ ଦଳ କରିବା କଥା ମଧ୍ୟ କହିଛନ୍ତି କେଶବ।

ଫେସ୍‌ବୁକ୍‌ ପୋଷ୍ଟରେ ନୂଆ ପାର୍ଟି ଗଠନ କରିବା ନେଇ ଘୋଷଣା କରିଛନ୍ତି କେଶବ। ପୋଷ୍ଟ ମାଧ୍ୟମରେ ୩୦ ଜିଲ୍ଲା ଅଧ୍ୟକ୍ଷ, ଜାତୀୟ ଓ ରାଜ୍ୟ କାର୍ଯ୍ୟକାରିଣୀ  ସଦସ୍ୟଙ୍କୁ ନୂଆ ପାର୍ଟି ଗଠନ ହେବ ବୋଲି ଜଣାଇଛନ୍ତି କେଶବ ସିଂହ। ଏହା ସହ ସେ ଲେଖିଛନ୍ତି  ଯଦି ମୁଁ ମୁହଁ ଖୋଲିବି ତେବେ ବହୁ ନେତା ଜେଲ୍‌ରେ ନଜର ଆସିବେ।

ବିଧାନସଭା ନିର୍ବାଚନରେ ପରାଜୟ ମିଳିବା ପରେ ଚିରାଗ ପାଶ୍ଓ୍ବାନ ଲୋଜପାର ସମସ୍ତ ଜିଲ୍ଲା କମିଟି ଭଙ୍ଗ କରିଛନ୍ତି। ବୁଧବାର କାର୍ଯ୍ୟଳୟରେ ପାର୍ଟିର ସମସ୍ତ ନେତାଙ୍କ ସହ ବୈଠକ କରିଥିଲେ ଚିରାଗ। ସମସ୍ତ କମିଟି ଭଙ୍ଗ କରିବା ସହ ଦୁଇ ମାସ ଭିତରେ ନୂଆ କମିଟି ଗଠନ କରାଯିବ ବୋଲି ବୈଠକରେ ଘୋଷଣା କରିଛନ୍ତି ପାର୍ଟି ପ୍ରମୁଖ।

ନିର୍ବାଚନରେ ଲୋଜପାକୁ ମିଳିଥିବା ପରାଜୟ ସମ୍ପର୍କରେ ଚିରାଗ ସମୀକ୍ଷା କରିଛନ୍ତି। ବୈଠକରେ ନେତାମାନଙ୍କ ମତ ନେଇଛନ୍ତି ଚିରାଗ। ସମସ୍ତ କମିଟି ଭଙ୍ଗ କରିବା ସହ ନେତାମାନଙ୍କୁ ଏବେ ଠୁ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଆହ୍ବାନ ଦେଇଥିବା ବେଳେ ଆଗାମି କମିଟି କେଉଁ ନେତାଙ୍କୁ ନେଇ ଗଠନ କରାଯିବ ତା ଉପରେ ସମସ୍ତଙ୍କ ନଜର ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.