ବାଜିବନି ଆଉ ଶାହାନାଇ: ବିବାହ ପାଇଁ ପାଖାପାଖି ୪ ମାସ ଯାଏଁ ନାହିଁ ଶୁଭ ମୁହୂର୍ତ୍ତ

Published By : Prameya-News7 Bureau | December 07, 2020 IST

ଭୁବନେଶ୍ୱର ୦୭/୧୨ : ଡିସେମ୍ବର ୧୫ ତାରିଖରୁ ଗ୍ରହ ଦଶା ବଦଳିବାକୁ ଯାଉଛି। ଫଳରେ ଆଗାମୀ ୧୨୫ ଦିନ ଯାଏଁ ବିବାହ ପାଇଁ କୌଣସି ଶୁଭ ମୁହୂର୍ତ୍ତ ନାହିଁ। ୧୨୫ ଦିନ ଆଉ କୌଣସି ମାଙ୍ଗଳିକ କାର୍ଯ୍ୟ ହେବନାହିଁ। ଗ୍ରହମାନଙ୍କ ରାଜା ବୋଲାଉଥିବା ସୂର୍ଯ୍ୟ ମୂଳ ନକ୍ଷତ୍ର ଧନୁ ରାଶିରେ ପ୍ରବେଶ କରିବେ। ଜ୍ୟୋତିଷଙ୍କ କହିବାନୁଯାୟୀ, ଯେତେବେଳେ ସୂର୍ଯ୍ୟ ଧନୁ ଏବଂ ମୀନ ରାଶିରେ ଗୋଚର କରନ୍ତି ସେହି ମାସକୁ ଖରମାସ କୁହାଯାଏ। ୧୫ ତାରିଖରୁ ଖରମାସ ଆରମ୍ଭ ହେବ। ଜ୍ୟୋତିଷଙ୍କ ଅନୁସାରେ ଡିସେମ୍ବର ୧୬ ତାରିଖ, ବୁଧବାର  ସକାଳ ୬ଟା ୧୫ ମିନିଟରୁ ଜାନୁଆରୀ ୧୪ ତାରିଖ ଗୁରୁବାର ୨ଟା ୩ ମିନିଟ ଯାଏଁ ସୂର୍ଯ୍ୟ ମୂଳ ନକ୍ଷତ୍ର ଧନୁ ରାଶିରେ ରହିବେ। ଖରମାସ ପାଖାପାଖି ମାସେ ଯାଏଁ ରହିବ। ଏହାପରେ ଜାନୁଆରୀ ୧୪ ତାରିଖରେ ସୂର୍ଯ୍ୟ ଧନୁ ରାଶି ଛାଡି ଶନିଦେବଙ୍କ ରାଶି ମକର ରାଶିରେ ପ୍ରବେଶ କରିବେ। ଏହାପରେ ଖରମାସ ସମାପ୍ତ ହୋଇଯିବ।

ଜ୍ୟୋତିଷଙ୍କ କହିବାନୁଯାୟୀ, ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବା ସହ ଉତ୍ତରାୟଣ ଗତି ଆରମ୍ଭ କରିବେ। ଏହାପରେ ବିବାହ, ବ୍ରତ ଭଳି ଶୁଭ କାର୍ଯ୍ୟ ଭଳି ଶୁଭ କାର୍ଯ୍ୟ ଆରମ୍ଭ ହୋଇଯିବ। କିନ୍ତୁ ଏଥର କିଛି ଭିନ୍ନ ଯୋଗ ରହିଛି। କାରଣ ଜାନୁଆରୀ ୧୬ ତାରିଖରେ ସୂର୍ଯ୍ୟଦେବ ଗୁରୁଙ୍କ ପଶ୍ଚିମ ଦିଗରେ ଅସ୍ତ ହୋଇ ଫେବୃଆରୀ ୧୨ ତାରିଖରେ ପୁଣି ଉଦୟ ହେବେ। ସୌଭାଗ୍ୟ, ସୁଖ ସମ୍ପନ୍ନତାର କାରକ ଗ୍ରହ ଶୁକ୍ର ଫେବୃଆରୀ ୧୭ ତାରିଖରେ ପୂର୍ବ ଦିଗରେ ଅସ୍ତ ହୋଇଯିବେ। ପୁନଃ ଏପ୍ରିଲ ୧୯ ତାରିଖରେ ପଶ୍ଚିମ ଦିଗରେ ଉଦୟ ହେବେ।

ଏହି ଅବଧିରେ ସୂର୍ଯ୍ୟଦେବ ମାର୍ଚ୍ଚ ୧୪ ରୁ ଏପ୍ରିଲ ୧୪ ତାରିଖ ଯାଏଁ ମୀନ ରାଶିରେ ରହିବା ଯୋଗୁଁ ଖରମାସ ରହିବ। ଏହିଭଳି ସୂର୍ଯ୍ୟ, ଦେବଗୁରୁ ବୃହଷ୍ପତ୍ତି ଏବଂ ଦୈତ୍ୟ ଗୁରୁ ଶୁକ୍ରଙ୍କ ସ୍ଥିତି ଭଲ ରହିବ ନାହିଁ ଯେଉଁଥିପାଇଁ ବିବାହ ଆଦି ପାଇଁ ଶୁଭ ମୁହୂର୍ତ୍ତ ମିଳିବନି। ଯେଉଁଥିପାଇଁ ଡିସେମ୍ବର ୧୬ ରୁ ଏପ୍ରିଲ ୨୨ ତାରିଖ ଯାଏଁ କୌଣସି ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ ହେବନାହିଁ। ବିବାହ ଭଳି ଶୁଭ କାର୍ଯ୍ୟ ଏପ୍ରିଲ ୨୨ ତାରିଖ ପରେ ହିଁ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.