ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସଙ୍କ ମୋବାଇଲ୍ ଫୋନ୍ ହ୍ୟାକ୍ କରିଥିଲା ଋଷ; ୟୁକ୍ରେନ୍ ସମ୍ବନ୍ଧୀୟ ସବୁ ତଥ୍ୟ ଜାଣିପାରିଛନ୍ତି ପୁଟିନଙ୍କ ଏଜେଣ୍ଟ

Published By : Prameya-News7 Bureau | October 30, 2022 IST

ଲଣ୍ଡନ: ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସଙ୍କ ମୋବାଇଲ୍ ଫୋନ୍ ହ୍ୟାକ୍ କରିଥିଲା ଋଷିଆ। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ କାମ କରୁଥିବା ଏକ ଏଜେଣ୍ଟ ଟ୍ରସଙ୍କର ବ୍ୟକ୍ତିଗତ ମୋବାଇଲ୍ ଫୋନ୍ ହ୍ୟାକ୍ କରିଥିବା ଏକ ରିପୋର୍ଟରେ ଜଣାପଡ଼ିଛି। ଲିଜ୍ ଟ୍ରସ ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିବା ବେଳେ ତାଙ୍କ ମୋବାଇଲ୍ ଫୋନ ହ୍ୟାକ୍ କରାଯାଇଥିଲା ବୋଲି ବ୍ରିଟେନ୍ ଖବରକାଗଜ ଡେଲି ମେଲ୍‌ରେ ରିପୋର୍ଟ ପ୍ରକାଶ ପାଇଛି।

ମୋବାଇଲ୍ ଫୋନ୍ ହ୍ୟାକ୍ କରି ଏଜେଣ୍ଟମାନେ ଲିଜ୍ ଟ୍ରସଙ୍କର ଅନ୍ତର୍ଜାତୀୟ ସହଯୋଗୀଙ୍କ ସହ ହୋଇଥିବା ସମସ୍ତ ଗୁପ୍ତ ଆଲୋଚନାର ତଥ୍ୟ ଚୋରି କରିଛନ୍ତି। ତା ସହିତ ନିକଟତର ରାଜନୈତିକ ବନ୍ଧୁ ତଥା ପରବର୍ତ୍ତି ସମୟରେ ବୈଦେଶିକ ମନ୍ତ୍ରୀ ହୋଇଥିବା କ୍ୱାସି କ୍ୱାର୍ଟେଙ୍ଗଙ୍କ ସହ କରିଥିବା ବ୍ୟକ୍ତିଗତ ମେସେଜ୍‌କୁ ମଧ୍ୟ ଏଜେଣ୍ଟମାନେ ପଢ଼ିଛନ୍ତି। ଏହି ମେସେଜଗୁଡ଼ିକ ୟୁକ୍ରେନ ଯୁଦ୍ଧକୁ ନେଇ ଥିଲା ବୋଲି ଜଣାପଡ଼ିଛି। ପ୍ରାୟ ବର୍ଷେ ଏଭଳି ହ୍ୟାକ୍ କରି ତଥ୍ୟ ଡାଉନଲୋଡ କରାଯାଇଥିଲା ବୋଲି ଡେଲି ମେଲ୍‌ ବିଶେଷ ସୂତ୍ରରୁ ଖବର ପ୍ରକାଶ କରିଥିବା କହିଛି।

ଏଭଳି ଘଟଣା ପରେ ବ୍ୟକ୍ତିଗତ ସୁରକ୍ଷା ନେଇ ପ୍ରଶ୍ନ ଉଠିଥିଲା। ଏହି ମାମଲାରେ ବ୍ରିଟେନ୍ ସରକାରୀ ପ୍ରବକ୍ତାଙ୍କ ପ୍ରତିକ୍ରିୟା ମଗାଯାଇଥିଲା। ହେଲେ ସେ ଏ ବିଷୟରେ କିଛି କହିବାକୁ ମନା କରିଦେଇଛନ୍ତି। ଏନେଇ ସେ କହିଛନ୍ତି, "ସାଇବର ବିପଦରୁ ରକ୍ଷା ପାଇବା ପାଇଁ ସରକାରଙ୍କ ପାଖରେ ମଜଭୁତ ପ୍ରଣାଳି ରହିଛି। ଏଥିରେ ମନ୍ତ୍ରୀମାନଙ୍କର ନିୟମିତ ସୁରକ୍ଷା ବ୍ୟବସ୍ଥା ସହିତ ସାଇବର ବିପଦରୁ ରକ୍ଷା ପାଇବା ପାଇଁ ସେମାନଙ୍କ ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷା ଦେବାକୁ ପରାମର୍ଶ ଦିଆଯାଇଥାଏ।"

ଲିଜ୍ ଟ୍ରସଙ୍କର ମୋବାଇଲ ହ୍ୟାକ୍ ହୋଇଥିଲା ବୋଲି ପୂର୍ବ ନିର୍ବାଚନରେ ଜଣାପଡ଼ିଥିଲା। ଯେତେବେଳେ ଲିଜ୍ ଟ୍ରସ ପ୍ରଧାନମନ୍ତ୍ରୀ ଦୌଡ଼ରେ ସାମିଲ ହୋଇଥିଲେ ସେତେବେଳେ ତାଙ୍କ ମୋବାଇଲ୍ ହ୍ୟାକ୍ ହୋଇଥିବା କୁହାଯାଉଛି।

ସୂଚନା ଥାଉକି, ଲିଜ୍ ଟ୍ରସ ପ୍ରଧାନମନ୍ତ୍ରୀ ହେବା ପରେ ଅର୍ଥନୀତି ସୁଧାରିବାକୁ ବଡ଼ ପଦକ୍ଷେପ ନେଇଥିଲେ। ଏଥିପାଇଁ ସେ ଶିଳ୍ପପତିଙ୍କୁ ୪୦ ପ୍ରତିଶତ କର ଛାଡ଼ କରିଥିଲା। ଏହା ତାଙ୍କର ସବୁଠାରୁ ବଡ଼ ଭୁଲ ନିଷ୍ପତ୍ତି ଥିଲା। ଯାହା ବ୍ରିଟେନ୍ ଅର୍ଥନୀତିକୁ ସୁଧାରିବା ବଦଳରେ ଆହୁରି ଦୁର୍ବଳ କରିଦେଇଥିଲା। ତାଙ୍କର ଏହି ନିଷ୍ପତ୍ତିରେ ଲୋକେ ଖୁବ୍ ବିରୋଧ କରିଥିଲେ। ଫଳରେ ଟ୍ରସ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଭାରତୀୟ ବଂଶୋଦ୍ଭବ ଋଷ ସୁନକ ୨୫ ଅକ୍ଟୋବରରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.