ଲିଜ୍ ଟ୍ରସ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ, ଭାରତୀୟ ବଂଶୋଦ୍ଭବ ଋଷି ସୁନକ ନିରାଶ, ୨୦ ହଜାରରୁ ଅଧିକ ଭୋଟରେ ହାରିଲେ
5/09/2022 at 5:21 PM

ନୂଆଦିଲ୍ଲୀ: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଲିଜ୍ ଟ୍ରସ ନିର୍ବାଚିତ ହୋଇଛନ୍ତି । ଏକ କଡା ମୁକାବିଲାରେ ସେ ଭାରତୀୟ ବଂଶୋଦ୍ଭବ ସାଂସଦ ଋଷି ସୁନକଙ୍କୁ ହରାଇଛନ୍ତି । ଥେରେସା ମେ ଏବଂ ମାର୍ଗରେଟ ଥେଚରଙ୍କ ପରେ ଲିଜ୍ ଟ୍ରସ ବ୍ରିଟେନର ତୃତୀୟ ମହିଲଆ ପ୍ରଧାନମନ୍ତ୍ରୀ ଭବେ ଶପଥ ନେବେ । ପ୍ରଧାନମନ୍ତ୍ରୀ ପଦ ପାଇଁ ଚୂଡାନ୍ତ ପର୍ଯ୍ୟାୟ ମତଦାନ ଗତ ଶୁକ୍ରବାର ଶେଷ ହୋଇଥିଲା । ନିର୍ବାଚନ ଶେଷ ହେବା ପୂର୍ବରୁ ପ୍ରି-ପୋଲ ସର୍ଭେରେ ଋଷି ସୁନକଙ୍କ ଠାରୁ ଲିଜ ଟ୍ରସ ବହୁ ଆଗରେ ଥିବା କୁହାଯାଇଥିଲା।
ବ୍ରିଟେନର କ୍ଷମତାଶୀନ କନଜରଭେଟିବ ପାର୍ଟି ଗତ ଦୁଇ ମାସର ଦୀର୍ଘ ପ୍ରକ୍ରିୟା ପରେ ହାଉସ ଅଫ କମନ୍ସରେ ନିଜର ନେତା ତଥା ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଚୟନ କରିଛି । ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ଏବଂ ବର୍ତ୍ତମାନର ବିଦେଶ ମନ୍ତ୍ରୀ ଲିଜ୍ ଟ୍ରସଙ୍କ ମଧ୍ୟରେ ଚୂଡାନ୍ତ ଲଢେଇ ହୋଇଥିଲା। ନିର୍ବାଚନରେ ଲିଜ ଟ୍ରସଙ୍କୁ ୮୧,୨୩୬ ଭୋଟ ମିଳିଥିବା ବେଳେ ଋଷି ସୁନକଙ୍କୁ ୬୦,୩୯୯ ଭୋଟ ମିଳିଛି । ଆସନ୍ତା ମଙ୍ଗଳବାର ଲିଜ୍ ଟ୍ରସ୍ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।
#WATCH | Liz Truss defeats rival Rishi Sunak to become the new Prime Minister of the United Kingdom pic.twitter.com/Xs4q2A2ldu
— ANI (@ANI) September 5, 2022
କନଜରଭେଟିବ ପାର୍ଟିର ନିର୍ବାଚନ କମିଟି ମୁଖ୍ୟ ଘୋଷଣା କରି ଲିଜ୍ ଟ୍ରସଙ୍କୁ ନିଜର ପ୍ରଥମ ପସନ୍ଦ ବୋଲି କହିଛନ୍ତି । ଦଳର ନେତା ନିର୍ବାଚିତ ହେବା ସହ ଟ୍ରସ ଦେଶର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ ହେବେ। ଗତ ଛଅ ବର୍ଷରେ ଦେଶର ଚତୁର୍ଥ ପ୍ରଧାନମନ୍ତ୍ରୀ ହେବେ। ଟ୍ରସଙ୍କ ପୂର୍ବରୁ ଡେଭିଡ୍ କ୍ୟାମରନ, ଥେରେସା ମେ, ବୋରିସ ଜନସନ ୨୦୧୬ରୁ ୨୦୨୨ ଯାଏଁ କିଛି କିଛି ବର୍ଷ ଧରି ଦେଶର ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ।
ଉଲ୍ଲେଖଯୋଗ୍ୟ ଯେ, ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ପାଇଁ ଜୁଲାଇରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ପଦରୁ ବୋରିସ ଜନସନଙ୍କ ଇସ୍ତଫା ପରେ ପରବର୍ତ୍ତୀ ନେତା ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଦୁଇ ମାସ ପ୍ରକ୍ରିୟା ପରେ ବ୍ରିଟେନକୁ ଆଜି ନୂଆ ପ୍ରଧାନମନ୍ତ୍ରୀ ମିଳିଛି।