ସୁପ୍ରିମକୋର୍ଟ ଶୁଣାଣିର ହେବ ସିଧା ପ୍ରସାରଣ : ଗଠନ ହେଲା ସବ୍କମିଟି, ୨୦ହଜାର ଅଦାଲତରେ ହେବ ଲାଇଭ୍ ଷ୍ଟ୍ରିମିଂ
5/11/2020 at 2:18 PM

ନୂଆଦିଲ୍ଲୀ ୦୫।୧୧: କୋର୍ଟରେ ଚାଲୁଥିବା ଶୁଣାଣିର ସିଧା ପ୍ରସାରଣ(ଲାଇଭ୍ ଷ୍ଟ୍ରିମିଂ) କରିବା ପାଇଁ ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ନୀତିଗତ ଭାବେ ସମ୍ମତି ଜଣାଇବାର ପ୍ରାୟ ଦୁଇ ବର୍ଷ ପରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସୁପ୍ରିମକୋର୍ଟ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ବିଚାରପତି ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟର ଇ-କମିଟି ଏଥିପାଇଁ ଏକ ସବ୍-କମିଟି ଗଠନ କରିଛନ୍ତି ।
ଉକ୍ତ କମିଟିକୁ ଚାରିଟି ବିଷୟ ଉପରେ ନିଜର ରିପୋର୍ଟ ଦେବାକୁ କୁହାଯାଇଛି । ସେଗୁଡିକ ହେଲା- ସମସ୍ତ ରାଜ୍ୟର ହାଇକୋର୍ଟ ଏବଂ ପ୍ରାୟ ୨୦,୦୦୦ ନିମ୍ନ ଅଦାଲତରେ ଏଭଳି ଲାଇଭ୍ ଷ୍ଟ୍ରିମିଂ କରିବା ପାଇଁ କି ପ୍ରକାର ଭିତ୍ତିଭୂମି ଆବଶ୍ୟକ, ଏହି ପ୍ରକଳ୍ପ ପାଇଁ କେତେ ଅର୍ଥ ବ୍ୟୟ ହେବ, ଏଥିପାଇଁ କେଉଁ ପ୍ରକାର ସଫ୍ଟୱେର ବ୍ୟବହାର କରାଯିବ । ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାରଙ୍କ ଠାରୁ କେତେ ଅନୁଦାନ ନେବା ଆବଶ୍ୟକ ପଡ଼ିବ ।
ଗତ ମାସ ୨୬ ତାରିଖରେ ଗୁଜରାଟ ହାଇକୋର୍ଟର ଏକ ଖଣ୍ଡପୀଠ ଗୋଟିଏ ମାମଲାର ଶୁଣାଣିର ଲାଇଭ୍ ଷ୍ଟ୍ରିମିଂ କରାଇଥିଲେ । ବିଚାରପତି ଚନ୍ଦ୍ରଚୂଡ ଏହାର ଉଚ୍ଚ ପ୍ରଶଂସା କରିବା ସହିତ ଏଭଳି ବ୍ୟବସ୍ଥାକୁ ବ୍ୟାପକ ମାତ୍ରାରେ ଲାଗୁ କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଉକ୍ତ ସବ୍ କମିଟି ଗଠନ କରାଯାଇଛି ।