ଲିଥୁଆନା ଖେଳାଳିଙ୍କ ବିଶ୍ୱ ରେକର୍ଡ; ୨୪ ଘଣ୍ଟାରେ ଦୌଡ଼ିଲେ ୩୧୯ କିଲୋମିଟର

Published By : Prameya-News7 Bureau | September 20, 2022 IST

ନୂଆଦିଲ୍ଲୀ ୨୦/୦୯: ୨୪ ଘଣ୍ଟାରେ ୩୧୯.୬୧୪ କିମି ଦୌଡ଼ି ଲିଥୁଆନିଆ ଅଲ୍ଟ୍ରାରନର୍‌(ଦୌଡ଼ାଳି) ଆଲେକ୍ସଜେଣ୍ଡାର ସୋରୋକିନ୍‌ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଇଣ୍ଟରନ୍ୟାସନାଲ୍‌ ଆସୋସିଏସନ୍‌ ଅଫ୍ ଅଲ୍ଟ୍ରାରନର୍‌ (ଆଇଏୟୁ) ପକ୍ଷରୁ ଆୟୋଜିତ ୨୪ଘଣ୍ଟିଆ ଆଏୟୁ ଚମ୍ପିଆନ୍‌ସିପ୍‌  ପ୍ରତିଯୋଗିତାରେ ସେ ପ୍ରଥମ ହୋଇ ଏହି ସଫଳତା ହାସଲ କରିଛନ୍ତି। ଇଟାଲିର ଭେରୋନାରେ ଆୟୋଜିତ ଏହି ଦୌଡ଼ ପ୍ରତିଯୋଗିତାରେ ପାଖାପାଖି ୧୦ କିମି ବ୍ୟବଧାନରେରେ ସେ ଏହି ରେକର୍ଡ ଭାଙ୍ଗିଛନ୍ତି।   

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେଯେ, ଏହି ଦୌଡ଼ାଳି ଜଣଙ୍କ ତାଙ୍କ ଓଜନ କମାଇବାକୁ ୨୦୧୩ରେ ଦୌଡ଼ିବା ଆରମ୍ଭ କରିଥିଲେ। ଆଲେକ୍ସଙ୍କୁ ଏବେ ୪୦ ବର୍ଷ। କିନ୍ତୁ ୨୦୨୧ରେ ସେ ଗୋଟିଏ ଦିନରେ ୩୦୯. ୩୯୯ କି.ମି. ଦୌଡ଼ି ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ଏହି ରେକର୍ଡ ସୃଷ୍ଟି କରିବା ଫଳରେ ସେ ଗ୍ରୀସ୍‌ର ଅଲ୍ଟ୍ରା ମାରାଥନ ଦୌଡ଼ାଳି ୟାନିଶ୍‌ କୋରୋଶଙ୍କର ରେକର୍ଡକୁ ପଛରେ ପକାଇଥିଲେ।

ଚଳିତ ବର୍ଷ ୨୪ ଘଣ୍ଟିଆ ଆଏୟୁ ଇୟୁରୋପିଆନ୍‌ ଚମ୍ପିଆନ୍‌ସିପ୍‌ରେ ସୋରକିନ୍‌ ୩୧୯ କିମି ଦୂରତାକୁ ହାରାହାରି ପ୍ରତି ୪ମିନିଟ୍‌ ୩୦ ସେକଣ୍ଡରେ ଗୋଟିଏ କିମି ଦୌଡ଼ି ଅତିକ୍ରମ କରିବାରେ ସଫଳ ହୋଇଛନ୍ତି। ଅନ୍ୟପଟେ ପୋଲାଣ୍ଡର ଆଣ୍ଡ୍ରେଜ୍‌ ପିଟ୍ରୋୱିସ୍କି (୩୦୧.୮୫୮ କିମି ଦୌଡ଼ି) ଏହି ପ୍ରତିଯୋଗିତାରେ ଦ୍ୱିତୀୟ ହୋଇଥିବା ବେଳେ ଇଟାଲିର ମାର୍କୋ ବିସିନିତି ୨୮୮.୪୩୭ କିମି ଦୌଡ଼ି ଏଥିରେ ତୃତୀୟ ସ୍ଥାନ ପାଇଛନ୍ତି। ସୂଚନାଥାଉକି, ଚଳିତବର୍ଷ ସେପ୍ଟମ୍ୱର ୧୭ ଓ ୧୮ରେ ଏହି ୨ଦିନିଆ ଅଲ୍ଟ୍ରା ରନିଙ୍ଗ ପ୍ରତିଯୋଗିତା କରାଯାଇଥିଲା।       

ସୋରକୋରିନ ଏହି ସଫଳତାକୁ ତାଙ୍କ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ଶେୟାର୍‌ କରିଛନ୍ତି। ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର୍‌ କରି ପ୍ରତିଯୋଗିତାରେ ସେ ଥକି ଯାଇଥିବା କହିଛନ୍ତି। ସେ ୪୦ ବର୍ଷ ବୟସ ସତ୍ୱେବି ତାଙ୍କ ମଧ୍ୟରେ ଉତ୍ସାହ ଭରି ରହିଥିବା ବେଳେ ତାଙ୍କର ପ୍ରଶଂସକ ମାନଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି ମୁଁ ପ୍ରକୃତରେ ଅନୁଭବ କଲିଯେ, ମୁଁ ବହୁତ ଥକିଯାଇଛି,ସେ ଯାହାବି ହେଉ ମୋର ଉତ୍ସାହ ଦୁଇଗୁଣିତ ହୋଇଛି। ଆପଣମାନଙ୍କର ସମର୍ଥନ ପାଇଁ ବହୁତ ବହୁତ ଧନ୍ୟବାଦ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.