ଭୋଟ ଗଣତି ପୂର୍ବରୁ ଅବକାରୀ ବିଭାଗର ଚଢ଼ାଉ, ୬୪୮ ବୋତଲ ବିଦେଶୀ ମଦ ଜବତ, ଦୁଇ ଗିରଫ

Published By : Prameya-News7 Bureau | February 25, 2022 IST

ଭଦ୍ରକ, ୨୫।୦୨: ଭୋଟ ଗଣତି ପୂର୍ବରୁ ଚୋରା ମଦ କାରବାର ରୋକିବା ପାଇଁ ଅବକାରୀ ବିଭାଗର ଚଢ଼ାଉ । ୬୪୮ ବୋତଲ ବିଦେଶୀ ମଦ ସହ ଦୁଇ ଚୋରା ମଦ ବେପାରୀ ଗିରଫ । ସୂଚନାଯୋଗ୍ୟ ଯେ ଆସନ୍ତାକାଲି ଅର୍ଥାତ ୨୬ ତାରିଖରେ ଭୋଟ ଗଣତି ହେବ । ତେଣୁ ସରକାରୀ ମଦ ଦୋକାନ ଗୁଡିକ ସିଲ ହେବା ସହ ବନ୍ଦ ରହିବ । ଏହି ସମୟରେ ଚୋରା ମଦ ବେପାରକୁ ରୋକିବା ପାଇଁ ଭଦ୍ରକ ଅବକାରୀ ବିଭାଗର ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଚଢ଼ାଉ ଆରମ୍ଭ କରିଛି ।

ଚଢ଼ାଉ ବେଳେ ଧାମନଗର ଥାନା ଅନ୍ତର୍ଗତ କଲ୍ୟାଣୀ, ବନ୍ଧଟିଆ ଏବଂ ଧୁଷୁରୀ ଥାନା ଅନ୍ତର୍ଗତ ବେତାଳିଗାଁ ବଜାର, ପଛାଲ, କଣ୍ଟିଗାଁ ଓ କୋଠାର ଗ୍ରାମ ଅଞ୍ଚଳରେ ଚଢାଉ କରାଯାଇ ୬୪୮ ବୋତଲ ଯାହାର ପରିମାଣ ୧୧୭ ଲିଟରରୁ ଅଧିକ ବିଦେଶୀ ମଦ ଜବତ କରାଯାଇଛି । ଚୋରା ମଦ ବେପାରରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଧାମନଗର ଥାନା ଅନ୍ତର୍ଗତ କଲ୍ୟାଣୀ ଗ୍ରାମର ଚନ୍ଦ୍ରଶେଖର ସାହୁ ଓରଫ ଡିଗିଲି ଓ ଧୁଷୁରୀ ଥାନା ଅନ୍ତର୍ଗତ କୁଳସାହି ଗ୍ରାମର ମନୋଜ କୁମାର ସାମଲ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।

ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ କନେଷ୍ଟବଳ ଅଜିତ କୁମାର ସିଙ୍କୁ, ରମେଶ ନାୟକ, ଅନବାଦିତ୍ୟ ବାରିକ, ପ୍ରଦୀପ ମଲ୍ଲିକ, ସନ୍ଧ୍ୟାରାଣୀ ସେନାପତି ପ୍ରଭୃତି ସାମିଲ ଥିଲେ । ଏନେଇ ଧାମନଗର ଅବକାରୀ ଥାନା ପକ୍ଷରୁ ୨ ଗୋଟି ମାମଲା ରୁଜ୍ଜୁ କରାଯାଇଛି । ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମଦମୁକ୍ତ କରିବା ପାଇଁ ଧାମନଗର ଅବକାରୀ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଜୋରଦାର ଚଢ଼ାଉ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.