କୁକୁଡ଼ା ଫାର୍ମ ନା ବିଦେଶୀ ମଦ କାରଖାନା; ଟାଙ୍ଗୀରେ ତେଲଙ୍ଗାନା ଓ ଓଡ଼ିଶା ପୋଲିସର ମିଳିତ ଚଢ଼ାଉ, ପ୍ରଚୁର ମଦ ଜବତ ଓ ଜଣେ ଅଟକ

Published By : Prameya-News7 Bureau | December 18, 2022 IST

ଚୌଦ୍ୱାର-ଗୁରୁଡ଼ିଝାଟିଆ,୧୮/୧୨: ଟାଙ୍ଗୀ ଥାନା ଅଭୟପୁରର ଏକ କୁକୁଡ଼ା ଫାର୍ମରେ ଚାଲିଥିଲା ନକଲି ବିଦେଶୀ ମଦ ତିଆରି । ଏସବୁ ମଦ ରାଜ୍ୟ ବାହାରକୁ ଚାଲାଣ ହେଉଥିଲା । ତେଲଙ୍ଗାନାରେ ପ୍ରଚୁର ମାତ୍ରାରେ ନକଲି ମଦ ଜବତ ହେବା ପରେ ସ୍ଥାନୀୟ ଅବକାରୀ ବିଭାଗ ଲିଙ୍କ୍ ଖୋଜୁ ଖୋଜୁ ଟାଙ୍ଗୀର ଏହି କାରଖାନା ବିଷୟ ଜାଣିବାକୁ ପାଇଥିଲା । ଏହି କ୍ରମରେ ଶନିବାର ତେଲଙ୍ଗାନା ଅବାକାରୀ ବିଭାଗ, କଟକ ଜିଲ୍ଲା ଅବକାରୀ ବିଭାଗ ଓ ଟାଙ୍ଗୀ ଥାନା ପୁଲିସ ମିଳିତ ଭାବେ ଉକ୍ତ କୁକୁଡ଼ା ଫାର୍ମ ତଥା ନକଲି ମଦ କାରଖାନା ଉପରେ ମିଳିତ ଚଢ଼ଉ କରି ପ୍ରଚୁର ପରିମାଣର ନକଲି ମଦ ଜବତ କରିଛନ୍ତି । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ମଧ୍ୟ ରଖାଯାଇଛି । ତେବେ ରାତି ହୋଇଯିବାରୁ କାରଖାନାରେ ଭଲ ଭାବେ ଖାନ୍ତଲାସି କରାଯାଇ ପାରିନି ।ରବିବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କାରଖାନାର ତନତନ କରି ଯାଞ୍ଚ ହେବ ।

ମିଳିଥିବା ସୂଚନା ଅନୁସାରେ, କିଛି ଦିନ ହେବ ତେଲଙ୍ଗାନା ଅବକାରୀ ବିଭାଗ ତାଙ୍କ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ କରି ‘ଅଫିସର୍ସ ଚଏସ୍’ ଓ ‘ଇମ୍ପେରିଆଲ ବ୍ଲୁ’ ବ୍ରାଣ୍ଡ୍ର ବିଦେଶୀ ମଦ ଜବତ କରିଥିଲା । ଯାଞ୍ଚ ବେଳେ ତାହା ନକଲି ବୋଲି ଜଣାପଡ଼ିଥିଲା । ତେବେ ବିହାରରେ ହୋଇଥିବା ମଦ ମୃତ୍ୟୁ ଘଟଣା ପରେ ତେଲଙ୍ଗାନା ରାଜ୍ୟ ଅବକାରୀ ବିଭାଗ ଏହାକୁ ଗୁରୁତ୍ୱର ସହିତ ନେଇ ତାର ଚେର ଖୋଜିବାକୁ ଲାଗିଲା। କିଛି ଦିନର ତଦନ୍ତ ପରେ ଜଣାପଡ଼ିଲା ଯେ, କଟକ ଜିଲ୍ଲା ଟାଙ୍ଗୀ ଥାନା ଅଭୟପୁର ଅଞ୍ଚଳରେ ଏହା ତିଆରି ହେଉଛି । ତେଣୁ ତେଲଙ୍ଗାନା ଅବକାରୀ ଟିମ୍ ଆଜି ଟାଙ୍ଗୀ ଥାନା ସଫା ପଞ୍ଚାୟତର ଅଭୟପୁର ଠାରେ ଥିବା ଏକ କୁକୁଡ଼ାଫାର୍ମ ଉପରେ ଅଚାନକ ଚଢ଼ଉ କରିଥିଲା । ଏକ ପାହାଡ଼ ନିକଟରେ ଥିବା ଏହି ଫାର୍ମଟି କେବଳ ନାଁକୁ ଖାଲି କୁକୁଡ଼ା ଫାର୍ମ ବୋଲି ଜଣାପଡ଼ିଥିଲା । ଅସଲରେ ସେଠାରେ ନକଲି ମଦ ପ୍ରସ୍ତୁତ ହେଉଥିଲା । ତେଲଙ୍ଗାନା ଅବକାରୀ ବିଭାଗ ପହଞ୍ଚି କଟକ ଜିଲ୍ଲା ଅବକାରୀ ବିଭାଗ ଓ ଟାଙ୍ଗୀ ଥାନା ପୁଲିସକୁ ଖବର ଦେଇଥିଲା ।ଅବକାରୀ ଓ ପୁଲିସ ଚଢ଼ଉରେ ସାମିଲ ହୋଇଥିଲେ । ଫାର୍ମରେ ଚାଲିଥିବା ନକଲି ମଦ କାରଖାନା ମଧ୍ୟରେ ବଟଲିଙ୍ଗ୍ ସାମଗ୍ରୀ ସହ ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରାଂଶକୁ ଠାବ କରିବା ସହ କାରଖାନାର ଜଣେ ସୁରକ୍ଷା କର୍ମୀକୁ ଅଟକ ରଖି ପଚରାଉଚରା କରାଯାଉଛି । ରାତି ହେବାରୁ ଚଢ଼ଉକୁ ବନ୍ଦ ରଖାଯାଇଛି । ଆସନ୍ତାକାଲି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଯନ୍ତ୍ରାଶଂକୁ ଜବତ କରାଯାଇ ତେଲେଙ୍ଗାନା ନିଆଯିବ ବୋଲି ଜଣାପଡ଼ିଛି ।

ତେବେ କୁକୁଡ଼ା ଫାର୍ମ ନାଁରେ ସେଠାରେ ନକଲି ବିଦେଶୀ ମଦ ତିଆରି କରାଯାଇ ରାଜ୍ୟ ବାହାରକୁ ପଠାଯାଉଥିଲା ଓ ସେ’ ବିଷୟ ପୁଲିସ କିମ୍ବା ଅବକାରୀ ବିଭାଗକୁ ଜଣାନପଡ଼ିବା ତାହା ସମସ୍ତଙ୍କୁ ଚକିତ କରିଛି । ସ୍ଥାନୀୟ ଲୋକଙ୍କ କହିବା କଥା, ପାହାଡ଼ ନିକଟରେ ଥିବା କୁକୁଡ଼ା ଫାର୍ମରୁ ମଝିରେ ମଝିରେ କୁକୁଡ଼ା ବାହାରକୁ ଯାଇଥାଏ । ହେଲେ ତା ଭିତରେ ନକଲି ମଦ ତିଆରି ହୁଏ ବୋଲି ଗ୍ରାମବାସୀ ଜାଣିନଥିଲେ । ଏହି ଫାର୍ମଟିକୁ ଢେଙ୍କାନାଳ ଗଁଦିଆର ଜଣେ ବ୍ୟକ୍ତି ଚଳାଉଥିବା ଜଣାପଡ଼ିଛି । ଏହି ଚଢ଼ଉରେ ତେଲଙ୍ଗାନା ଅବକାରୀ କମିସନରଙ୍କ ସହ ୩ ଜଣ ସୁପରିଟେଣ୍ଡେଣ୍ଟ୍, ୩ ଜଣ ଡିଏସ୍‌ପି, ଦୁଇ ଜଣ ଇନ୍ସପେକ୍ଟର ଓ ବହୁ କର୍ମଚାରୀ ସାମିଲ ହୋଇଛନ୍ତି । ସେହିପରି ରାଜ୍ୟ ଅବକାରୀ ବିଭାଗର କିଛି ଅଧିକାରୀ ଓ ଟାଙ୍ଗୀ ଥାନା ଅଧିକାରୀ ସୂଚିତ୍ରବିର୍ଯ୍ୟ ଦାସ ମଧ୍ୟ ସାମିଲ୍ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.