ନୋଟରେ ଛପା ହେବ ମେସିଙ୍କ ଫଟୋ, ବିଶ୍ୱକପ୍‌ ବିଜେତା ଟିମ୍‌କୁ ସରକାର ଦେବେ ଏପରି ସମ୍ମାନ !

Published By : Prameya-News7 Bureau | December 23, 2022 IST

ନୂଆଦିଲ୍ଲୀ ୨୩।୧୨ : ଫୁଟବଲ୍‌ ବିଶ୍ୱକପ୍ ୨୦୨୨ ସିଜିନ ଟ୍ରଫି ଜିତିଛି ଆର୍ଜେଣ୍ଟିନା । ଲିୟୋନେଲ୍‌ ମେସିଙ୍କ ଅଧିନାୟକଙ୍କ ଆର୍ଜେଣ୍ଟିନା କପ୍‌ ଜିତି ଇତିହାସ ରଚିଛି । ଚଳିତ ବିଶ୍ୱକପ୍‌ କତାରରେ ଖେଳାଯାଇଥିଲା । ଯାହାର ଫାଇନାଲ ଡିସେମ୍ବର ୧୮ରେ ସରିଛି । ପେନ୍‌ଲାଟି ସୁଟ୍‌ଆଉଟ୍‌ରେ ଆର୍ଜେଣ୍ଟିନାଠୁ ୪-୨ ଗୋଲ୍‌ରେ ପରାସ୍ତ ହୋଇଥିଲା ଫ୍ରାନ୍ସ । ତେବେ ଆର୍ଜେଣ୍ଟିନାର ଏହି ବିଜୟ ପରେ ମେସିଙ୍କୁ ଚାରିଆଡୁ ଶୁଭେଚ୍ଛାର ବାର୍ତ୍ତା ଛୁଟୁଛି । କିନ୍ତୁ ଏବେ ଯାହା ତଥ୍ୟ ସାମ୍ନାକୁ ଆସିଛି । ତାହା ଯଦି ସତ ହୁଏ , ତେବେ ମେସିଙ୍କ ପାଇଁ ବେଶ୍‌ ଗର୍ବର ବିଷୟ ହେବ ।

ମିଡିଆ ରିପୋର୍ଟସ ମୁତାବିକ, ଆର୍ଜେଣ୍ଟିନା ସରକାର ନିଜ ଦେଶରେ ପ୍ରଚଳିତ ହେଉଥିବା ନୋଟରେ ମେସିଙ୍କ ଫଟୋ ବ୍ୟବହାର କରିବାକୁ ନେଇ ବିଚାର କରୁଛନ୍ତି । ଏନେଇ ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ୍‌ ଆର୍ଜେଣ୍ଟିନା ସରକାରଙ୍କୁ ଏକ ପ୍ରସ୍ତାବ ଦେଇଛନ୍ତି । ଯେଉଁଥିରେ ହଜାର ଟଙ୍କିଆ ନୋଟ ଉପରେ ମେସିଙ୍କ ଫଟୋ ଲଗାଯିବ ନେଇ ଚର୍ଚ୍ଚା ଜୋର ଧରିଛି । ଏହାପୂର୍ବରୁ ଆର୍ଜେଣ୍ଟିନା ୧୯୭୮ ଓ ୧୯୮୬ରେ ବିଶ୍ୱକପ୍‌ ଟ୍ରଫି ଜିତିଥିଲେ । ୧୯୭୮ର ବିଜୟକୁ ସବୁବେଳେ ମନେ ରଖିବାକୁ ଏକ କଏନ ଜାରି କରିଥିଲା । ଆଉ ଏବେକାର ବିଜୟକୁ ନେଇ ବ୍ୟାଙ୍କ କିଛି ନୂଆ କରିବା ଉପରେ ବିଚାର କରୁଛି ।

ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଆର୍ଜେଣ୍ଟିନା ପାଖରେ ଅନେକ ବିକଳ୍ପ ରହିଛି । ଯାହାମଧ୍ୟରେ ୧୦୦୦ ଟଙ୍କିଆ ନୋଟ ରହିଛି । ଯେଉଁଥିରେ ବିଶ୍ୱ ବିଜେତା ଫୁଟବଲ୍‌ ଟିମ୍‌ର କ୍ୟାପେଟନ୍‌ ତଥା ମହାନ ଫୁଟବଲର ଲିୟୋନାଲ୍‌ ମେସିଙ୍କ ଫଟୋ ଲଗାଯାଇପାରିବ । ଏହାବ୍ୟତୀତ ଏହି ନୋଟରେ ମେସିଙ୍କ ୧୦ ନମ୍ବର ଜର୍ସିର ଫଟୋ ମଧ୍ୟ ରହିବ । ସେହିପରି ୧୦୦୦ ଟଙ୍କିଆ ନୋଟର ଆରମ୍ଭ ୧୦ରୁ ହିଁ ହେବ ବୋଲି ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ ଯେ, ବିଶ୍ୱକପ୍‌ ଇତିହାସରେ ଆର୍ଜେଣ୍ଟିନା ତୃତୀୟ ଥର ପାଇଁ ଟ୍ରଫି ଜିତିଛି । ଆର୍ଜେଣ୍ଟିନା ଟିମ୍‌ ପ୍ରଥମେ ୧୯୭୮, ପରେ ୧୯୮୬ରେ ବିଶ୍ୱକପ୍‌ ଟ୍ରଫି ଜିତିଥିଲା । ଏହାବ୍ୟତୀତ ତିନି ଥର (୧୯୩୦,୧୯୯୦,୨୦୧୪) ବିଶ୍ୱକପ୍‌ ଫାଇନାଲ୍‌କୁ ଯାଇ ରନର୍ସଅପ୍‌ ମଧ୍ୟ ହୋଇଛି । ଶେଷରେ ୨୦୨୨ରେ ମେସିଙ୍କ ସ୍ୱପ୍ନ ପୂରଣ ହୋଇଛି । ତାଙ୍କ ନେତୃତ୍ୱରେ ଦେଶକୁ ବିଶ୍ୱକପ୍‌ ଜିତିଇପାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.