ଇତିହାସ ରଚିଲେ ଲିଓନେଲ୍ ମେସି, ଅନ୍ତର୍ଜାତୀୟ ଫୁଟବଲ୍ରେ ପୂରା କଲେ ୧୦୦ ଗୋଲ୍
29/03/2023 at 11:01 PM

ନୂଆଦିଲ୍ଲୀ: ଇତିହାସ ରଚିଲେ ତାରକା ଫୁଟବଲ୍ର ଲିଓନେଲ ମେସି। ବିଶ୍ଵ ବିଜେତା ଆର୍ଜେଣ୍ଟିନାର ଫୁଟବଲ୍ ଦଳ ଅନ୍ତର୍ଜାତୀୟ ବନ୍ଧୁତ୍ଵପୂର୍ଣ୍ଣ ମ୍ୟାଚ୍ରେ କୋରାସାଓକୁ ୭-୦ ଗୋଲ୍ରେ ହରାଇଛି। ମ୍ୟାଚ୍ରେ ଅଧିନାୟକ ଲିଓନେଲ ମେସି ତିନୋଟି ଗୋଲ୍ ଦେଇ ଦଳକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଏଥିସହ ମେସି ଅନ୍ତର୍ଜାତୀୟ ମ୍ୟାଚ୍ରେ ୧୦୦ ଗୋଲ୍ ପୂରଣ କରିଛନ୍ତି। ବିଶ୍ଵକପ୍ ଜିତିବା ପରେ ଆର୍ଜେଣ୍ଟିନାର ଏହା ହେଉଛି କ୍ରମାଗତ ଦ୍ଵିତୀୟ ବିଜୟ। ଏହା ପୂର୍ବରୁ ପ୍ରଥମ ବନ୍ଧୁତ୍ଵପୂର୍ଣ୍ଣ ମ୍ୟାଚ୍ରେ ପାନାମାକୁ ୨-୦ରେ ହରାଇଥିଲା।

ମେସି ଅନ୍ତର୍ଜାତୀୟ ମ୍ୟାଚ୍ରେ ୧୦୦ ଗୋଲ୍ ପୂରା କରିବାରେ ବିଶ୍ଵର ତୃତୀୟ ଖେଳାଳି। ସେ ୧୭୪ ମ୍ୟାଚ୍ରେ ୧୦୨ ଗୋଲ୍ ଦେଇଛନ୍ତି। ଏହି ସମୟରେ ମେସି ୫୪ ଗୋଲ୍ ଦେବାରେ ସାଥୀ ଖେଳାଳିଙ୍କୁ ସାହାଯ୍ୟ କରିଛନ୍ତି। ଅନ୍ତର୍ଜାତୀୟ ଫୁଟବଲ୍ ମ୍ୟାଚ୍ରେ ସର୍ବାଧିକ ଗୋଲ୍ କରିବାର ରେକର୍ଡ କ୍ରିଷ୍ଟିୟାନୋ ରୋନାଲ୍ଡୋଙ୍କ ନାମରେ ରହିଛି। ସେ ୧୯୮ଟି ମ୍ୟାଚ୍ରେ ୧୨୨ ଗୋଲ୍ ଦେଇଛନ୍ତି। ତାଙ୍କ ପରେ ଦ୍ଵିତୀୟରେ ଅଛନ୍ତି ଇରାନର ଅଲି ଦାଏଇ। ସେ ୧୪୮ଟି ମୁକାବିଲାରୁ ୧୦୯ ଗୋଲ୍ ସ୍କୋର କରିଛନ୍ତି।
ଇତିହାସ ରଚିଲେ ମେସି

ମେସି ୧୦୦ ଗୋଲ୍ କରିବା ମାତ୍ରେ ଏକ ଖାସ୍ ଉପଲବ୍ଧି ହାସଲ କରିଛନ୍ତି। ସେ ବିଶ୍ଵକପ୍ ଜିତିବା ସହ ୧୦୦ ଗୋଲ୍ ପୂରା କରିବାରେ ଦୁନିଆର ପ୍ରଥମ ଫୁଟବଲ୍ ଖେଳାଳି। ରୋନାଲ୍ଡୋ ଏବଂ ଅଲୀ ଦାଏଇ ୧୦୦ରୁ ଅଧିକ ଗୋଲ୍ କରିଥିଲେ ହେଁ ଉଭୟ ନିଜ ଦଳକୁ ବିଶ୍ଵକପ୍ ଜିତାଇ ପାରି ନାହାନ୍ତି।
୫୭ତମ ହ୍ୟାଟ୍ରିକ ପୂରା କଲେ ମେସି

ଲିଓନେଲ୍ ମେସି ମ୍ୟାଚ୍ ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତି ଆପଣେଇଥିଲେ। ସେ ୩୭ତମ ମିନିଟ୍ ଭିତରେ ହିଁ ହ୍ୟାଟ୍ରିକ ପୂରା କରିଥିଲେ। ସେ ୨୦ତମ, ୩୩ତମ ଏବଂ ୩୭ତମ ମିନିଟ୍ରେ ଗୋଲ୍ ଦେଇ ନିଜ କ୍ୟାରିୟରର ୫୭ତମ ହ୍ୟାଟ୍ରିକ ପୂରା କରିଥିଲେ। ଆର୍ଜେଣ୍ଟିନା ପକ୍ଷରୁ ଖେଳି ସେ ନବମ ଥର ହ୍ୟାଟ୍ରିକ ଗୋଲ୍ ଦେଇଛନ୍ତି। ମେସି ଚଳିତ ବର୍ଷ ପ୍ରଥମ ଥର କୌଣସି ମ୍ୟାଚ୍ରେ ତିନୋଟି ଗୋଲ୍ ଦେବାରେ ସଫଳ ହୋଇଛନ୍ତି।