କୂଅରେ ପଡ଼ି ସିଂହ ଏବଂ ସିଂହୀର ମୃତ୍ୟୁ, ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇଲା ବନ ବିଭାଗ
7/01/2023 at 7:01 PM

ଗାନ୍ଧୀନଗର: ଗୁଜରାଟର ଅମରେଲୀ ଜିଲ୍ଲାର ଗିର ଅଭୟାରଣ୍ୟରେ କୂଅରେ ପଡ଼ି ସିଂହ ଏବଂ ସିଂହୀର ମୃତ୍ୟୁ ହୋଇଛି । ବନ ବିଭାଗର ଅଧିକାରୀ କହିଛନ୍ତି, ପାଣିରେ ବୁଡିବା କାରଣରୁ ଦୁଇ ବନ୍ୟ ଜନ୍ତୁୁଙ୍କ ମୃତ୍ୟୁ ହୋଇଛି ।
ବନ ଅଧିକାରୀ କହିଛନ୍ତି ଯେ ଶୁକ୍ରବାର ସକାଳେ ଖମ୍ଭା ତହସିଲ ଅନ୍ତର୍ଗତ କୋଟଡା ଗାଁରେ ଥିବା ଏକ ଖୋଲ କୂଅରେ ଗୋଟିଏ ସିଂହ ଏବଂ ସିଂହୀ ପଡିଯାଇଥିଲେ। ସ୍ଥାନୀୟ ଅଞ୍ଚଳର ଚାଷୀ ବନ ବିଭାଗକୁ ସୂଚନା ଦେଇଥିଲେ । ତେବେ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଦୁଇ ବନ୍ୟ ଜନ୍ତୁୁ ପାଣିରେ ବୁଡି ଯାଇଥିଲେ । ମୃତ ଶରୀରକୁ ବାହାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।
ବନ ବିଭାଗ ଅଧିକାରୀ ରାଜଦୀପ ସିଂ ଜାଲା କହିଛନ୍ତି, ଏହିପରି ଘଟଣା ଉପରେ ରୋକ ଲଗାଇବା ପାଇଁ ଖୋଲା କୂଅ ଗୁଡିକ ଢଙ୍କା ଯାଉଛି । ୨୦୦୭-୦୮ ପରେ ଅମରେଲୀ ଏବଂ ଗିର ସୋମନାଥ ଜିଲ୍ଲାରେ ଅତି କମରେ ୧୨ ହଜାର କୂଅକୁ ସୁରକ୍ଷିତ କରାଯାଇଛି ।
ରାଜ୍ୟ ବିଧାନସଭାରେ ଏକ ଜବାବରେ ତତ୍କାଳୀନ ଜଙ୍ଗଲ ମନ୍ତ୍ରୀ କିରିଟ ସିଂ ରାଣା ଗତ ମାର୍ଚ୍ଚରେ କହିଥିଲେ ଯେ ୨୦୨୧ ଡିସେମ୍ୱର ସୁଦ୍ଧା ଦୁଇ ବର୍ଷରେ ମୋଟ ୨୮୩ ସିଂହଙ୍କ ମୃତ୍ୟୁ ହୋଇଛି । ଏଥିରୁ ୨୧ ସିଂହଙ୍କ ମୃତ୍ୟୁ ଅପ୍ରାକୃତିକ ଥିଲା । କୂଅରେ ପଡିବା ଏବଂ ଟ୍ରେନ ଏବଂ ଅନ୍ୟ ଯାନବାହନ ଧକ୍କା ଯୋଗୁଁ ସେମାନଙ୍କ ମୃତ୍ୟୁ ହୋଇଥିଲା ।