ସେପ୍ଟେମ୍ୱର ପହିଲାରୁ ଖୋଲିବ ଲିଙ୍ଗରାଜ ମନ୍ଦିର, ନୂଆ ବିମାନ ଓ ପାଲିଙ୍କି ନିର୍ମାଣ ଖର୍ଚ୍ଚ ବହନ କରିବ ସୋଆ

Published By : Prameya-News7 Bureau | August 18, 2021 IST

ଭୁବନେଶ୍ୱର, ୧୮/୦୮: ସେପ୍ଟେମ୍ବର ପହିଲାରୁ ଖୋଲିବ ଲିଙ୍ଗରାଜ ମନ୍ଦିର । ମହାପ୍ରଭୁଙ୍କର ନୂଆ ରୂପାର ପ୍ରଭା, ପାଲିଙ୍କି ଓ ବିମାନ ତିଆରି କରିବାକୁ ନିଷ୍ପତ୍ତି ହୋଇଛି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶ୍ରୀ ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡର ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ବିଏମସିର କୋଭିଡ ନିର୍ଦ୍ଦେଶାବଳୀ   ଆନୁଯାୟୀ ଶ୍ରୀ ଲିଙ୍ଗରାଜ ମନ୍ଦିର ସେପ୍ଟେମ୍ବର ପହିଲାରୁ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି ।

ବୈଠକରେ ମହାପ୍ରଭୁଙ୍କର ରୂପାର ପ୍ରଭା, ନୂଆ ବିମାନ ଓ ନୂଆ ପାଲିଙ୍କି ତିଆରି କରିବାକୁ ନିଷ୍ପତ୍ତି କରାଯାଇଛି ।    ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀ ଚନ୍ଦ୍ରଶେଖର, ମା ଭୁବନେଶ୍ବରୀ, ମା ପାର୍ବତୀଙ୍କ ପାଇଁ ତିନି ଗୋଟି ରୂପାର ପ୍ରଭା ତିଆରି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ରୂପା ପ୍ରଭା ନିମନ୍ତେ ଆବଶ୍ୟକ ରୂପା ଓ ଆବଶ୍ୟକ ସମସ୍ତ ନିର୍ମାଣ ଖର୍ଚ୍ଚ ଭୁବନେଶ୍ବରର ଶ୍ରୀ ଶିବପ୍ରସାଦ ପଣ୍ଡା ଦେଇଥିବା ପ୍ରସ୍ତାବକୁ ଟ୍ରଷ୍ଟ ବୋର୍ଡ ଗ୍ରହଣ କରିଛନ୍ତି । ସେହିପରି ମହାପ୍ରଭୁଙ୍କର ଶତାଧିକ ବର୍ଷର ପୁରୁଣା ବିମାନ ଓ ପାଲିଙ୍କି ନୂଆ ତିଆରି କରିବା ପାଇଁ ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ପାଲିଙ୍କି ଓ ବିମାନ ନିର୍ମାଣ କରିବାର ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ସୋଆ ବିଶ୍ବ ବିଦ୍ୟାଳୟ ଦେଇଥିବା ପ୍ରସ୍ତାବକୁ ମଧ୍ୟ ଟ୍ରଷ୍ଟ ବୋର୍ଡ ଗ୍ରହଣ କରିଛନ୍ତି ।

ସୂଚନା ଯୋଗ୍ୟ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ୧୨ ମାସରେ ଅନୁଷ୍ଠିତ ୧୪ ଯାତ୍ରାରେ କେବଳ ଅଶୋକାଷ୍ଟମୀ ରଥଯାତ୍ରାକୁ ବାଦ ଦେଲେ, ଅନ୍ୟ ସମସ୍ତ ଯାତ୍ରାରେ ଶ୍ରୀ ଜିଉମାନେ ବିମାନ ଓ ପାଲିଙ୍କିରେ ଯାତ୍ରା କରିଥାନ୍ତି। ଏତଦ୍‌ବ୍ୟତୀତ ମହାଶିବରାତ୍ରୀ ଦିନ ଶ୍ରୀ ଲିଙ୍ଗରାଜ, ମା ପାର୍ବତୀ ଓ ମା ଭୁବନେଶ୍ବରୀ ପାଲିଙ୍କିରେ ମନ୍ଦିର ବେଢା ପରିକ୍ରମା କରିଥାନ୍ତି । ମହାପ୍ରଭୁଙ୍କ ସେବାରେ ଲାଗୁଥିବା ଏହି ବିମାନ, ପାଲିଙ୍କି ଓ ପ୍ରଭାର ନିର୍ମାଣ ଦାୟିତ୍ବ ନେଇଥିବାରୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଶ୍ରୀ ଶିବପ୍ରସାଦ ପଣ୍ଡା ଓ ସୋଆ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅଶେଷ ଧନ୍ୟବାଦ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.