ଯେମିତି ବିଚାର, ସେମିତି ଆପଣ… ସ୍ବାମୀ ବିବେକାନନ୍ଦଙ୍କ ନୀତିବାଣୀ କହି ଶରଜିଲ ଇମାମର ଜାମିନ୍‌ ଆବେଦନ ଖାରଜ କଲେ କୋର୍ଟ

Published By : Prameya-News7 Bureau | October 22, 2021 IST

ନୂଆଦିଲ୍ଲୀ ୨୨/୧୦: ଦିଲ୍ଲୀର ଏକ କୋର୍ଟରୁ ଜାମିଆ ହିଂସାର ଅଭିଯୁକ୍ତ ଜେଏନୟୁ ଛାତ୍ର ଶରଜିଲ୍‌ ଇମାମକୁ ଜୋରଦାର ଝଟ୍‌କା ଲାଗିଛି। କୋର୍ଟ ଇମାମର ଜାମିନ ଆବେଦନ ଖାରଜ କରିବା ସହ ସ୍ବାମୀ ବିବେକାନନ୍ଦଙ୍କ କଥା ଶୁଣାଇଛନ୍ତି। କୋର୍ଟ କହିଛନ୍ତି, ‘ଆମେ ଯେମିତି ଭାବନ୍ତି ସେମିତି ହୋଇଯାଆନ୍ତି। ତେଣୁ ଧ୍ୟାନରେ ରଖନ୍ତୁ ଆପଣ କଣ ଭାବୁଛନ୍ତି, ଶବ୍ଦ ଏତେ ମହତ୍ବପୂର୍ଣ୍ଣ ନୁହେଁ ବିଚାର ଜୀବନ୍ତ ହୋଇଥାଏ ଯାହାକି ଦୂର ଦୂରାନ୍ତର ଯାଇଥାଏ।’

ଡିସେମ୍ବର ୧୩, ୨୦୧୯ରେ ଇମାମର ଭାଷଣରୁ ସ୍ପଷ୍ଟ ଜଣାପଡ଼ୁଛି ତାଙ୍କର ଭାଷଣ ସାଂପ୍ରଦାୟିକ ଏବଂ ବିଭାଜନକାରୀ ବୋଲି କୋର୍ଟ କହିଛନ୍ତି।  ସଂଶୋଧିତ ନାଗରିକତା ଆଇନ (ସିଏଏ) ଏବଂ ଏନଆରସି ବିରୋଧରେ ପ୍ରଦର୍ଶନ ବେଳେ ହିଂସାକୁ ଉସୁକାଇବା ଭଳି ଭାଷଣ ଦେଇଥିବାରୁ ଶରଜିଲ ଇମାମର ଜାମିନ ଆବେଦନ ଖାରଜ କରିଛନ୍ତି କୋର୍ଟ। ଶରଜିଲ ଇମାମର ଭାଷଣ ଉପରେ ନିରିକ୍ଷଣ କ​‌ଲେ ସ୍ପଷ୍ଟ ଭାବେ ଜଣାପଡ଼ୁଛି ତାହା ସାଂପ୍ରଦାୟିକ ଏବଂ ବିଭାଜନକାରୀ ବୋଲି ସାକେତ କୋର୍ଟ ସେସନ୍ସ ଜଜ୍‌ ଅନୁଜ ଅଗ୍ରଓ୍ବାଲ୍‌ କହିଛନ୍ତି।

ଏହା ସହ ଏଭଳି ଭାଷଣ ସମାଜର ଭାଇଚାରା ଏବଂ ଶାନ୍ତି ପାଇଁ ସଠିକ ନୁହେଁ ବୋଲି ସେ କହିଛନ୍ତି । ସମ୍ବିଧାନର ଅନୁଚ୍ଛେଦ ୧୯ ଅନୁଯାୟୀ ସମସ୍ତଙ୍କୁ ଅଭିବ୍ୟକ୍ତିର ସ୍ବାଧୀନତା ରହିଛି କିନ୍ତୁ ସେହି ସମ୍ବିଧାନ ଅନୁସାରେ ଅପରାଧ ପାଇଁ ଉସୁକାଇଲେ ଦଣ୍ଡବିଧାନ ପାଇଁ ମଧ୍ୟ ପ୍ରାବଧାନ ରହିଛି। ଶରଜିଲ୍‌ ଇମାମକୁ ଦେଶ ବିରୋଧୀ ଭାଷଣ ଏବଂ ଜାମିଆ ମିଲିଆ ଇସ୍ଲାମିଆ ଅଞ୍ଚଳରେ ଦଙ୍ଗା ଉସୁକାଇବା ଅଭିଯୋଗରେ ଜାନୁଆରୀ ୨୮, ୨୦୨୦ରେ ଗିରଫ କରାଯାଇଥିଲା।

ଏହି ମାମଲା ବ୍ୟତୀତ ଶରଜିଲ୍‌ ଉପରେ ଗତବର୍ଷ ଫେବୃଆରୀରେ ଉତ୍ତର ପୂର୍ବ ଦିଲ୍ଲୀରେ ହୋଇଥିବା ଦଙ୍ଗାର ମାଷ୍ଟର ମାଇଣ୍ଡ ବୋଲି ମଧ୍ୟ ଅଭିଯୋଗ ରହିଛି। ଯେଉଁଥିରେ ୫୩ ଜଶଙ୍କ ମୃତ୍ୟୁ ହୋଇଥିଲା ଏବଂ ୭୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.