ବେନ ଷ୍ଟୋକ୍ସଙ୍କ ପରି ଦିନିକିଆ କ୍ରିକେଟରୁ ଅବସର ନେଇ ପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ପୂର୍ବତନ କୋଚ୍‌ଙ୍କ ଦୃଢୋକ୍ତି

Published By : Prameya-News7 Bureau | July 23, 2022 IST

ନୂଆଦିଲ୍ଲୀ: ଭାରତର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭବିଷ୍ୟତକୁ ନେଇ  ସାହସିକ ବୟାନ ଦେଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ। ତାଙ୍କ ଅନୁସାରେ ପାଣ୍ଡ୍ୟା ୨୦୨୩ ଦିନିକିଆ ବିଶ୍ଵ କପ୍ ପରେ ୫୦ ଓଭର ଫର୍ମାଟ୍‌ରୁ ଅବସର ନେଇ ପାରନ୍ତି। ବେନ ଷ୍ଟୋକ୍ସଙ୍କ ଦିନିକିଆରୁ ଅବସର ପରେ କ୍ରିକେଟ୍ ଜଗତରେ ଏହି ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା। କାରଣ କ୍ରିକେଟର ନିୟମିତ ଭାବେ ତିନି ଫର୍ମାଟରେ କ୍ରିକେଟ୍ ଖେଳିବା ପରେ ଶାରୀରିକ ଏବଂ ମାନସିକ ଭାବେ ଥକାପଣ ଅନୁଭବ କରୁଛନ୍ତି।

ପୂର୍ବତନ କୋଚ୍ ରବି ଶାସ୍ତ୍ରୀଙ୍କ ମତରେ ଆଗାମୀ କିଛି ସମୟରେ କ୍ରିକେଟର ସେହି ଫର୍ମାଟ୍ ଖେଳିବାକୁ ଚୟନ କରିବେ, ଯେଉଁଥିରେ ସେମାନେ ଖେଳିବାକୁ ଚାହାନ୍ତି। ଏହି ସମୟରେ ସେ ପାଣ୍ଡ୍ୟାର ଉଦାହରଣ ଦେଇଛନ୍ତି। ସେ କହିଛନ୍ତି ଅଲରାଉଣ୍ଡର ଟି-୨୦ କ୍ରିକେଟ୍ ଖେଳିବାକୁ ଚାହାନ୍ତି ଏବଂ ଏହାକୁ ନେଇ ସେ ବହୁତ ସ୍ପଷ୍ଟ ଅଛନ୍ତି। ଲାଗୁଛି ଷ୍ଟୋକ୍ସଙ୍କ ପରି ସେ ଏମିତି ନିଷ୍ପତ୍ତି ନେଇ ପାରନ୍ତି।

ଶାସ୍ତ୍ରୀ କହିଛନ୍ତି, ଆସନ୍ତା ବର୍ଷ ବିଶ୍ଵ କପ୍ ଆୟୋଜନ ହେଉଥିବାରୁ ୫୦ ଓଭର କ୍ରିକେଟ୍ ଉପରେ ଗୁରୁତ୍ଵ ଦିଆଯିବ। ଏହା ପରେ ପାଣ୍ଡ୍ୟାଙ୍କ ସହ କିଛି ଖେଳାଳି ଏହି ଫର୍ମାଟରୁ ଦୂରେଇ ପାରନ୍ତି। ପାଣ୍ଡ୍ୟା ୨୦୨୨ରେ ଟି-୨୦ ଫର୍ମାଟ୍‌ରେ ଦମଦାର ପ୍ରଦର୍ଶନ କରିଛନ୍ତି। ହେଲେ ଆହତ କାରଣରୁ ସେ ଗତ କିଛି ସମୟ ଦଳରୁ ବାଦ୍ ପଡିଥିଲେ। ଏହା ପରେ ଆଇପିଏଲରେ ଗୁଜରାଟ ଟାଇଟନ୍ସର ନେତୃତ୍ଵ ନେଇ ଦଳକୁ ଚାମ୍ପିଅନ କରାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.