ପାଠପଢା ବେଳେ ମାରିଲା ବଜ୍ରପାତ, ୭ ଛାତ୍ରଛାତ୍ରୀ ଆହତ
19/08/2022 at 6:07 PM

ଦେବଗଡ: ଶୁକ୍ରବାର ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ କୁଟୁରାପସି ପ୍ରାଥମିକ ବିଦ୍ୟାଳୟ ପରିସରରେ ବଜ୍ରପାତରେ ସାତ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆଜି ସକାଳ ସମୟରୁ ବର୍ଷା ଲାଗି ରହିଥିବା ବେଳେ ସ୍କୁଲ ରେ ନିର୍ଦ୍ଧାରିତ ସମୟ ରେ ପାଠ ପଢା ଆରମ୍ଭ ହୋଇଥିଲା। ମଧ୍ୟାହ୍ନ ପ୍ରାୟ ଏକଟା ସମୟରେ ସ୍କୁଲ ଉପରେ ବଜ୍ରପାତ ହୋଇଥିଲା । ଆହତ ଛାତ୍ରଛାତ୍ରୀ ମାନେ ସମସ୍ତେ ତୃତୀୟ, ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ହୋଇଥିବା ବେଳେ ସ୍କୁଲ ରେ ଗୋଟିଏ ଶ୍ରେଣୀ ଗୃହ ମଧ୍ୟରେ ପାଠ ପଢୁଥିବା ବେଳେ ଏହି ବଜ୍ରପାତ ହୋଇଥିଲା। ଫଳରେ ଉକ୍ତ ଶ୍ରେଣୀ ଗୃହ ମଧ୍ୟରେ ବସିଥିବା ୧୬ ଜଣ ଛାତ୍ରଛାତ୍ରୀ ଅଳ୍ପ ବହୁତ ଆହତ ହୋଇଥିଲେ।

ସେମାନଙ୍କ ମଧ୍ୟରୁ ଛଅ ଜଣ ଛାତ୍ରୀ ଓ ଜଣେ ଛାତ୍ର ଙ୍କୁ ଆମ୍ବୁଲାନ୍ସ ଯୋଗେ ଆଣି ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦେବଗଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତ ସାତଜଣଙ୍କୁ ଶିଶୁ ରୋଗ ବିଭାଗରେ ଭର୍ତ୍ତି କରାଯାଇ ଅଧିକ ଚିକିତ୍ସା କରାଯାଉଛି । ବଜ୍ରପାତର ତୀବ୍ରତା ଏତେ ଥିଲା ଯେ, ବଜ୍ରପାତ ହୋଇଥିବା ସ୍ଥାନରେ ଶ୍ରେଣୀ ଗୃହ ମଧ୍ୟରେ ଗୋଟିଏ ଗର୍ତ୍ତ ସୃଷ୍ଟି ହୋଇଛି। ଆହତ ଛାତ୍ରଛାତ୍ରୀ ମାନେ ହେଲେ ଲିକି ପେଣ୍ଠଇ, ଧରିତ୍ରୀ ସାହୁ, ପପିନା ସାହୁ, ସାଳିନୀ ସାହୁ, ସାଳିନୀ ଦେହୁରୀ, ଭବାନୀ ଦେହୁରୀ ଓ ଶ୍ରୀନିବାସ ଦେହୁରୀ।