ବାଇକ୍ ଆରୋହୀ ସାବଧାନ : ଏକ୍ସଟ୍ରା ହେଲମେଟ୍ ନଥିଲେ ଲିଫ୍ଟ ମନା, ନିୟମ ନମାନିଲେ ବାତିଲ ହେବ ଚାଳକଙ୍କ ଲାଇସେନ୍ସ

Published By : Prameya-News7 Bureau | December 15, 2020 IST

ଭୁବନେଶ୍ବର ୧୫।୧୨: ଏଣିକି ଡବଲ ହେଲମେଟ୍ ନଥିଲେ କାହାକୁ ଦେଇପାରିବେନି ଲିଫ୍ଟ । ଯଦି ବାଇକ୍ ଚାଳକ ଏଭଳି ସ୍ଥିତିରେ କାହାକୁ ଲିଫ୍ଟ ଦିଅନ୍ତି, ଅର୍ଥାତ୍ ପଛରେ ବସିଥିବା ଯାତ୍ରୀଙ୍କର ହେଲମେଟ୍ ନଥାଏ ତେବେ ସେହି ବାଇକ୍ ଚାଳକଙ୍କ ଲାଇସେନ୍ସ ବାତିଲ ହେବ । ଏଭଳି କହିଛନ୍ତି ଖୋଦ୍ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଡବଲ ହେଲମେଟ୍ ନେଇ ଚେକିଂ ଆରମ୍ଭ ହୋଇଯାଇଥିବା ମନ୍ତ୍ରୀ କହିଛନ୍ତି ।

କେବଳ ବାଇକ୍‌ ଚାଳକ ହେଲମେଟ୍‌ ପିନ୍ଧିଲେ ଚଳିବ ନାହିଁ । ବାଇକ୍ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ । ଜାନୁଆରୀ ପହିଲାରୁ ଟ୍ରାଫିକ୍ ନିୟମ କଡାକଡି ହେବ । ବାଇକ୍ ରେ ଯାଉଥିଲେ ଦୁଇ ଜଣ ହେଲମେଟ୍ ପିନ୍ଧିବା ନିୟମ କଡାକଡି କାର୍ଯ୍ୟକାରୀ ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପୂର୍ବରୁ ସୂଚନା ଦେଇଥିଲେ । ମନ୍ତ୍ରୀ କହିଥିଲେ ଯେ, ଏହି ଆଇନ ୨୦୧୯ ମସିହାରୁ ପାସ୍ ହେଲାଣି । କିନ୍ତୁ କରୋନା ମହାମାରୀ ପାଇଁ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନଥିଲା ।

ଯଦି ବାଇକ୍‌ ପଛରେ ବସିଥିବା ବ୍ୟକ୍ତି ହେଲମେଟ୍‌ ପିନ୍ଧି ନଥିବେ ତେବେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବ । ମୋଟର ଯାନ ଆକ୍ଟ ୨୦୧୯ ଆଧାରରେ ଏହି ନିୟମ ରାଜ୍ୟରେ କଡାକଡି ପାଳନ କରାଯିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ) ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା ।

ଜନସାଧାରଣଙ୍କ ଜନ ଜୀବନ ସୁରକ୍ଷା ଦାୟିତ୍ବ ସରକାରଙ୍କ ଲକ୍ଷ୍ୟ । ଏବେ ଲୋକ ସଚେତନ ହେଲେଣି । ସମସ୍ତେ ସଚେତନ ହେବେ । ଏଣିକି ଜୋରଦାର ଚେକିଂ ହେବ । ଏହାସହ ଡ୍ରାଇଭିଂ ଲାଇସେନ୍ସ କାର୍ଯ୍ୟ ବି ଆରମ୍ଭ ହୋଇଗଲାଣି । ୫ ଲକ୍ଷ ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ କାର୍ଯ୍ୟ ଆରମ୍ଭ ହୋଇଥିବା ମଧ୍ୟ ମନ୍ତ୍ରୀ ସୂଚନା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.