ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡରେ ଯୁବକଙ୍କ ସିଗାରେଟ କିଣିବା ଉପରେ ଆଜୀବନ ପ୍ରତିବନ୍ଧକ ଲାଗୁ କରାଯାଇଛି । ଏହା ଜରିଆରେ ଧୂମ୍ରପାନକୁ ପର୍ଯ୍ୟାୟକ୍ରମେ ଶେଷ କରିବା ପାଇଁ ଏକ ଯୋଜନାକୁ ମଙ୍ଗଳବାର ଆଇନର ରୂପ ଦିଆଯାଇଛି । ଏହି ଆଇନରେ ଏହା ମଧ୍ୟ ପ୍ରାବଧାନ ରଖାଯାଇଛି ଯେ, ୨୦୦୯ ଜାନୁଆରୀ ୧ ପରେ ଜନ୍ମ ହୋଇଥିବା କୌଣସି ବ୍ୟକ୍ତିକୁ ତମାଖୁ ଜାତୀୟ ପଦାର୍ଥ ବିକ୍ରି କରାଯିବ ନାହିଁ । ଏହାର ଅର୍ଥ ଏହା ଯେ ସିଗାରେଟ କିଣିବାର ସର୍ବନିମ୍ନ ବୟସ ସମୟ ଅନୁସାରେ ବଢିବ ।
ତେବେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଭରସା ରହିଛି ଯେ ଏହା ପୂର୍ବରୁ ହିଁ ଦେଶରେ ଧୂମ୍ରପାନ କମ ହୋଇଯିବ। ନ୍ୟୁଜିଲାଣ୍ଡ ୨୦୨୫ ସୁଦ୍ଧା ଧୂମ୍ରପାନ ମୁକ୍ତ ଦେଶ ହେବାର ଲକ୍ଷ୍ୟ ରଖିଛି । ନ୍ୟୁଜିଲାଣ୍ଡରେ ଏହି ଆଇନ ଲାଗୁ ହେବା ପରେ ତମାଖୁ ବିକ୍ରି ପାଇଁ ଅନୁମତି ପ୍ରାପ୍ତ ଖୁଚୁରା ବିକ୍ରେତାଙ୍କା ସଂଖ୍ୟା ପ୍ରାୟ ୬୦୦୦ରୁ ହ୍ରାସ ହୋଇ ୬୦୦ ହେବ । ଏହାସହ ନିକୋଟିନର ମାତ୍ରା ମଧ୍ୟ କମ ରହିବ ।
ଏହି ଆଇନ ନ୍ୟୁଜିଲାଣ୍ଡର ଭବିଷ୍ୟତର ପିଢିରେ ପରିବର୍ତ୍ତନ ଆଣିବ ଏବଂ ଯୁବକଙ୍କ ଉତ୍ତମ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବ । ସଂସଦରେ ୪୩ ତୁଳନାରେ ୭୬ ଭୋଟ ଏହି ବିଧେୟକ ସପକ୍ଷରେ ପଡ଼ିଥିଲା । ବିଲକୁ ବିରୋଧ କରୁଥିବା ଏସିଟି ପାର୍ଟି କହିଛି, ସିଗାରେଟ ବିକ୍ରି ଉପରେ ରୋକ ଲଗାଯିବା ପରେ ଅନେକ ଛୋଟ ବ୍ୟବସାୟ ଠପ୍ ହୋଇଯିବ।