ନିଯୁକ୍ତି ଘୋଟାଲା ଓ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ କଲେ ମିଳିବ ଆଜୀବନ କାରାଦଣ୍ଡ

Published By : Prameya-News7 Bureau | February 13, 2023 IST

ଦେହରାଦୁନ: ପରୀକ୍ଷା ପ୍ରଶ୍ନପତ୍ର ଲିକ୍ କଲେ ଦୋଷୀକୁ ମିଳିବ ଆଜୀବନ କାରାଦଣ୍ଡ, ନହେଲେ ୧୦ ବର୍ଷର ଜେଲ୍‌ ଦଣ୍ଡ। ଏହି ସୂଚନା ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ। ସେ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳକୁ ବରଦାସ୍ତ କରାଯିବ ନାହିଁ। କେବଳ ପ୍ରଶ୍ନପତ୍ର ଲିକ୍ ନୁହେଁ ନିଯୁକ୍ତି କ୍ଷେତ୍ରରେ ଦୁର୍ନୀତି ଜଣାପଡ଼ିଲେ ଦୋଷୀ ସମାନ ଦଣ୍ଡରେ ଦଣ୍ଡିତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।  

ସେ କହିଛନ୍ତି  “ ଆମ ସରକାର ଆଶାୟୀ ଯୁବକଙ୍କ ସ୍ୱପ୍ନ ସହ ସାଲିସ୍ କରିବାକୁ ଦେବନି। ତେଣୁ  ଯେଉଁମାନେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ କିମ୍ବା ନିଯୁକ୍ତି ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କୁ ଆଜୀବନ କାରାଦଣ୍ଡ ଦିଆଯିବ ନହେଲେ ୧୦ ବର୍ଷର ଜେଲ୍ ସଜା ମିଳିବ। ଏଥିସହିତ ଦୋଷୀଙ୍କର ସମ୍ପତ୍ତି ଜବତ କରାଯିବ।” କାଲ୍‌ସୀରେ ଆୟୋଜିତ ଏକ କ୍ରୀଡ଼ା କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିବାର ଦିନକ ପୂର୍ବରୁ ଉତ୍ତରାଖଣ୍ଡ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ୍(ରିଟାୟାର୍ଡ) ଗୁରମିତ ସିଂହ ଆଣ୍ଟି କପି ଅର୍ଡିନାନ୍ସ ଉପରେ ସାଇନ୍ କରିଥିଲେ। ରାଜ୍ୟରେ ଏହାକୁ ଉତ୍ତରାଖଣ୍ଡ କମ୍ପିଟିଟିଭ୍‌ ଏକ୍ସାମ(ନିଯୁକ୍ତିରେ ବେଆଇନ ଉପାୟର ନିରାକରଣ)ଆଇନ ବୋଲି କୁହାଯାଉଛି। ରାଜ୍ୟପାଳଙ୍କ ସ୍ୱୀକୃତି ପରେ ଏହା ଆଇନ୍‌ରେ ପରିଣତ ହୋଇଛି।

ସୂଚନା ଥାଉକି, ରାଜ୍ୟରେ ହେଉଥିବା ନିଯୁକ୍ତ ଦୁର୍ନୀତି ବିରୋଧରେ ଗତ ସପ୍ତାହରେ ବେରୋଜଗାର ସଂଘ ପକ୍ଷରୁ ଆନ୍ଦୋଳନ ହୋଇଥିଲା। ଏହାର ସିବିଆଇ ତଦନ୍ତ କରାଯାଉ ବୋଲି ସଂଘ ଦାବି କରିଥିଲା। ଏହାପରେ ଆନ୍ଦୋଳନକାରୀମାନେ ପୁଲିସ ଉପରକୁ  ଆକ୍ରମଣ କରିବା ପରେ ଏହା ହିଂସାରେ ପରିଣତ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.