ଭବିଷ୍ୟତରେ ଶୁଣାଣିର ଆଶା ନଥିଲେ ୧୦ ବର୍ଷ ଜେଲ କାଟିଥିବା ଦୋଷୀଙ୍କୁ ଦିଆଯାଉ ଜାମିନ: ସୁପ୍ରିମକୋର୍ଟ
16/09/2022 at 4:43 PM

ନୂଆଦିଲ୍ଲୀ ୧୬।୯: ଯେଉଁମାନେ ଦୋଷୀ ଓ ୧୦ ବର୍ଷ ଜେଲରେ କଟେଇସାରିଲେଣି ସେମାନଙ୍କ ଆବେଦନର ଯଦି ଭବିଷ୍ୟତରେ ଶୁଣାଣିର ଆଶା ନଥାଏ ତେବେ ଜାମିନ ଅଗ୍ରାହ୍ୟର କୌଣସି କାରଣ ନଥିଲେ ସେମାନଙ୍କୁ ସର୍ତ୍ତମୂଳକ ଜାମିନ ଦେଇଦେବା ଦରକାର । ଆଜୀବନ କାରାଦଣ୍ଡରେ ଦଣ୍ଡିତ ବନ୍ଦୀମାନଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି।
ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଏସ.କେ.କୌଲ ଓ ଜଷ୍ଟିସ୍ ଅଭୟ ଏସ୍. ଓକାଙ୍କ ପୀଠ ଆଜୀବନ କାରାଦଣ୍ଡରେ ଦଣ୍ଡିତ ବନ୍ଦୀମାନଙ୍କ ଆବେଦନର ଶୁଣାଣିରେ କହିଛନ୍ତି ଯେ ଜେଲରେ ବଢୁଥିବା ଭିଡ ପରିପ୍ରେକ୍ଷୀରେ ଏପରି କରାଯିବା ଦରକାର। ଯେଉଁମାନଙ୍କ ବିରୋଧରେ ଅପିଲ ବର୍ଷବର୍ଷଧରି ଲମ୍ବିତ ରହିଛି ବା ନିକଟ ଭବିଷ୍ୟତରେ ହାଇକୋର୍ଟରେ ଶୁଣାଣିର କୌଣସି ସମ୍ଭାବନା ନାହିଁ ଏପରି ଦୋଷୀଙ୍କ ଲାଗି ଏହା କରାଯିବା ଦରକାର ବୋଲି କହିଛନ୍ତି।
ଆବେଦନକାରୀମାନେ ଏହି ଆଧାରରେ ଜାମିନ ଦାବି କରିଛନ୍ତି ଯେ ସେମାନଙ୍କ ଆବେଦନ ପୃଥକ ପୃଥକ ହାଇକୋର୍ଟରେ ଦୀର୍ଘ ବର୍ଷରୁ ପେଣ୍ଡିଂ ଅଛି ଓ ନିକଟ ଭବିଷ୍ୟତରେ ଶୁଣାଣିର କୌଣସି ସମ୍ଭାବନା ନାହିଁ, କାରଣ ବହୁ ସଂଖ୍ୟାରେ ଲମ୍ବିତ ମାମଲା ନ୍ୟାୟିକ ପ୍ରକ୍ରିୟାରେ ବାଧା ଦେଉଛନ୍ତି। କୋର୍ଟ କହିଛନ୍ତି ଯେ ଆମ ବିଚାରରେ ଦଣ୍ଡର ୧୦ ବର୍ଷ ପୂରଣ କରିସାରିଥିବା ଏହି ଦୋଷୀମାନଙ୍କୁ ଜାମିନରେ ଛାଡି ଦିଆଯିବା ଦରକାର, ଯେଉଁମାନଙ୍କ ଅପିଲର ନିକଟ ଭବିଷ୍ୟତରେ ଶୁଣାଣିର କୌଣସି ଆଶା ନାହିଁ।
ନ୍ୟାୟମିତ୍ର (ଆମିକସ କ୍ୟୁରୀ) ଗୌରବ ଅଗ୍ରୱାଲ ସୁପ୍ରିମକୋର୍ଟଙ୍କ ପୂର୍ବ ଆଦେଶ ଯେଉଁଥିରେ ୬ ହାଇକୋର୍ଟଙ୍କୁ ବିବରଣୀ ଦେବାକୁ କୁହାଯାଇଥିଲା ଓ ଏଥିରେ ସେମାନେ ଏକ ସତ୍ୟପାଠ ଦାୟର କରିଥିଲେ ବୋଲି କହିଥିଲେ। ସେ କହିଥିଲେ ଯେ ହାଇକୋର୍ଟଙ୍କ ତଥ୍ୟ ଅନୁସାରେ ଏପରି ୫୭୪୦ ମାମଲା ରହିଛି ଯେଉଁଗୁଡିକର ଆବେଦନ ସିଙ୍ଗଲ ହେଉ କି ଖଣ୍ଡପୀଠରେ ପେଣ୍ଡିଂ ରହିଛି। ଏଥିରେ ଏଲହାବାଦ ହାଇକୋର୍ଟରେ ସବୁଠୁ ଅଧିକ ଆବେଦନ ପେଣ୍ଡିଂଥିବା ଅଗ୍ରୱାଲ କୋର୍ଟଙ୍କୁ କହିଥିଲେ।