ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିବେଦୀ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ। ସେ ବର୍ତ୍ତମାନ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ ସ୍ଥାନ ନେବେ। ଜେନେରାଲ ମନୋଜ ପାଣ୍ଡେ ଜୁନ ୩୦ ତାରିଖରେ ଚାକିରିରୁ ଅବସର ନେଉଛନ୍ତି। ଉପେନ୍ଦ୍ର ଦ୍ଵିବେଦୀ ବର୍ତ୍ତମାନ ଉପ ସେନା ପ୍ରମୁଖ ଭାବେ କାର୍ଯ୍ୟରତ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଉପେନ୍ଦ୍ରଙ୍କୁ ସ୍ଥଳସେନା ପ୍ରମୁଖ ଭାବେ ଜୁନ ୩୦ରୁ ନିଯୁକ୍ତି ଦିଆଯାଇଛି।
ବର୍ତ୍ତମାନ ‘ଭାଇସ୍ ଚିଫ୍ ଅଫ୍ ଆର୍ମି ଷ୍ଟାଫ ଭାବେ’ ବା ଉପ ପ୍ରମୁଖ ଭାବେ କାର୍ଯ୍ୟରତ ଉପେନ୍ଦ୍ର ଦ୍ଵିବେଦୀ ଜେନେରାଲ ମନୋଜ ପାଣ୍ଡେଙ୍କ ପରେ ବରିଷ୍ଠତମ ଅଧିକାରୀ। ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ରଙ୍କ ନିକଟରେ ଚୀନ ଓ ପାକିସ୍ତାନ ସୀମାରେ କାର୍ଯ୍ୟ କରିବାର ଢେର ଅନୁଭୂତି ଏବଂ ଅଭିଜ୍ଞତା ରହିଛି। ସେ ଫେବୃଆରୀରେ ଲେଫ୍ଟନାଣ୍ଟ ଜେନେରାଲ ଏମ ଭି ସୁଚିନ୍ଦ କୁମାରଙ୍କ ସ୍ଥାନ ନେଇଥିଲେ। ଲେଫ୍ଟନାଣ୍ଟ ଜେନେରାଲ ଦ୍ଵିବେଦୀଙ୍କ ପରେ ବରିଷ୍ଠତମ ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ ଅଜୟ କୁମାର ସିଂ ଦକ୍ଷିଣରେ ସ୍ଥଳସେନା କମାଣ୍ଡର ଅଛନ୍ତି।
ଉପେନ୍ଦ୍ର ଦ୍ବିବେଦୀ ରେଓ୍ବାର ସୈନିକ ସ୍କୁଲରେ ପାଠପଢା ଆରମ୍ଭ କରିଥିଲେ। ଏହା ପରେ ସେ ନ୍ୟାସନାଲ୍ ଡିଫେନ୍ସ କଲେଜ ଏବଂ ୟୁଏସ ଆର୍ମି ଓ୍ବାର କଲେଜରୁ ଡିଗ୍ରି ହାସଲ କରିଥିଲେ। ସେ ଡିଏସଏସସି ଓ୍ବେଲିଂଟନ ଏବଂ ଆର୍ମି ଓ୍ବାର କଲେଜ, ମହୂରୁ ଉଚ୍ଚ ଶିକ୍ଷା ଗ୍ରହଣ କରିଥିଲେ। ଏହା ବ୍ୟତୀତ ଆମେରିକାର ପ୍ରତିଷ୍ଠିତ ଏନଡିସି ସମକକ୍ଷ ପାଠ୍ୟକ୍ରମରେ ‘ବିଷିଶ୍ଟ ଫେଲୋ’ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଲେଫ୍ଟନାଣ୍ଟ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀ । ସେପଟେ ପ୍ରତିରକ୍ଷା ଅଧ୍ୟକ୍ଷନ କ୍ଷେତ୍ରରେ ଉପେନ୍ଦ୍ର ଦ୍ବିବେଦୀ ଏମଫିଲ୍, ସାମରିକ ଅଧ୍ୟୟନ ଏବଂ ସୈନ୍ୟ ବିଜ୍ଞାନରେ ଦୁଇଟି ମାଷ୍ଟର ଡିଗ୍ରି ହାସଲ କରିଛନ୍ତି ।