ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସିଙ୍ଗାପୁର ଗସ୍ତକୁ ଆଉ ଏକ ଝଟକା । ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା ଏହି ଗସ୍ତ ପାଇଁ ମଞ୍ଜୁରୀ ଦେବାକୁ ମନା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଅଗଷ୍ଟ ୧ରେ ଏକ ସମ୍ମିଳନୀରେ ଯୋଗ ଦେବା ପାଇଁ ଅରବିନ୍ଦ କେଜ୍ରିୱାଲ ସିଙ୍ଗାପୁର ଯାତ୍ରା କରିବାକୁ ଚାହୁଁଥିଲେ । ଆବଶ୍ୟକୀୟ ପ୍ରକ୍ରିୟା ଅନୁସାରେ ଦିଲ୍ଲୀ ସରକାର ଉପରାଜ୍ୟପାଳଠାରୁ ଏଥିପାଇଁ ଅନୁମତି ମାଗିଥିଲେ, କିନ୍ତୁ ବହୁ ଦିନରୁ ଏହି ଫାଇଲ ପଡି ରହିଥିଲା।
ସିଙ୍ଗାପୁରର ଏହି ବୈଠକ ମେୟର୍ସମାନଙ୍କୁ ନେଇ ହେବ, ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସାମିଲ ହେବାର କୌଣସି ଆବଶ୍ୟକତା ନଥିବା ଦର୍ଶାଇ ଦିଲ୍ଲୀ ସରକାରଙ୍କ ନିବେଦନକୁ ଖାରଜ କରାଯାଇଥିବା ଏଲଜି ଅଫିସ ପକ୍ଷରୁ କୁହାଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହା ପୂର୍ବରୁ ଏହି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିଲେ । ଅନ୍ୟପଟେ ଯାତ୍ରାକୁ ମଞ୍ଜୁରୀ ଦେବା ପାଇଁ ଆମ ଆଦମୀ ପାର୍ଟି ମଧ୍ୟ ଲଗାତାର ଦାବି କରୁଥିଲା ।
ଏଲଜିଙ୍କ ପକ୍ଷରୁ ଦିଲ୍ଲୀ ସରକାରଙ୍କ ଆବେଦନକୁ ଖାରଜ କରାଯିବା ଉପରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବୟାନ ଦେଇଛନ୍ତି । ଆବେଦନ ଖାରଜ ପାଇଁ ଦର୍ଶାଯାଇଥିବା କାରଣ ସହ ସେ ସହମତି ନଥିବା କହିଛନ୍ତି । ଏହା ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ନିମନ୍ତ୍ରଣ ଥିଲା ବୋଲି କହିଛନ୍ତି । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିଧା ବିଦେଶ ମନ୍ତ୍ରଣାଳୟକୁ ସିଙ୍ଗାପୁର ଯିବା ପାଇଁ ନିବେଦନ କରିବେ । ଏହାସହ ଦେଶରେ ଏକ ଭୁଲ ପରମ୍ପାର ସୃଷ୍ଟି ହେଉଛି ବୋଲି ସେ କହିଛନ୍ତି ।